ଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଦେବେ। ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବେ। ପାଖାପାଖି ୬ ମାସ ବ୍ୟବଧାନ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ସାମିଲ ହେବେ। ଏକାମ୍ର ନିର୍ବାଚନମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗ ‌ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ। 

Advertisment

୧୯୪୬ ମସିହା‌ ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ। ଯୁବାବସ୍ଥାରେ ରାଜନୀତିର ଧାର୍‌ ଧରୁ ନଥିବା ନବୀନ ଘଟଣାଚକ୍ରରେ ଓଡ଼ିଶା ଆସି ରାଜନୀତିରେ ସାମିଲ ହେଲେ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ପରବର୍ତ୍ତୀ ସମୟରେ ବିଜେଡି ଗଠନ ହେଲା ପରେ ସେ ସଭାପତି ହେଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି। ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି। ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଥିଲେ। ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ଶାସନକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ। ମେଣ୍ଟ ଭାଙ୍ଗିଗଲା ପରେ ବିଜେଡିକୁ ତିନି ଥର କ୍ଷମତାସୀନ କରାଇଥିଲେ। ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବିରେ ରହି ରେକର୍ଡ ସ୍ଥାପନ କରିଛନ୍ତି।

ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ହେଲେ ଦେଶରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ। ଓଡ଼ିଆ ନ ଜାଣିବା, ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ନ ରହିବା ଓ ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ ମାତ୍ରାଧିକ ନିର୍ଭର କରିବାର ଅପବାଦ ତାଙ୍କ ନାମରେ ରହୁଥିଲେ ବି ନିର୍ବାଚନୀ ରାଜନୀତିରେ ସେ ଥିଲେ ଅନତିକ୍ରମଣୀୟ। ୨୦୦୦ ମସିହା ପରବର୍ତ୍ତୀ ସମୟରେ ଓ ୨୦୨୪ ପୂର୍ବରୁ ସବୁ ନିର୍ବାଚନରେ ନବୀନଙ୍କର ରଣନୀତି ହିଁ ସଫଳ ହେଉଥିଲା। ପଞ୍ଚାୟତ ନିର୍ବାଚନ ହେଉ କି ପୌର ନିର୍ବାଚନ, ବିଧାନସଭା ଉପନିର୍ବାଚନ ସବୁଥିରେ ବିଜେଡିର ସଫଳତା ବେଶ୍‌ ଈର୍ଷଣୀୟ ଥିଲା। 

କିନ୍ତୁ ୨୦୨୪ ମସିହାରେ ଆଉ ନବୀନ ମ୍ୟାଜିକ୍ କାମ କରି ନଥିଲା। ବିଜେପି ଦ୍ବାରା ସେ କ୍ଷମତାଚ୍ୟୁତ ହେଲେ। କ୍ଷମତାରେ ଥିଲା ବେଳେ ଓ କ୍ଷମତାରୁ ଗଲା ପରେ ବି ବିଜେଡି ଭିତ‌ରେ ତାଙ୍କ ନେତୃତ୍ବ ପ୍ରତି କୌଣସି ବଡ଼ ଧରଣର ଝଟ୍‌କା ଆସିନାହିଁ। ୨୦୨୪ ନିର୍ବାଚନ‌ରେ ବିଜେଡିର ବିପର୍ଯ୍ୟୟ ପରେ ଦଳ ଭିତରେ ତାଙ୍କର ନେତୃତ୍ବ ଓ ଭି କେ ପାଣ୍ଡିଆନଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତାକୁ ନେଇ ଅସନ୍ତୋଷ ସୃଷ୍ଟି ହେଉଥିଲେ ବି ତାହା ଦାନା ବାନ୍ଧିପାରିନି। କାଁ ଭାଁ ନେତା କିଛି କହୁଥିଲେ ମଧ୍ୟ ତାଙ୍କ ବିରୋଧରେ ବଡ଼ ଧରଣର ମେଳି ହୋଇପାରି ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ସେ ବାହାରକୁ ଏତେ ଯାଉ ନାହାନ୍ତି। କିନ୍ତୁ ବିଜେଡିର ମଙ୍ଗ ତାଙ୍କ ହାତରେ ହିଁ ରହିଛି। ଦଳରେ ଏବେ ବି ତାଙ୍କରି ନେତୃତ୍ବ ଓ ତାଙ୍କରି ନିଷ୍ପତ୍ତି ହିଁ ସର୍ବମାନ୍ୟ ହୋଇ ରହିଛି।