ଭୁବନେଶ୍ବର: ଆସନ୍ତାକାଲି ହେଉଛି ଜାତୀୟ ଡେଙ୍ଗୁ ଦିବସ। ପ୍ରତିବର୍ଷ ଦେଶର ଯେଉଁ କେତୋଟି ରାଜ୍ୟରେ ଡେଙ୍ଗୁ ରୋଗ ବ୍ୟାପୁଛି ତହିଁରେ ଓଡ଼ିଶା ରହିଛି। ବିଗତ ୫ବର୍ଷର ଭିତରେ ଗତବର୍ଷ ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ ଭୟଙ୍କର ରହିଥିଲା। ଭୁବନେଶ୍ବର ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ପାର୍ କରିଥିଲା। ଚଳିତ ବର୍ଷ ଦେଶରେ ମୌସୁମୀ ଆଗୁଆ ଆସିବା ନେଇ ପାଣିପାଗ ବିଭାଗ ଅନୁମାନ କରୁଛି। ତେଣୁ ଆସନ୍ତା ୧ ମାସ ଭିତରେ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ବିଗତ କିଛିବର୍ଷ ହେବ ଭୁବନେଶ୍ବର ସମେତ ଖୋର୍ଦ୍ଧା ଓ ଅନ୍ୟାନ୍ୟ ଜିଲ୍ଲାରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି। ଗତବର୍ଷ କେବଳ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫ହଜାର ଟପି ଯାଇଥିଲା। ଜୁନ୍‌ ମାସଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଡେଙ୍ଗୁ ମାମଲା ଲାଗି ରହୁଛି। ମୌସୁମୀ ଋତୁରେ ଭୁବନେଶ୍ବରବାସୀ ଡେଙ୍ଗୁ ଜ୍ବରରେ ଥରୁଛନ୍ତି। ଏପରିକି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସରକାରୀ ବାସଭବନରୁ ମଧ୍ୟ ଡେଙ୍ଗୁ ଲାର୍ଭା ବାହାରିଥିଲା। ମାତ୍ର କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ଭୁବନେଶ୍ବରରେ ପ୍ରତିବର୍ଷ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି ତାହାର ଉତ୍ତର କାହା ପାଖରେ ନାହିଁ। ନିକଟରେ କେନ୍ଦ୍ର-ରାଜ୍ୟକୁ ନେଇ ହୋଇଥିବା ବୈଠକ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଭଳି ଚିନ୍ତା ପ୍ରକଟ କରିଥିଲା। କେବଳ ଚିରାଚରିତ ଢଙ୍ଗରେ ଲୋକସଂଖ୍ୟା ବୃଦ୍ଧିକୁ ଦାୟୀ କରୁଛନ୍ତି ରାଜ୍ୟ ସରକାର। ତେଣୁ ଚଳିତବର୍ଷ ରାଜ୍ୟ ସରକାର ଭୁବନେଶ୍ବର ସମେତ ରାଜ୍ୟରେ କିଭଳି ଢଙ୍ଗରେ ଡେଙ୍ଗୁର ମୁକାବିଲା କରୁଛନ୍ତି ତାହା ଉପରେ ନଜର ରହିଛି।

୨୦୧୮ ମସିହାରୁ ଓଡ଼ିଶାରେ ଲଗାତାର ଭାବେ ଡେଙ୍ଗୁ ବଢ଼ୁଛି। କେବଳ ୨୦୨୦ ମସିହା କୋଭିଡ୍‌ ବର୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ୪୯୬ରେ ସୀମିତ ରହିଥିଲା। ମାତ୍ର ୨୦୨୧ରେ ୭୫୪୮, ୨୦୨୨ରେ ୭୦୬୩‌ ଡେଙ୍ଗୁ ଆକ୍ରାନ୍ତ ବାହାରିଥିଲେ। ୨୦୧୯ ମସିହାରେ ରାଜ୍ୟ ସରକାର ଡେଙ୍ଗୁରେ ୪ଜଣ ପ୍ରାଣ ହରାଇଥିବା ସ୍ବୀକାର କରିଥିବା ବେଳେ ଏହାର ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହାକୁ ସ୍ବୀକାର କରୁନାହାନ୍ତି। ମାତ୍ର ବେସରକାରୀ ଭାବେ ବହୁ ସଂଖ୍ୟାରେ ଡେଙ୍ଗୁ ମୃତ୍ୟୁ ହେଉଛି। ଚଳିତବର୍ଷ ଓଡ଼ିଶାକୁ ଆଗୁଆ ମୌସୁମୀ ଆସିବାର ଅନୁମାନ ଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଜରୁରୀ ହୋଇପଡ଼ିଛି। ଅପରପକ୍ଷରେ ଡେଙ୍ଗୁ ସଚେତନତାର ସ୍ବେଚ୍ଛାସେବୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ହେଲେ ରାଜ୍ୟରେ ସେମାନଙ୍କୁ ମାତ୍ର ୩ମାସ ପର୍ଯ୍ୟନ୍ତ ନିୟୋଜିତ କରାଯାଉଛି। ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଡେଙ୍ଗୁ ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ ଅବଧିକୁ ୬ମାସ ପର୍ଯ୍ୟନ୍ତ ରଖିଛନ୍ତି। ତେଣୁ ଓଡ଼ିଶାରେ ଡେଙ୍ଗୁ ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ ଅବଧି ୬ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଡେଙ୍ଗୁ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି କରିବା ଲାଗି ଜାତୀୟ ସ୍ବାସ୍ଥ୍ୟ ମିସନ୍‌(ଏନ୍‌ଏଚ୍‌ଏମ୍‌)ରେ ଏଥିପାଇଁ ଅର୍ଥ ବ୍ୟୟ ବରାଦ ହୋଇଛି। ଚଳିତବର୍ଷଠାରୁ ସେମାନଙ୍କ କାର୍ଯ୍ୟ ଅବଧିକୁ ୬ମାସକୁ ବଢ଼ାଯିବା ପାଇଁ ଉଭୟ କେନ୍ଦ୍ର-ରାଜ୍ୟ ରାଜି ହୋଇଛନ୍ତି। ଚଳିତବର୍ଷ ଡେଙ୍ଗୁର ମୁକାବିଲା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆଭାସୀ ଜରିଆରେ ଜିଲ୍ଲାସ୍ତରରୁ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଡେଙ୍ଗୁ ମୁକାବିଲା ପାଇଁ ଜିଲ୍ଲାମାନଙ୍କୁ ଆଗୁଆ ସତର୍କ କରାଯାଇଛି। ଆସନ୍ତାକାଲି ମଧ୍ୟ ଦିବସ ପାଳନ ଅବସରରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ।