ବ୍ରହ୍ମପୁର: ରାଜ୍ୟ ସରକାର କ୍ରୀଡ଼ାକୁ ଗୁରୁତ୍ବ ଦେବା ସହ କ୍ରୀଡ଼ାବିତ୍‌ଙ୍କ ପାଇଁ ବିଭିନ୍ନ ଶୃଙ୍ଖଳାରେ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ଭିତ୍ତିଭୂମି ସ୍ଥାପନ ହୋଇଥିବା କୁହାଯାଉଛି। କିନ୍ତୁ ‌ସେହି ଉନ୍ନତ ଭିତ୍ତିଭୂମିରେ ଉନ୍ନତମାନର କ୍ରୀଡ଼ା ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଅଛି। ଯାହାକି ଜଣେ କ୍ରୀଡ଼ାବିତ୍‌ର ପ୍ରତିଭା ବିକାଶରେ ସହାୟକ ହେବ। କିନ୍ତୁ ଏଥିପାଇଁ ଆବଶ୍ୟକ ଥିବା ପ୍ରଶିକ୍ଷକ ନିଯୁକ୍ତିକୁ ଅଣଦେଖା କରାଯାଉଛି। ତା ପରିବର୍ତ୍ତେ କାମଚଳା ଭାବେ, ‘କ୍ରୀଡ଼ା କୋଟାରେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କୁ ଦାୟିତ୍ବ କରାଯାଉଛି। ବି‌ଶେଷ କରି ପୁଲିସ ବିଭାଗର ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଏଥିପାଇଁ ବଛା ଯାଇଥିବା ଅଭିଯୋଗ ହେଉଛି।

Advertisment

ସୂଚନା ମୁତାବକ, ବର୍ତ୍ତମାନ ରାଜ୍ୟ କ୍ରୀଡ଼ା ବିଭାଗ ଅଧୀନରେ ବିଭିନ୍ନ ଶୃଙ୍ଖଳାରେ ମାତ୍ର ୬ଜଣ ବରିଷ୍ଠ ପ୍ରଶିକ୍ଷକ ଏବଂ ୨୧ଜଣ କନିଷ୍ଠ ପ୍ରଶିକ୍ଷକ ଅଛନ୍ତି। ସେଥିରେ ପୁଣି ଆଉ ବର୍ଷେ ଦୁଇବର୍ଷ ମଧ୍ୟରେ ବରିଷ୍ଠ ପ୍ରଶିକ୍ଷକଙ୍କ ସଂଖ୍ୟା ଅଧା ହୋଇଯିବ। ଏପରିସ୍ଥଳେ ୨୦୧୬ମସିହାରେ ଶେଷଥର ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ କନିଷ୍ଠ ପ୍ରଶିକ୍ଷକ ନିଯୁକ୍ତି ହୋଇଥିଲା। ଏହାମଧ୍ୟରେ ୭ବର୍ଷ ବିତିଯାଇଥିବା ବେଳେ ଆବଶ୍ୟକ ଥାଇ ମଧ୍ୟ ନୂଆ ନିଯୁକ୍ତି ଦିଆଯାଉନାହିଁ। ରାଜ୍ୟରେ ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ୩୪ଟି କନିଷ୍ଠ ପ୍ରଶିକ୍ଷକ ପଦବି ଖାଲିଥିବା ନେଇ ଗତବର୍ଷ ବିଧାନସଭାରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷେ ୨୦୧୫-୨୦୨୦ ମଧ୍ୟରେ ପଞ୍ଜାବର ପତିଆଲାରୁ ଏନ୍‌ଏସ୍‌ଏନ୍ଆଇଏସ୍‌ରୁ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରି ବିଭିନ୍ନ ଶୃଙ୍ଖଳାର ୧୫ଜଣ ପ୍ରଶିକ୍ଷକ ନିଯୁକ୍ତି ସୁଯୋଗ ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣ ଆଥେଲେଟିକ୍, ୩ଜଣ ସନ୍ତରଣ, ୩ଜଣ ହକି, ଜଣେ ଭଲିବଲ୍ ପ୍ରଶିକ୍ଷକ ଅଛନ୍ତି।

ଅନ୍ୟାନ୍ୟ ଶୃଙ୍ଖଳାରେ ମଧ୍ୟ ଏନ୍‌ଆଇଏସ୍‌ ପ୍ରଶିକ୍ଷକ ଅଛନ୍ତି। କିନ୍ତୁ ସେଥିରୁ କେତେ‌କ ରାଜ୍ୟ କ୍ରୀଡ଼ା ବିଭାଗରେ ନିଯୁକ୍ତି ପାଇବା ପାଇଁ ଅପେକ୍ଷା କରି ନିରାଶ ହେଲେଣି, ତ ଆଉ କାହାର ବୟସ ଗଡ଼ିଗଲାଣି। ଶେଷରେ ଆତ୍ମନିର୍ଭରଶୀଳ ହେବାପାଇଁ କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟ ଅବା ବିଶ୍ବବିଦ୍ୟାଳୟରେ ଆଉଟସୋର୍ସିଂରେ ଠିକା ନିଯୁକ୍ତି ପାଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ଅଣଦେଖା କରାଯାଇ ବିଭିନ୍ନ ଉଚ୍ଚଗୁଣବତ୍ତା କେନ୍ଦ୍ରରେ ଠିକାସଂସ୍ଥା ଦ୍ବାରା ସ୍ବଳ୍ପ ବେତନରେ ନିଯୁକ୍ତି ହେଉଛି। ଏପରିକି ପୁଲିସ ବିଭାଗର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୧୪ଜଣ କର୍ମଚାରୀଙ୍କୁ କ୍ରୀଡ଼ା ବିଭାଗ ଦାୟିତ୍ବ ଦେଇଥିବା ସୂଚନା ମିଳିଛି। ସେମାନଙ୍କର ବିଭିନ୍ନ କ୍ରୀଡ଼ାକ୍ଷେତ୍ରରେ ଯୋଗ୍ୟତା ଥିଲେ ମଧ୍ୟ, କ୍ରୀଡ଼ା ଓ ଯୁବ ସେବା ବିଭାଗରେ ପୂର୍ବରୁ ନିଯୁକ୍ତି ପାଇନଥିଲେ। କିଏ ଏସ୍‌ଆଇ, ତ ଆଉ କିଏ ଏଏସ୍ଆଇ, କନେଷ୍ଟବଳ ଅବା ହାବିଲଦାର୍‌ ଭାବେ ନିଯୁକ୍ତି ପାଇ କାର୍ଯ୍ୟରତ ଥିଲେ। କ୍ରୀଡ଼ାଠାରୁ ବହୁବର୍ଷ ଦୂରେଇ ରହିବା ପରେ ସେମାନଙ୍କୁ ପୁଣି ଆଣି ଆବଶ୍ୟକତା ପୂରଣ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ନିଯୁକ୍ତି ପ୍ରଦାନ କରୁଛି। ଯାହାକି ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗର ବାଟ ଓଗାଳୁଛି। ଏଭଳି ଜାରି ରହିଲେ, ଆଗକୁ ନୂଆ ପିଢ଼ି ଆଉ ପ୍ରଶିକ୍ଷକ ହେବାର ସ୍ବପ୍ନ ଦେଖିବେ ନାହିଁ।