‘ଦୋଳେ ତୁ ଦୋଳଗୋବନ୍ଦମ୍‌, ଚାପେତୁ ମଧୁସୂଦନମ୍‌, ରଥେତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ’। କୁହାଯାଏ, ରଥ ଉପରେ ବାମନ ରୂପୀ ମହାପ୍ରଭୁଙ୍କ ଦର୍ଶନ କଲେ ମଣିଷ ଆଉ ଜନ୍ମମୃତ୍ୟୁ ଚକ୍ରରେ ଘାଣ୍ଟି ନ ହୋଇ ମୋକ୍ଷ ପ୍ରାପ୍ତି ହୋଇଥାଏ। ପତିତ ଜନଙ୍କୁ ଉଦ୍ଧରିବା ପାଇଁ ଘୋଷଯାତ୍ରା କରନ୍ତି କାଳିଆ ସାଆନ୍ତ। କୋଟି ବ୍ରହ୍ମାଣ୍ଡର ନାୟକ, ନୀଳାଦ୍ରିସିଂହ, ପତିତପାବନ, ଭାବଗ୍ରାହୀ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା ଆଜି। ସାଙ୍ଗରେ ବଡ଼ଠାକୁର, ରେବତୀରମଣ, କାମପାଳ ଶ୍ରୀବଳଭଦ୍ର, ଭଉଣୀ କାମ୍ପିଲ୍ୟବାସିନୀ ଜଗଜ୍ଜନନୀ ମା’ ସୁଭଦ୍ରାଙ୍କୁ ସଙ୍ଗରେ ଧରି ବଡ଼ଦାଣ୍ଡରେ ଲୀଳାଖେଳା ଦେଖାଇବେ ମହାପ୍ରଭୁ। ସମଗ୍ର ବିଶ୍ବର ଲକ୍ଷଲକ୍ଷ ଶ୍ରଦ୍ଧାଳୁ ସେମାନଙ୍କ ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଏହି ଅବର୍ଣ୍ଣନୀୟ ମାନବୀୟ ଲୀଳା ଦେଖି ନିଜକୁ ଧନ୍ୟ ମନେକରିବେ। ପତିତ ଜନଙ୍କୁ ଉଦ୍ଧାର କରିବାପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ। ସମଗ୍ର ବିଶ୍ବର ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଅଜାଡ଼ି ଦେବେ ଶୁଭାଶିଷ। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନରେ ହୋଇଥାଏ ମୋକ୍ଷପ୍ରାପ୍ତି। ସେଇଥିପାଇଁ ତ ସାଆନ୍ତେ ଆସିବେ ବଡ଼ଦାଣ୍ଡକୁ। ଏହି ଦିବ୍ୟ ତଥା ଭକ୍ତିମୟ ମୁହୂର୍ତ୍ତରେ ଏକାକାର ହେବା ପାଇଁ ସମସ୍ତେ ଏବେ ପ୍ରସ୍ତୁତ। ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଆଉ ଭକ୍ତ ବି ପ୍ରସ୍ତୁତ। ସବୁରି ପ୍ରସ୍ତୁତି ଭିତରେ ଏହି ଅବର୍ଣ୍ଣନୀୟ ମାନବୀୟ ଲୀଳା ଓ କାଳିଆ ସାଆନ୍ତଙ୍କ ପାଇଁ ଏକ ଭକ୍ତିପୂତ ତଥା ଆଧ୍ୟାତ୍ମିକତାର ସମର୍ପଣ..।

Advertisment

publive-image

ପୁରୀ : ଆଜି ଘୋଷଯାତ୍ରା। ଏହା ପୂର୍ବରୁ ରଥଖଳାରେ ରଥ ନିର୍ମାଣ ଶେଷ ପରେ ଆଜି ତିନି ରଥ ସିଂହଦ୍ବାର ଚକଡ଼ାକୁ ବିଜେ କରିଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ପୂର୍ବରୁ ସୋମବାର ଅପରାହ୍ଣରେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଉତ୍ତରମୋଡ଼ ପୂର୍ବକ ସିଂହଦ୍ବାରରେ ବିଜେ କରାଯାଇଛି। ମହାପ୍ରଭୁଙ୍କ ସ୍ବାଗତ ପାଇଁ ଅପେକ୍ଷାରେ ରହିଛନ୍ତି ରଥ-ପଥ-ଭକ୍ତ। ଶ୍ରୀଜିଉଙ୍କୁ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସିଂହଦ୍ବାରକୁ ଝୋଟିରେ ପୂର୍ଣ୍ଣ ସଜ୍ଜିତ କରାଯାଇଥିବାବେଳେ ଶ୍ରୀମନ୍ଦିର ଓ ସିଂହଦ୍ବାରକୁ ଫୁଲ ଓ ଆଲୋକମାଳାରେ ସଜାଯାଇଛି।

publive-image

ରଥର ଚକ-ଅଖ ସଂଯୋଗ ପରେ ତିନି ରଥର ଦିଗ ନିର୍ଣ୍ଣୟ ହୋଇ ଉପରିଭାଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସୋମବାର ଦିନ ତିନି ରଥରେ ପ୍ରଭା ଲାଗିବା ପରେ ରଥ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା। ପୂର୍ତ୍ତ ବିଭାଗ ରଥ ଯାଞ୍ଚ କରି ପ୍ରମାଣପତ୍ର ଦେବା ପରେ ଅପରାହ୍ଣ ପ୍ରାୟ ୪ଟା ୪୦ରେ ଶ୍ରୀମନ୍ଦିରରୁ ରଥଖଳାକୁ ତିନି ଠାକୁରଙ୍କ ଶ୍ରୀଅଙ୍ଗ ଲାଗି ତିନି ଆଜ୍ଞାମାଳ ବିଜେ କରିଥିଲା। ଆଜ୍ଞାମାଳ ତିନି ରଥରେ ବିଜେ ପରେ ପ୍ରଥମେ ନନ୍ଦିଘୋଷ ରଥ, ପରେ ଦେବଦଳନ ରଥ ଓ ଶେଷରେ ତାଳଧ୍ବଜ ରଥ ଟଣାଯାଇଥିଲା। ସଂଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲେ। ପୁଲିସ, ସେବାୟତମାନେ ରଥଖଳାରୁ ସିଂହଦ୍ବାରକୁ ତିନି ରଥକୁ ଟାଣି ନେବାବେଳେ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀ ସାଙ୍ଗକୁ ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଛି। ଆଜି ରଥ ପ୍ରତିଷ୍ଠା ପରେ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ଗୋଟି ‌ପହଣ୍ଡିରେ ବିଜେ କରିବେ।