ଆଜି ଓଡ଼ିଶା ଦିବସ: ସହର ସାରା ଅସଜଡ଼ା ପ୍ରତିମୂର୍ତ୍ତି

ରାଉରକେଲା: ଏପ୍ରିଲ ପହିଲା ଆମ ରାଜ୍ୟ ପାଇଁ ଏକ ସ୍ମରଣୀୟ ଦିନ। ୧୯୩୬ ଏପ୍ରିଲ୍ ୧ରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା ଓଡ଼ିଶା। ଏହାକୁ ସ୍ମରଣକରି ଆସନ୍ତା କାଲି ରାଜ୍ୟବାସୀ ବେଶ୍ ଧୂମ୍‌ଧାମରେ ପାଳନ କରିବେ ଓଡ଼ିଶା ଦିବସ। ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ରଙ୍ଗ ଦିଆଯିବ, ଆଲୋକ ସୁସଜ୍ଜିତ ହେବ। ବିଡ଼ମ୍ବନା ହେଉଛି, ପ୍ରଦେଶ ଗଠନର ୮୭ ବର୍ଷ ପରେ ବି ରାଉରକେଲା ସହରରେ ଓଡ଼ିଆ ଭାଷା ସରକାରୀ କାର୍ଯ୍ୟାଳୟରେ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇ ପାରିନି। ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆ ଭାଷା ବିଧିବଦ୍ଧ ଭାବେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା। ହେଲେ ଆଜି ବି ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟୟନ ଓ କଥାବାର୍ତ୍ତା କରିବାକୁ ଓଡ଼ିଆ ଛାତ୍ରଛାତ୍ରୀମାନେ ପଛଘୁଞ୍ଚା ଦେଉଥିବାର ଦେଖିବାକୁ ମିଳୁଛି। ଓଡ଼ିଆ ଭାଷା ଓ ଆମ ଜାତି ପାଇଁ ଯେଉଁ ଉତ୍କଳର ବୀରପୁତ୍ରଙ୍କ ଅବଦାନ ଅତୁଳନୀୟ ଥିଲା, ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟ ସିଟି ସେହି ବୀରମାନଙ୍କୁ କିଭଳି ସମ୍ମାନ ଦେଉଛି ତାହା ଆଜି ଆକଳନ କରିବାର ବେଳ ଆସିଛି।

ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କିନ୍ତୁ ସେଗୁଡ଼ିକର ସ୍ଥିତି ଦେଖିଲେ, ଏହା ସେମାନଙ୍କୁ ସମ୍ମାନ ନା ଅସମ୍ମାନ ବୋଲି ପ୍ରଶ୍ନ ମନକୁ ଆସିଯାଏ। ଉଦାହରଣ ଭାବେ ସେକ୍ଟର-୭ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ଥିବା ଫକୀରମୋହନଙ୍କ ପ୍ରତିମୂର୍ତ୍ତିକୁ ନିଆଯାଇପାରେ। ବର୍ଷ ବର୍ଷ ହେବ ମହାପୁରୁଷଙ୍କ ମୂର୍ତ୍ତିରେ ରଙ୍ଗ ତ ଦୂରର କୌଣସି ଯତ୍ନ ନିଆ ଯାଉନାହିଁ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସାରା ଜୀବନ ଯୁଦ୍ଧ କରିଥିବା ଏଇ ସେନାପତିଙ୍କ ପ୍ରତିମୂର୍ତ୍ତିର ଡାହାଣ ହାତରୁ ଅଧା ଅଂଶ ଭାଙ୍ଗି ଯାଇଛି। ଫଳରେ ପ୍ରତିମୂର୍ତ୍ତି ବିକୃତ ଦିଶୁଛି। ସବୁଠୁ ସାଂଘାତିକ କଥା ହେଉଛି, ସେ କେଉଁ ମହାପୁରୁଷଙ୍କର ପ୍ରତିମୂର୍ତ୍ତି ଚିହ୍ନିବା ମଧ୍ୟ ଅସମ୍ଭବ ହେଉଛି। ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଲୋକ ତାଙ୍କ ପରିଚୟ ବିଷୟରେ ଅଜ୍ଞାତ ଅଛନ୍ତି। ସେହିଭଳି ସେକ୍ଟର-୧୫ ଗୋଦାବରୀଶ ବିଦ୍ୟାଳୟ ପରିସର ବାହାରେ ଆଉ ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ସେହି ସମାନ ଅବସ୍ଥାରେ।

ସହରର ଅଧିକାଂଶ ପ୍ରତିମୂର୍ତ୍ତିରେ ବର୍ଷ ବର୍ଷ ହେବ ରଙ୍ଗ ଛାଡ଼ି ଗଲାଣି, କେଉଁଠି ଧୂଳି ପରସ୍ତ ପରସ୍ତ ଉଚ୍ଚରେ ବସିଛି। ମୃର୍ତ୍ତିଗୁଡ଼ିକ ନିୟମିତ ଭାବେ ସଫା ତ ହେଉନି, ସିମେଣ୍ଟ ମୁଠେ ଦେଇ ମରାମତି ବି ହେଉନି। କେବଳ ମହାପୁରୁଷଙ୍କ ଜୟନ୍ତୀ କି ଶ୍ରାଦ୍ଧବାର୍ଷିକୀ ଆସିଲେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିମୂର୍ତ୍ତିକୁ ଧୋଇ ଫୁଲମାଳଟିଏ ପକାଇ ଦିଆଯାଉଛି। ନିଜ ପରିଚୟ ଗୋପନ ରଖି ଜଣେ ବରିଷ୍ଠ ନାଗରିକ ଗଭୀର କ୍ଷୋଭରେ କହିଲେ, ‘‘ହକି ବିଶ୍ବକପ୍‌ ପାଇଁ ସହରର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହକି ଖେଳାଳିଙ୍କ ସମେତ ଆଧୁନିକ ସ୍ଥାପତ୍ୟ ବୋଲି ଦାବି କରା ଯାଉଥିବା ବିଭିନ୍ନ ଅର୍ଥଯୁକ୍ତ/ଅର୍ଥହୀନ ମୂର୍ତ୍ତି ସ୍ଥାପନ କରା ଯାଇଛି। ତା’ ଭିତରେ ଜଣେ ହେଲେ ମହାପୁରୁଷ ଥାଆନ୍ତେ ଭଲା! ସେତିକି ନହେଲେ ବି ଅନ୍ତତଃ ପକ୍ଷେ ସେ କୋଟି କୋଟିରୁ କେତେ ହଜାର ଖର୍ଚ୍ଚକରି ଭାଙ୍ଗିରୁଜି ଯାଇଥିବା ମୂର୍ତ୍ତିଗୁଡ଼ିକୁ ମରାମତି କରା ଯାଇ ଥାଆନ୍ତା ହେଲେ!! ଯଦି ମହାପୁରୁଷଙ୍କୁ ଉଚିତ ସମ୍ମାନ ଆମେ ଦେଇ ପାରୁନୁ, ତେବେ ସେମାନଙ୍କୁ ଅପମାନିତ କରୁଥିବା ଏ ଭଙ୍ଗା ପ୍ରତିମୂର୍ତ୍ତିଗୁଡ଼ିକୁ ସସମ୍ମାନ ବିସର୍ଜନ କରିଦେବା ଉଚିତ।’’

ସମ୍ବନ୍ଧିତ ଖବର