ପୁରୀ : ଗୁରୁବାର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ)। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ। ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୁଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଆଭୂଷଣରେ ହେବେ ଆଭୂଷିତ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ତଥାପି ନୀତିକାନ୍ତି ସଅଳ ହେଲେ, ଅପରାହ୍ଣ ୩ଟାରୁ ସୁନାବେଶ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ରଥ ଆଗ ଦେଇ ଦର୍ଶନ ପାଇଁ ଛାଡ଼ି ଡାହାଣ ପାର୍ଶ୍ବରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗ ରାସ୍ତାକୁ ସିଲ୍ କରିବାକୁ ପୁଲିସ ପ୍ରଶାସନ ଯୋଜନା କରିଛି। ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି।
ନିର୍ଘଣ୍ଟ ନୀତି ଅନୁଯାୟୀ, ଗୁରୁବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୧ଟାରୁ ୧୨ଟା ସକାଳଧୂପ, ଅପରାହ୍ଣ ୨ଟାରୁ ୩ଟା ଭିତରେ ମଧ୍ୟାହ୍ଣଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍ଣ ସାଢ଼େ ୪ଟାରେ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହେବ। ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ଭିତରେ ଶେଷ ହେବ। ରାତି ୧୦ଟାରୁ ୧୧ଟା ସୁନାବେଶ ମଇଲମ(ସୁନାବେଶ ଖୋଲାଯିବ), ସାଢ଼େ ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ, ରାତି ଗୋଟାଏରେ ରାତ୍ର ପହୁଡ଼ ହେବ ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ୩୦ ତାରିଖ ଅଧରପଣା ନୀତି, ଜୁଲାଇ ୧ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ବର୍ଷରେ ୪ ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ହୋଇଆସୁଛି। ଏକାଦଶୀ ଦିନ ସୁନବେଶରେ ରଥ ଉପରେ ଦର୍ଶନ ଦେବା ପାଇଁ ତତ୍କାଳୀନ ତଢ଼ାଉକରଣ ଅନୁରୋଧ କରିଥିଲେ। ସେବେଠାରୁ ଏହି ବଡ଼ତଢ଼ାଉ ବେଶ ବା ସୁନାବେଶ ହୋଇଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/suna-besha-a.jpg)