ପୁରୀ: ଅନ୍ୟମାନଙ୍କ ପାଇଁ ଏହା ଏକ ଯନ୍ତ୍ର ହେଇପାରେ, କିନ୍ତୁ ତାଙ୍କ ପାଇଁ ଏହା ଦେବତା। ଏହିପରି ଭାବେ ରେଡିଓକୁ ଭଲ ପାଉଥିବା ଏବଂ ପୂଜୁଥିବା ବ୍ୟକ୍ତିଜଣକ ହେଉଛନ୍ତି ହାଡ଼ଗୋଡ଼ିଆସାହି ଯମୁନା ଲେନ୍ର ବାଳକୃଷ୍ଣ ମହାପାତ୍ର ଓ ତାଙ୍କ ପରିବାର। ବାଳକୃଷ୍ଣଙ୍କୁ ବୟସ ୬୯ ଛୁଇଁଲାଣି। କିନ୍ତୁ ପିଲାଦିନୁ ରେଡିଓ ତାଙ୍କର ପ୍ରେମିକା ହୋଇଯାଇଛି। ପିଲାଟି ବେଳୁ ତାଙ୍କର ରେଡିଓ ପ୍ରତି ଥିଲା ଅଜବ ସଉକ। ଏକ ପରିସ୍ଥିତି ଚକ୍ରରେ ପିଲାବେଳୁ ଏକ ଚା’ ଦୋକାନରେ କାମ କରିବାକୁ ପଡ଼ୁଥିଲା। ଏକ ରେଡିଓ ଦୋକାନକୁ ସେ ଚା’ ନେଇ ଯାଆନ୍ତି। ମାଲିକ ଯେବେ ରେଡିଓ ମରାମତି ଦୋକାନକୁ ଚା’ ନେଇ ଯିବାକୁ କୁହନ୍ତି ସେ ଭାରି ଉତ୍ସାହିତ ହୋଇ ପଡ଼ନ୍ତି। ଚା’ ଦେଲା ପରେ କିନ୍ତୁ ଲେଉଟିପାରନ୍ତି ନାହିଁ। ମରାମତି କରୁଥିବା ମେକାନିକ୍ର କାମକୁ ନିରେଖି ଦେଖନ୍ତି। ଏମିତି ଘଣ୍ଟାଘଣ୍ଟା ବିତିଯାଏ। ଏଣେ ଚା’ ଦୋକାନରେ ପହଞ୍ଚିବା ପରେ ଗାଳି ଶୁଣନ୍ତି। କିନ୍ତୁ ଦେଖି ଦେଖି ସେ ଏତେ ଜ୍ଞାନ ଆହରଣ କରିଥିଲେ ଯେ ଏକ ପୁରୁଣା ରେଡିଓ ଯନ୍ତ୍ରକୁ ଆଣି କାଗଜପଟାରେ ଯୋଡ଼ି ତାକୁ ବଜେଇଲେ।
ସେବେଠୁ ସେ ରେଡିଓ ପ୍ରେମରୁ ମୁକୁଳି ପାରିନାହାନ୍ତି। ୫୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ସେ ରେଡିଓ ଶୁଣୁଛନ୍ତି। ସେ କୁହନ୍ତି ଯିଏ ଆମକୁ ଏତେ ଖବର ଦେଉଛି, ସଚେତନ କରାଉଛି, ଆମ ଅବସରକୁ ଖୁସିରେ ଭରିଦେଉଛି ସେ କ’ଣ କୋଉ ଦେବତାଠୁ କମ୍ କି? ତେଣୁ ତାଙ୍କ ଘରେ ଠାକୁର ପୂଜା ସହ ରେଡିଓକୁ ମଧ୍ୟ ଫୁଲ ଚନ୍ଦନ ଦେଇ ପୂଜା କରାଯାଏ। ଆଜି ବି ରେଡିଓ ତାଙ୍କର ସହଯାତ୍ରୀ। ତାଙ୍କ କହିବା କଥା ହେଲା, ଟିଭି ଘରେ ଦେଖି ହେବ, କିନ୍ତୁ ରେଡିଓ ସବୁ ଆଡ଼େ ସାଥିରେ ନେଇ ହେଉଛି।
ଫଳରେ କର୍ମକ୍ଷେତ୍ରରେ ଥାଇ ମଧ୍ୟ ଦେଶ ବିଦେଶର ଖବର ସହ ମନୋରଂଜନ କରି ହେଉଛି। ରେଡିଓ ତାଙ୍କ ସହ ସାରା ଜୀବନ ରହିବ ବୋଲି ସେ କହିଛନ୍ତି। ତାଙ୍କ ପରିବାରରେ କୁମୁଦିନୀ ପାଢ଼ୀଙ୍କଠୁ ନେଇ ଜଗନ୍ନାଥ ପାଢ଼ୀ ବି ରେଡିଓର ବଡ଼ ପ୍ରଶଂସକ। ଜଗନ୍ନାଥ କୁହନ୍ତି, ମୋବାଇଲ ପରଠୁ ରେଡିଓର ଚାହିଦା କମିଛି, କିନ୍ତୁ ଏଫ୍ଏମ୍ ରୂପରେ ଏବେ ବି ଏହା ଜୀବିତ ଅଛି। କିନ୍ତୁ ଦୁଃଖ ଏତିକି ଯେ ରେଡିଓ ଶୁଣିବା ଲୋକ କମିଗଲେଣି। ରେଡିଓର ମରାମତି ପାଇଁ କୌଣସି ବିକଳ୍ପ ନଥିବାରୁ ଘରୁ ରେଡିଓ ଉଭେଇଗଲାଣି। ମାନବ ସମାଜ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଉପନୀତ ହେଲାଣି। କିନ୍ତୁ ରେଡିଓ ଏବେ ବି ଅନେକଙ୍କର ଖବର ଓ ମନୋରଂଜନର ବଳିଷ୍ଠ ମାଧ୍ୟମ ହୋଇ ଘରେ ଶୋଭାପାଉଛି। ରେଡିଓ ପ୍ରେମୀ ମଞ୍ଜୁଲତା ସାହୁ କୁହନ୍ତି, ୪୪ ବର୍ଷ ତଳେ ବାପା ତାଙ୍କୁ ଶ୍ରଦ୍ଧାରେ ଫିଲିପ୍ସ ରେଡିଓଟିଏ ଦେଇଥିଲେ। ବାପାଙ୍କର ଏହି ସ୍ମୃତି ସବୁକାଳେ ତାଙ୍କ ପାଇଁ ମୂଲ୍ୟବାନ। ଅଶି ଦଶକରେ ଯେବେ ରେଡିଓ ନେଇ ଆସିଥିଲି, ସେତେବେଳେ ସମସ୍ତେ ସେଇ ଯନ୍ତ୍ରଟିକୁ ଦେଖିବା ପାଇଁ ଉତ୍ସୁକ ହେଉଥିଲେ। ଯୁଗ ସିନା ବଦଳିଛି, କିନ୍ତୁ ରେଡିଓର ସେଇ ସ୍ବର ଆଗରେ ସବୁକିଛି ଫିକା ବୋଲି ସେ କହିଛନ୍ତି।