ଆଜି ଜାତୀୟ ହସ୍ତତନ୍ତ ଦିବସ: ବଢ଼ୁଛି କାରୁକାର୍ଯ୍ୟ, ବଢ଼ୁନି ବଜାର

ପ୍ରିୟଙ୍କା ରାୟ
ଭୁବନେଶ୍ବର: ବିଶ୍ବ ହସ୍ତତନ୍ତ ବଜାରରେ ଓଡ଼ିଶାର ସ୍ଥାନ ଅନନ୍ୟ। ଓଡ଼ିଆ ବୁଣାକାରମାନଙ୍କ କାରୁକାର୍ଯ୍ୟ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ପରିଚିତ। ପ୍ରାଚୀନ କାଳରୁ ଓଡ଼ିଆ ବୁଣାକାରମାନଙ୍କ ମନଲୋଭା ଚିତ୍ର ବିଶ୍ବ ହସ୍ତତନ୍ତ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଆସିଛି। ବସ୍ତ୍ରର କାରୁକଳା ଯେତିକି ଆକର୍ଷଣୀୟ, ଗୁଣାତ୍ମକ ଦିଗ ମଧ୍ୟ ସେତିକି ପ୍ରଶଂସନୀୟ ହୋଇରହିଛି। ସମ୍ପ୍ରତି ବୈଷୟିକ ଜ୍ଞାନକୌଶଳ ନୂଆନୂଆ ଡିଜାଇନ୍‌, ନୂଆ ନୂଆ ରଙ୍ଗ ଉଦ୍‌ଭାବନ କରିଛି। ସେସବୁ ପ୍ରୟୋଗ କରିବାରେ ବି ଆଜି ଓଡ଼ିଆ ବୁଣାକାର ପଛେଇ ଯାଇନି। ସେଇ ପୁରୁଣାକାଳିଆ ଅରଟ ଓ ତନ୍ତରେ ଲୁଗା ବୁଣୁଥିବା ଓଡ଼ିଆ ବୁଣାକାର ଅତ୍ୟାଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରିବାରେ ସିଦ୍ଧହସ୍ତ ବୋଲି ପ୍ରମାଣିତ କରିସାରିଛି। କିନ୍ତୁ ପରିତାପର କଥା, ଓଡ଼ିଆ ବୁଣାକାରର ଭାଗ୍ୟ ବଦଳୁ ନାହିଁ। ଆଜି ବି ଶହଶହ ବୁଣାକାର ପରିବାର ଘୋର ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଉପଯୁକ୍ତ ବଜାର ମିଳୁ ନଥିବାରୁ ତା’କୁ ଉପଯୁକ୍ତ ପାରିଶ୍ରମିକ ମିଳୁନାହିଁ।
କଳା ଜଗତରେ ଉତ୍କଳର ପାରଦର୍ଶିତା ଯୁଗେ ଯୁଗେ ପ୍ରଶଂସିତ ହୋଇଆସିଛି।

ହସ୍ତତନ୍ତରେ ପ୍ରକୃତିର ବ୍ୟାଖ୍ୟା, ସୂକ୍ଷ୍ମ କାରୁକାର୍ଯ୍ୟ, ସ୍ଥାୟୀ ରଙ୍ଗ ବିନ୍ୟାସ ପାଇଁ ଉତ୍କଳ କାଳେ କାଳେ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶା ବୁଣାକାରମାନଙ୍କ ପ୍ରାଚୀନ ପାରମ୍ପରିକ କାରୁକାର୍ଯ୍ୟରେ ଆଦିବାସୀ କଳାର ନିଖୁଣ ଚିତ୍ର, ବିଭିନ୍ନ ବୃକ୍ଷ, ମାଛ, ଚଢ଼େଇ, ମନ୍ଦିର, ଶଙ୍ଖ, ନର୍ତ୍ତକୀ ଓ ଭଗବାନଙ୍କ ଦଶାବତାର ଆଦିର ଚିତ୍ର ରଖିଥାଆନ୍ତି। ଏହା ସବୁ ସମୟରେ ଲୋକାଦୃତ ହୋଇଆସିଛି। ଏବେ ବୈଷୟିକ ଶିକ୍ଷାର ବିକାଶ ଯୋଗୁଁ ବହୁ ନୂଆ ଡିଜାଇନ ବଜାରରେ ଉପଲବ୍‌ଧ ହେଉଛି। ବିଶେଷକରି ଏବେ ଓଡ଼ିଆ ବୁଣାକାରମାନେ ଟେରାକୋଟା ଡିଜାଇନ୍‌ର ବ୍ୟବହାର କରି ବସ୍ତ୍ରକୁ ଅଧିକ ଆକର୍ଷଣୀୟ କରିପାରୁଛନ୍ତି। ଏମିତିକି ଗ୍ରାଫ୍‌ ମାଧ୍ୟମରେ ବିଭିନ୍ନ ନୂଆ ଚିତ୍ର ଆଙ୍କି ସେସବୁକୁ ବସ୍ତ୍ରରେ ବୁଣି ପାରୁଛନ୍ତି। ବଡ଼ କଥା ହେଉଛି ଏବେ ଓଡ଼ିଆ ବୁଣାକାରମାନେ ହସ୍ତତନ୍ତରେ ଜ୍ୟାମିତିକ ଓ ଗାଣିତିକ ଚିତ୍ର ବୁଣି ଗ୍ରାହକଙ୍କ ମନ କିଣି ନେଉଛନ୍ତି। ବିଶିଷ୍ଟ ସମ୍ବଲପୁରୀ ବୁଣାକାର ସୁଜିତ ମେହେରଙ୍କ ସୂଚନାନୁସାରେ ନୂଆ ଡିଜାଇନ୍‌ ଜ୍ୟାମିତିକ ଓ ଗାଣିତିକ ଚିତ୍ର ସହ ନୂଆ ପେଷ୍ଟେଲ ରଙ୍ଗ ବ୍ୟବହାର ଓଡ଼ିଆ ବୁଣାକାରମାନଙ୍କ ସ୍ବତନ୍ତ୍ରତାକୁ ବଜାୟ ରଖିଛି। ବର୍ତ୍ତମାନ ଯୁବପିଢ଼ି ପେଷ୍ଟେଲ୍ ରଙ୍ଗ ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି ବୋଲି ବୟନିକାର ମାର୍କେଟିଂ ମ୍ୟାନେଜର୍‌ ଆର୍ତ୍ତ ରଞ୍ଜନ ମହାପାତ୍ର କହିଛନ୍ତି। ଏବେ ବି ପାରମ୍ପରିକ ଡିଜାଇନ୍‌ ଯଥା ଦୋଳ ବେଦି, ବାଘମ୍ବରୀ, ଉତ୍କଳ ଲକ୍ଷ୍ମୀ, ଅଶ୍ବିନୀ ଆଦି ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇରହିଛି ବୋଲି ପ୍ରିୟଦର୍ଶିନୀ ମୁଖ୍ୟ ଲଲାଟେନ୍ଦୁ ମହାନ୍ତି କହିଛନ୍ତି।

ମହାମାରୀ କରୋନା ହସ୍ତତନ୍ତ ଶିଳ୍ପର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଲକ୍‌ଡାଉନ୍‌, ସଟ୍‌ଡାଉନ ଓ ଯାନବାହନ ଚଳାଚଳ ବନ୍ଦ ଯୋଗୁଁ କଞ୍ଚାମାଲ ମିଳିଲା ନାହିଁ। ପାଖରେ ଥିବା କିଛି କିଛି ବଳକା କଞ୍ଚାମାଲରେ ବୁଣାକାରମାନେ ଲୁଗା ବୁଣିଲେ ବି ବଜାର ଅଭାବରୁ ବିକ୍ରି ହୋଇପାରିଲା ନାହିଁ। ଫଳରେ ବୁଣାକାରମାନେ ଆର୍ଥିକ ଅନଟନରେ ଗତି କଲେ। ଅବଶ୍ୟ ଏବେ ବ୍ୟବସାୟ କିଛି ବଢ଼ିଛି। କିନ୍ତୁ ବୁଣାକାରମାନଙ୍କ ଅସଲ ସମସ୍ୟା ସେମିତି ରହିଛି। ବୁଣାକାର ମହାସଂଘର ମୁଖ୍ୟ ଶ୍ରୀଧର ବେହେରାଙ୍କ କହିବା କଥା, ସରକାର ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରୁନାହାନ୍ତି, ଏହା ନୁହେଁ। ବୁଣାକାରମାନଙ୍କ ସାମଗ୍ରୀ ବିକ୍ରି ପାଇଁ ଉତ୍କଳିକା, ବୟନିକା ଭଳି ସଂସ୍ଥା ରହିଛି।

ବିଭିନ୍ନ ସମୟରେ ସରକାରୀ ମେଳା ବି ଆୟୋଜନ କରାଯାଉଛି। କିନ୍ତୁ ତାହା ଯଥେଷ୍ଟ ନୁହେଁ। ବୁଣାକାରମାନଙ୍କ ପାଇଁ ଏକ ସ୍ଥାୟୀ ଯୋଜନାର ଆବଶ୍ୟକତା ରହିଛି। କୃଷକମାନଙ୍କ ପାଇଁ ଯେମିତି ମଣ୍ଡି ବ୍ୟବସ୍ଥା ରହିଛି, ସେମିତି ବୁଣାକାରମାନଙ୍କ ପ୍ରସ୍ତୁତ ସାମଗ୍ରୀ କିଣିବାକୁ ସରକାର ସ୍ଥାୟୀ ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି। ଏବେ ତ ବହୁ ବୁଣାକାର ଏହି ବ୍ୟବସାୟରୁ ମୁହଁ ଫେରାଇ ନେଲେଣି। ବୁଣାକାରମାନଙ୍କ ପିଲା ସୁରତ ଗଲେଣି। ତେଣୁ ଓଡ଼ିଶାର ଏହି ପ୍ରସିଦ୍ଧ କଳା ବୁଡ଼ିଯିବା ପୂର୍ବରୁ ସରକାର ବୁଣାକାରମାନଙ୍କୁ ଏକ ସ୍ଥାୟୀ ବଜାର ଯୋଗାଇ ଦେବାକୁ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର