ଭୁବନେଶ୍ବର: ଡାକ୍ତରଙ୍କ ଆବଶ୍ୟକତା ସବୁଦିନେ ରହିଥିବାବେଳେ ଆଜିର କରୋନା ମହାମାରୀ ସମୟରେ ସେମାନଙ୍କ ଅବାଦାନକୁ ଭୁଲି ହେବନାହିଁ। ଗତବର୍ଷ ଜାତୀୟ ଡାକ୍ତର ଦିବସର ବିଷୟବସ୍ତୁ ବା ଥିମ୍ ‘ଡାକ୍ତରଙ୍କ ପ୍ରତି ହେଉଥିବା ଆକ୍ରମଣ ପ୍ରତି ଶୂନ୍ୟ ସହନଶୀଳନା’ ଥିବାବେଳେ ଚଳିତବର୍ଷ ବିଷୟବସ୍ତୁ ରହିଛି ‘କୋଭିଡ୍‌ ଜିନତ ମୃତ୍ୟୁକୁ କମାଇବା’। କମିକ୍ ବହି ହିରୋ ହେଉ ବା ହଲିଉଡ ଚଳଚ୍ଚିତ୍ରର ସୁପରହିରୋ, ଡାକ୍ତର ହେଉଛନ୍ତି ସବୁଦିନ ପାଇଁ ପ୍ରକୃତ ହିରୋ। ଆଜିର କରୋନା ମହାମାରୀ ସମୟରେ ଯେଉଁ ଡାକ୍ତରମାନେ ନିଜର ନିଃସ୍ବାର୍ଥପର ସେବା ପ୍ରଦାନ କରି ଆସୁଛନ୍ତି ଏବେ ସେମାନଙ୍କୁ ଧନ୍ୟବାଦ ଦେବାର ‌ସମୟ ଆସିଛି। କରୋନା ମହାମାରୀରେ ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ପଛଘୁଞ୍ଚା ନ ଦେଇ କିଭଳି ରୋଗୀଟିଏ ସୁସ୍ଥ ହେବ ଡାକ୍ତରମାନେ ଦିନରାତି ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି।

Advertisment

ରୋଗୀଙ୍କ ଚିକିତ୍ସା ଭିତରେ ଅନେକ ଡାକ୍ତର ନିଜେ ମଧ୍ୟ ସଂକ୍ରମିତ ହେଉଛନ୍ତି, ହେଲେ ସେମାନଙ୍କ ନିଷ୍ଠା ଓ ସେବା ମନୋଭାବ ସେମାନଙ୍କୁ ମହାମାରୀଠାରୁ ଦୂରେଇ ରଖିପାରିନାହିଁ। ପ୍ରତ୍ୟେକ ଦିନ ଏକାଧିକ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ହେଁ, କରୋନା ସଂକ୍ରମିତ ବ୍ୟକ୍ତିଟିଏ ଯେ ଅନ୍ୟ ରୋଗୀଠାରୁ ଭିନ୍ନ ଏକଥା ନ ଭାବି ଡାକ୍ତରମାନେ ସେବା ଦେଇ ଚାଲିଛନ୍ତି। କରୋନା ମୁକାବିଲା ସମୟରେ ଡାକ୍ତରମାନଙ୍କୁ ଘଣ୍ଟା ଘଣ୍ଟା ଧରି ପିପିଇ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିବାକୁ ପଡ଼ୁଛି। ଏହି ସମୟରେ ଅନ୍ୟ କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ। ଏପରିକି କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବାକୁ ପଡ଼ୁଥିବାରୁ ଅନେକଙ୍କ ନାକରୁ ରକ୍ତ ଝରୁଥିବାର ଭିଡିଓ ଜନମାନସକୁ ଆନ୍ଦୋଳିତ କରୁଛି। କେତେକ ସ୍ଥାନରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଯାଇଥିବା ଡାକ୍ତରଙ୍କୁ ମଧ୍ୟ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ୁଛି। ତଥାପି ସେମାନେ ନିଜ ଦାୟିତ୍ବରୁ ଓହରି ଯାଇ ନାହାନ୍ତି। ଆଜିର ଏକ ଜଟିଳ ପରିସ୍ଥିତିରେ ଯେଉଁ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା ଭାବେ ନିଜକୁ ପ୍ରମାଣିତ କରିଛନ୍ତି ସେମାନଙ୍କ ପାଇଁ ସମସ୍ତେ କୃତଜ୍ଞ ରହିବେ।

publive-image

ଡାକ୍ତରଙ୍କ ମାନସିକ ସ୍ବାସ୍ଥ୍ୟ ରକ୍ଷା ପାଇଁ ବନ୍ଧୁ ଓ ପରିବାର ବର୍ଗଙ୍କ ଭୂମିକା
କୋଭିଡ-୧୯ ମହାମାରୀ ସମୟରେ ଡାକ୍ତରମାନେ ସାହସର ସହ ଛାମୁଆଁ ଯୁଦ୍ଧ ଲଢୁଛନ୍ତି। ଏଣୁ ସେମାନଙ୍କୁ ମାନସିକସ୍ତରରେ ସହାୟତା ଅତ୍ୟନ୍ତ ଆବଶ୍ୟକ। ଉଭୟ ପରିବାର ଏବଂ ସମାଜରୁ ଡାକ୍ତରମାନଙ୍କୁ ସହାୟତା ଜରୁରୀ। ଏଥିନେଇ ପରିବାର ସଦସ୍ୟ ଏବଂ ବନ୍ଧୁ ପରିଜନ କ’ଣ କରିବା ଉଚିତ।
ପରିବା‌ର ସଦସ୍ୟ ଓ ବନ୍ଧୁମାନେ ପରସ୍ପର ମଧ୍ୟରେ ସମ୍ପର୍କକୁ ଦୃଢ କରିବା ଉଚିତ। ‌େକାଭିଡ-୧୯ ମହାମାରୀ ସମୟରେ କରୋନା ଭାଇରସ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସଂକ୍ରାନ୍ତ ଆଲୋଚନା ନ କରି ବରଂ ସେହି ସମୟରେ ସୃଜନାତ୍ମକ କର୍ମରେ ମନୋନିବେଶ କରିବା ଜରୁରୀ। ଏହି ସମୟରେ ଡାକ୍ତରମାନେ ପିଲାମାନଙ୍କ ସହ ଭର୍ଚୁଆଲ୍‌ କ୍ରୀଡ଼ାରେ ସାମିଲ ହେବା ସହ ବହି ପଢ଼ା, ଲେଖାଲେଖି, ପୁରୁଣା ଫଟୋ ଆଲବମ୍‌ରୁ ପୁରୁଣା ସ୍ମୃତିସବୁକୁ ସାଉଁଟିବା ଫଳରେ ମାନସିକ ଶାନ୍ତି ମିଳିବ।
ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ଡାକ୍ତରମାନଙ୍କୁ ଉତ୍ସାହିତ କରିବା ଜରୁରୀ। ଆବଶ୍ୟକ ପରିମାଣରେ ଶୋଇବା, ବିଶ୍ରାମ ନେବା, ପାଣି ପିଇବା, ଉପଯୁକ୍ତ ପୁଷ୍ଟିବର୍ଦ୍ଧକ ଖାଦ୍ୟ ଗ୍ରହଣ କରିବା, ଯୋଗ, ପ୍ରାଣାୟମ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
କୋଭିଡ-୧୯ ସଂକ୍ରାନ୍ତ ସମସ୍ତ ଗାଇଡଲାଇନ୍‌ ସଠିକ ଭାବେ ପାଳନ କରିବା ଉଚିତ। ନିୟମିତ ହାତ ଧୋଇବା‌, ସାମାଜିକ ଦୂରତା ରକ୍ଷା କରିବା, ମୁହଁରେ ମାସ୍କ ବ୍ୟବହାର କରିବା ସହ ଅଦରକାରୀ ଭ୍ରମଣକୁ ରୋକିବା ଜରୁରୀ।
ମାନସିକ ଅବସାଦକୁ ଯଥା ସମ୍ଭବ ଦୂର କରିବା ଉଚିତ। ଏହି ସମୟରେ ଭଲକରି ଗାଧୋଇବା, ପ୍ରଚୁର ପାଣି ପିଇବା, ଦୀର୍ଘ ନିଶ୍ବାସ ପ୍ରଶ୍ବାସ ନେବା ଜରୁରୀ। ଏ ବାବଦରେ ଡାକ୍ତରଙ୍କୁ ପ୍ରୋତ୍ସାହିତ କରିବା।
ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଡାକ୍ତରମାନଙ୍କୁ ପ୍ରୋତ୍ସାହିତ କରିବା ଜରୁରୀ। ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଯତ୍ନବାନ ହେବା ସହ ସେମାନଙ୍କୁ ନୈତିକ ସମର୍ଥନ ଯୋଗାଇଦେବା ଜରୁରୀ।