ଆଜି ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ: ୧୯୪ ବର୍ଷରେ ଥରେ ବି ପାଳନ ହୋଇନି

‘ବିକାଶ ହେଉ, ଐତିହ୍ୟ ଗରିମା ଅକ୍ଷୁଣ୍ଣ ହେଉ’

ପୁରୀ : ବଦଳିଛି ପୁରୀର ରୂପରେଖ। ପରିବର୍ତ୍ତନ ହୋଇଛି ଜୀବନଶୈଳୀ। ସମୟ ସ୍ରୋତରେ ପୁରୀ ଜିଲ୍ଲା ବିକାଶର ସୋପାନ ଚଢ଼ିଛି। ହେଲେ ବହୁ ଅବିସ୍ମୃତ ଐତିହ୍ୟର ମୂକସାକ୍ଷୀ ଏହି ଜିଲ୍ଲାର ପ୍ରତିଷ୍ଠା ଦିବସ ଯେମିତି କିଛି ମାନେ ରଖୁନାହିଁ। ଇଂରେଜ ଶାସନ କାଳରେ ୧୮୨୮ ମସିହା ଅକ୍ଟୋବର ୨୩ ତାରିଖରେ ଜିଲ୍ଲାର ନାମକରଣ ‘ଜଗନ୍ନାଥ’ କରାଯାଇଥିଲା। ଗେଜେଟ୍‌ ବିଜ୍ଞପ୍ତି ହୋଇଥିଲା। ପରେ ଏହା ପୁରୀ ଜିଲ୍ଲାକୁ ପରିବର୍ତ୍ତିତ ହୋଇଥିଲା। ଖୋଦ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକଥା ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ହେଲେ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରଶାସନ ଆନ୍ତରିକତା ଦେଖାଉନାହିଁ। ‌ବର୍ଷେ କି ୨ ବର୍ଷ ନୁହେଁ, ୧୯୪ ବର୍ଷ ବିତିସାରିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ ପାଇଁ କେବେ ବି କୌଣସି ଜିଲ୍ଲାପାଳ ଆନ୍ତରିକତା ଦେଖାଇନାହାନ୍ତି। ବିଡ଼ମ୍ବନା ଏହି ଯେ କୌଣସି ଅନୁଷ୍ଠାନ କିମ୍ବା ରାଜନେତାଙ୍କ ପକ୍ଷରୁ ମଧ୍ୟ ଏ ଦିଗରେ ଆଜିଯାଏ ଉଦ୍ୟମ ହୋଇନାହିଁ। ପୁରୀ ଜିଲ୍ଲା ପୂର୍ବରୁ ପୁରୀ ସଦର, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ସହ ମିଶି ରହିଥିଲା। କାଳକ୍ରମେ ଏଥିରେ ପରିବର୍ତ୍ତନ ହୋଇ ପୁରୀକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ମିଳିଥିଲା। ଏହା ମଧ୍ୟରେ ୧୯୪ ବର୍ଷ ଅତିକ୍ରାନ୍ତ। ତେବେ ପୁରୀ ଜିଲ୍ଲାକୁ ଏବେ ବି ବହୁ ସୋପାନ ଅତିକ୍ରମ କରିବାର ଅଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

Team-BHP

ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ହେଉନଥି‌ଲେ ହେଁ ପ୍ରଥମ ଥର ପାଇଁ ପୁରୀ ବିକାଶ ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି ବୋଲି ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ କହିଛନ୍ତି। ତାଙ୍କ କହିବା ମୁତାବକ, ପୁରୀ ଓଡ଼ିଶା ପ୍ରଦେଶର ପ୍ରଥମ ରାଜଧାନୀ। ଚାରିଧାମ ମଧ୍ୟରେ ଅନ୍ୟ ଏକ ଧାମ ଓ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବେ ପୁରୀ ପ୍ରତିଷ୍ଠିତ। ଓଡ଼ିଶାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶହେ କୋଟି ଲୋକଙ୍କ ଆସ୍ଥା ଓ ବିଶ୍ବାସ ପୁରୀ ସହ ଜଡ଼ିତ। ମାତ୍ର ପୁରୀକୁ ଐତିହ୍ୟ ସହର ଭାବେ ପରିବର୍ତ୍ତନ କରାଯିବା ପରିବର୍ତ୍ତେ ସ୍ମାର୍ଟ ସିଟି ଭାବେ ବିକାଶ କରିବାକୁ ଉଦ୍ୟମ କରାଯାଉଛି। ଏହା ନକରି ପୁରୀକୁ ଦିବ୍ୟ ଲୀଳା‌କ୍ଷେତ୍ର ଭାବେ ବିକାଶ କରାଯିବା ସହ ଏହାକୁ ବିଶ୍ବ ଐତିହ୍ୟ ଭାବେ ଘୋଷଣା କରାଯିବା ଉଚିତ ବୋଲି ସେ କହିଛନ୍ତି।

ଆଧ୍ୟାତ୍ମିକ କ୍ଷେତ୍ର ଭାବେ ପୁରୀର ପରିଚୟ କେବଳ ଦେଶ ଭିତରେ ସୀମିତ ନାହିଁ। ଦେଶ ବାହାରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋଗୁଁ ପୁରୀର ଭିନ୍ନ ଏକ ପରିଚୟ ରହିଛି। ପର୍ଯ୍ୟଟନ ଦୃଷ୍ଟିରୁ ମଧ୍ୟ ପୁରୀ ସମୃଦ୍ଧ। ତେଣୁ ପୁରୀର ଐତିହ୍ୟ ଗୁରୁତ୍ବକୁ ବଜାୟ ରଖି ବିକାଶର ଧାରା ଆଗେଇ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଏନେଇ ଲେଖକ ତଥା ଗୀତିକାର ବଦ୍ରି ମିଶ୍ର କହିଛନ୍ତି, ପ୍ରଶାସନ ଅନ୍ତତଃ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ବହୁ ଆଗରୁ ପାଳନ କରିବାର ଆବଶ୍ୟକତା ଥିଲା। ଏହାକୁ ପିଢ଼ି ପରେ ପିଢ଼ି ଅନୁକରଣ କରିଥାନ୍ତେ। ତେବେ ଏ ଧାରା ଅନ୍ତତଃ ଏବେଠୁ ବି ଆରମ୍ଭ ହେବାର ଆବଶ୍ୟକତା ରହିଛି। ନଚେତ ଆଗାମୀ ପିଢ଼ି ଏହାର ଗୁରୁତ୍ବ ନାହିଁ ବୋଲି କହି ଉପହାସ କରିବେ। ଅନ୍ୟପକ୍ଷରେ ପୁରୀ ଜିଲ୍ଲା ସଂସ୍କୃତି ଓ ଐତିହ୍ୟର ମିଳନସ୍ଥଳୀ। ହୋଟେଲ୍‌ ଶିଳ୍ପର ବିକାଶ ହେଉଛି, ଐତିହ୍ୟ କରିଡର୍‌ କରାଯାଉଛି। ସରକାର କୋଟିକୋଟି ଟଙ୍କା ପୁରୀ ପାଇଁ ଖର୍ଚ୍ଚ କରୁଛନ୍ତି। ମାତ୍ର ପୁରୀର ସାଂସ୍କୃତିକ ପରିଚୟ ଧୀରେଧୀରେ ହଜିଯାଉଛି। ବିକାଶର ଧାରା ଭିତରେ ଏସବୁକୁ ଗୁରୁତ୍ବ ଦେବା ମଧ୍ୟ ଆବଶ୍ୟକ। ସାମରିକ କଳା ହେଉ ଅବା ପୁରୀର ସାହିଯାତ ସଂସ୍କୃତି ଏସବୁକୁ ନେଇ ଶିକ୍ଷାନୁଷ୍ଠାନର ମଧ୍ୟ ଆବଶ୍ୟକତା ରହିଛି। ଏହାଦ୍ବାରା ଏ ସମ୍ପର୍କରେ ଅଧିକ ଗବେଷଣା ପାଇଁ ବାଟ ଫିଟିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର