ଆଜି ପଖାଳ ଦିବସ: କାଳିଆ ସାଆନ୍ତ ବି ପଖାଳପ୍ରିୟ

ପୁରୀ : ‘ଆସ ଜୀବନ ଧନ ମୋର ପଖାଳ କଂସା, ସଜନୀରେ ତୋ ବିହୁନେ ବୁଡ଼ିଲା ହଂସା। ଅଠା ମାରି ଗଲା ତୁଣ୍ଡୁ ଯାଏ ଜୀବନ, ତୋରାଣି ସହ ମିଶି ‌ହର ମୋ ତୃଷ୍ଣା।’ ପଖାଳକୁ ବଖାଣିବା ପାଇଁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ଓ ବାଳକୃଷ୍ଣ ଦାସଙ୍କ କଣ୍ଠ ନିଃସୃତ ଏହି ଗୀତଟି ହିଁ ଯଥେଷ୍ଟ। କିଛିବର୍ଷ ହେଲା ପଖାଳ ବିଶ୍ବ ମାନସପଟରେ ପହଞ୍ଚାଇବା ପାଇଁ ଓଡ଼ିଆମାନେ ପଖାଳ ଦିବସ ପାଳନ କରୁଛନ୍ତି। ତେବେ ଏହି ପଖାଳ ଖାଲି ଓଡ଼ିଆଙ୍କର ପ୍ରିୟ ନୁହେଁ, ବରଂ ମହାପ୍ରଭୁଙ୍କୁ ମଧ୍ୟ ନିତ୍ୟ ପଖାଳ ସମର୍ପଣ କରାଯାଏ।

ମହାପ୍ରଭୁ ହେଉଛନ୍ତି ବଡ଼ଖିଆ ସାଆନ୍ତ। ତେଣୁ ମହାପ୍ରଭୁଙ୍କ ପାଇଁ ମଲ୍ଲିଫୁଲିଆ ପଖାଳ, ଟଭା ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଚିପୁଡ଼ା ପଖାଳ ଓ ଘିଅ ପଖାଳ ପ୍ରସ୍ତୁତ ହୁଏ। ପଖାଳ ସଂସ୍କୃତିରୁ ଟଙ୍କ ତୋରାଣିର ସୃଷ୍ଟି। ମହାପ୍ରଭୁ ଯେତେ ଛପନ ଭୋଗ ଖାଇଲେ ମଧ୍ୟ କଦଳୀ ଭଜା ସହ ନିତ୍ୟ ପଖାଳ ସେବନ କରନ୍ତି। ସନ୍ଧ୍ୟା ଧୂପ ସମୟରେ ପଖାଳ ଓଳିରେ ପ୍ରତିଦିନ ମହାପ୍ରଭୁ ପଖାଳ ସେବନ କରନ୍ତି। କେବଳ ସେତିକି ନୁହେଁ, ବଡ଼ସିଂହାର ସମୟରେ ମଧ୍ୟ ମହାପ୍ରଭୁ ଘିଅ ପଖାଳ ଖାଇ ନିଦ୍ରା ଯାଆନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ପଖାଳ ପ୍ରିୟ ଓ ତାଙ୍କଠାରୁ ପଖାଳର ଏ ପରିକଳ୍ପନା ତାହା ଗବେଷକମାନେ ସ୍ବୀକାର କରନ୍ତି।

ଏନେଇ ଶ୍ରୀମନ୍ଦିରର ଚୂନରା ସେବାୟତ ତଥା ପୂର୍ବତନ ଆୟୁର୍ବେଦ ଡାକ୍ତର ଶରତ ଚନ୍ଦ୍ର ମହାନ୍ତି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଏକମାତ୍ର ଦେବତା ଯିଏ ଘିଅ ପଖାଳ ଖାଇଲେ ନିଦ୍ରା ଯାଆନ୍ତି। ପଖାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ସମ୍ପୃକ୍ତ। ପ୍ରଭୁଙ୍କ ପାଇଁ ସୂପକାର ସେବକମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାଆନ୍ତି। ବଡ଼ସିଂହାର ସମୟରେ ପ୍ରଭୁଙ୍କ ପାଇଁ ପ୍ରତିଦିନ ଘୃତ ପଖାଳ ପ୍ରସ୍ତୁତ ହୁଏ। ଭଲ ଘିଅ ସାଙ୍ଗକୁ ଜିରା, ଅଦା, ଲୁଣ, ଦହି, ଶର୍କରା, ରାବିଡ଼ି, ପାପୁଡ଼ି, କସଖୁଆ, ଡାଳିମ୍ବ ଓ ପିସ୍ତାବାଦାମ ପଡ଼ି ଏହା ପ୍ରସ୍ତୁତ ହୁଏ। ବାସୁମତୀ ଚାଉଳରୁ ପ୍ରସ୍ତୁତ ଅବଢ଼ା ପାଣିରେ ପକାଇ ଛାଣିବାପରେ ଏହାକୁ ପ୍ରସ୍ତୁତ କରାଯାଏ। ପଖାଳ ଓଳିରେ ଏହା ମହାପ୍ରଭୁଙ୍କୁ ନିବେଦନ କରାଯାଇଥାଏ। ରତ୍ନ ସିଂହାସନ ନିକଟରେ ଛାମୁରେ ବଢ଼ାଯାଇଥାଏ। ଏହାକୁ ଖାଇବା ପରେ ମହାପ୍ରଭୁ ସୁଖନିଦ୍ରା ଯାଇଥାଆନ୍ତି ବୋଲି ଡ.ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କୁହନ୍ତି, କେବଳ ଶ୍ରୀମନ୍ଦିରରେ ନୁହେଁ ଗ୍ରୀଷ୍ମ ପ୍ରବାହ ବହିଲେ, ପ୍ରତିଟି ଓଡ଼ିଆଙ୍କ ଘରେ ପଖାଳ ମୁଖ୍ୟ ଖାଦ୍ୟ ପାଲଟିଯାଏ। ଶରୀରରୁ ଜଳୀୟ ଅଂଶ କମିଯାଉଥିବା ବେଳେ ପଖାଳ ଅମୃତ ତୁଲ୍ୟ କାମ ଦେଖାଇଥାଏ। ଭୃସଙ୍ଗ ପତ୍ର, ଆମ୍ବ ନାଶି, ଦହି ଆଦି ପଖାଳରେ ସେବନ କରିବା ଦ୍ବାରା ଏହା ବେଶ୍‌ ଉପାଦେୟ ସାବ୍ୟସ୍ତ ହୁଏ। ବାସି ପଖାଳର ଥିବା ଏକ ବ୍ୟାକ୍ଟେରିଆ ଶରୀର ପାଇଁ ବହୁ ଉପାଦେୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର