ପୁରୀ : ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆକୁ ଷଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ମିଳିଲା। ଓଡ଼ିଆ ଭାଷାଭାଷୀ ଏହାକୁ ନେଇ ଉତ୍ସବ ପାଳନ ବି କଲେ। ସେବେଠୁ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଭାଷା ଦିବସ ଭାବେ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ହେଲେ, ଓଡ଼ିଆ ଭାଷା ପାଇଁ ଏମିତି ଦରଦ ଯେ ନାମଫଳକରେ ବି ଓଡ଼ିଆ ଲେଖିବାକୁ ହାତ ଯାଉନି କି ମନ ଚାହୁନି।
ନାମଫଳକ ଓଡ଼ିଆରେ ଲେଖିବା ନେଇ ସରକାର ଆଇନ କରିଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ ସମେତ ଛୋଟବଡ଼ ଦୋକାନୀ ସେମାନଙ୍କ ଇଚ୍ଛାରେ ଇଂରାଜୀ, ହିନ୍ଦୀ ବା ଯେକୌଣସି ଭାଷାରେ ନାମଫଳକ ଲଗାଇ ପାରିବେ। କିନ୍ତୁ, ପ୍ରଥମେ ନିର୍ଭୁଲ ଭାବେ ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ। ଆଇନରେ ଏହି ବ୍ୟବସ୍ଥା ହେବା ପରଠାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଗଲା। ଜରିମାନା ବି ଆଦାୟ ହେଲା। କିନ୍ତୁ, କିଛିଦିନ ପରେ ସବୁ ଶିଥିଳ ପଡ଼ିଗଲା। ଫଳରେ, ଲୋକମାନେ ଯେମିତି ଆଗରୁ ନାମଫଳକରେ ଇଂରାଜୀ ବ୍ୟବହାର କରୁଥିଲେ ଏବେ ବି ସେମିତି କରୁଛନ୍ତି। ଓଡ଼ିଆ ଭାଷା ପ୍ରତି ଥିବା ଦାୟିତ୍ବବୋଧ ତ ଦୂରେଥାଉ, ଆଇନରେ ବ୍ୟବସ୍ଥା ହେଲାପରେ ବି ସରକାରଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
/sambad/media/post_attachments/wp-content/uploads/2022/01/marketing-building-750x430.jpg)
Times of India
ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ ମୁତାବକ ରାଜ୍ୟର ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲଗାଯିବା ନେଇ ବିଧି ରହିଛି। ୨୦୧୮ ଏପ୍ରିଲ୍ ୧ ଉତ୍କଳ ଦିବସରୁ ଏହାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏବେ ବି ୩୦ ପ୍ରତିଶତରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖାଗଲା ନାହିଁ। ବ୍ୟବସାୟିକ ପ୍ରତିଷ୍ଠାନ ଦୂରେଥାଉ, ଅନେକ ସରକାରୀ କାର୍ଯ୍ୟାଳୟର ମୁଖ୍ୟ ନାମଫଳକ ଓଡ଼ିଆରେ ଲେଖାଗଲା ନାହିଁ। ଏସ୍ପିଙ୍କ କାର୍ଯ୍ୟାଳୟଠୁ ନେଇ ସ୍ବରେଜ୍ ବୋର୍ଡ, ଜିଲ୍ଲା କୋଷାଗାରଠୁ ହସ୍ତତନ୍ତ ବିଭାଗର ଷ୍ଟୋର୍ ଆଦି କାର୍ଯ୍ୟାଳୟରେ ନାମଫଳକ ଓଡ଼ିଆରେ ଲାଗିପାରିଲା ନାହିଁ। ଇଂରାଜୀରେ କାର୍ଯ୍ୟାଳୟର ନାମ ଲେଖା ହେଲେ ଯେ ଓଡ଼ିଆମାନେ ଚିହ୍ନିପାରିବେ ନାହିଁ ସେକଥା ନୁହେଁ, ବରଂ ଓଡ଼ିଆଙ୍କ ସ୍ବାଭିମାନ ଦୃଷ୍ଟିରୁ ଏଥିପ୍ରତି କାର୍ଯ୍ୟାଳୟର କର୍ତ୍ତୃପକ୍ଷ ଓ ବ୍ୟବସାୟୀମାନେ ଆନ୍ତରିକତା ଦେଖାଇବା ଆବଶ୍ୟକ ବୋଲି ଭାଷାପ୍ରେମୀମାନେ କହିଛନ୍ତି।
ଖାଲି ବ୍ୟାବସାୟିକ ପ୍ରତିଷ୍ଠାନ ନୁହେଁ, ବରଂ ବିଭିନ୍ନ ଆବାସିକ କଲୋନି, ବେସରକାରୀ ଶିକ୍ଷାନୁଷ୍ଠାନ, ବିଭିନ୍ନ ଆପାର୍ଟମେଣ୍ଟ ଓ ସହରରେ ଗଢ଼ି ଉଠୁଥିବା ବଡ଼ବଡ଼ ସପିଂ ମଲ୍ରେ ବି ଓଡ଼ିଆ ନାମଫଳକ ରହୁନାହିଁ। ଯେଉଁ ବ୍ୟବସାୟୀ, କର୍ତ୍ତୃପକ୍ଷ ଓଡ଼ିଆରେ ନିଜ ଅନୁଷ୍ଠାନର ନାମଫଳକ ଲଗାଉନାହାନ୍ତି ସେମାନଙ୍କ ବିରୋଧରେ ଯେକୌଣସି ବ୍ୟକ୍ତି ଅଭିଯୋଗ କରିପାରିବେ। ସେଥିପାଇଁ ରାଜ୍ୟ ସରକାର ୨୦୧୯ରେ ଶ୍ରମ ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ପୋର୍ଟାଲ ଶୁଭାରମ୍ଭ କରିଥିଲେ। ଏନେଇ ଅଭିଯୋଗ ବି ପହଞ୍ଚୁନାହିଁ। ବିଡ଼ମ୍ବନା ଏହି ଯେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା। ଏହାକୁ ବ୍ୟାପକ ବ୍ୟବହାର ପାଇଁ ଆଇନ ବି ପ୍ରସ୍ତୁତ ହେଲା। କିନ୍ତୁ, ନିଜକୁ ସ୍ବାଭିମାନୀ ବୋଲାଉଥିବା ଲୋକେ ଏଥିପ୍ରତି ଆନ୍ତରିକତା ଦେଖାଉନାହାନ୍ତି।