ଡ. ସୁଧାଂଶୁ ଶେଖର ପଟ୍ଟନାୟକ

Advertisment

ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଜୟପୁର ମହାରାଜା ବିକ୍ରମଦେବ ଓ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ। ବିକ୍ରମଦେବ ବର୍ମା ପ୍ରଜାବତ୍ସଳ ରାଜା ଓ ସୁଶାସକ ଥିଲେ। ରାଜ ସିଂହାସନରେ ଅଭିଷିକ୍ତ ହୋଇ ସୁଦ୍ଧା ଜଣେ ସୁସାହିତ୍ୟକ, ନାଟ୍ୟକାର, ସମାଜ ସଂସ୍କାରକ ଓ ସଂସ୍କୃତିପ୍ରେମୀ ଭାବେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଥିଲେ। ସେ ଜୟପୁର ରାଜବଂଶର ଶେଷ ଆନୁଷ୍ଠାନିକ ରାଜା ଥିଲେ। ରାଜର୍ଷି ବିକ୍ରମଦେବ ବର୍ମା ରୂପେ ପରିଚିତ ଶ୍ରୀ ବର୍ମା ୨୮ ଜୁନ୍‌ ୧୮୬୯ ମସିହାରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାର ମାଡୁଗୁଲ ଅଞ୍ଚଳର ପର୍ବତୁଲପେଟାଠାରେ ପିତା କୃଷ୍ଣଚନ୍ଦ୍ର ଦେବ ଓ ମାତା ହୀରାମଣିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ। ରାଜ ପରିବାରର ବିବାଦ ଯୋଗୁଁ ବିକ୍ରମ ଦେବଙ୍କ ବାଲ୍ୟକାଳ ଅତି କଠିନ ସମୟ ଦେଇ ଗତି କରିଥିଲା। ପିଲାଦିନୁ ସେ ନିଜ ବାପା ଓ ଗୃହ ଶିକ୍ଷକଙ୍କଠାରୁ ଜ୍ଞାନ ଆହରଣ କରି ଓଡ଼ିଆ, ସଂସ୍କୃତ ଓ ତେଲୁଗୁ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ। ଏହିଠାରୁ ବିକ୍ରମ ଦେବଙ୍କ ସାରସ୍ୱତ ଜୀବନର ମୂଳଦୁଆ ପଡିଥିଲା।

ପରିସ୍ଥିତି କ୍ରମେ ସେ ବିଶାଖାପାଟଣାରେ ଅବସ୍ଥାନ କରିଥିଲେ। ତତ୍କାଳୀନ ସରକାରଙ୍କଠାରୁ କିଛି ଆର୍ଥିକ ଅନୁଦାନ ପାଇ ନିଜର ଗୁଜୁରାଣ ମେଣ୍ଟାଇବା ସହ ସାହିତ୍ୟ ସାଧନାରେ ନିମଗ୍ନ ରହିଥିଲେ। ଅନେକଗୁଡ଼ିଏ କାବ୍ୟ, କବିତା, ନାଟକର ସେ ଥିଲେ ଅନନ୍ୟ ସ୍ରଷ୍ଟା। ତାଙ୍କ ସୃଷ୍ଟି ସମଗ୍ର ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି। ଆନ୍ଧ୍ର ପ୍ରଦେଶରେ ବସବାସ କରୁଥିବା ଓଡ଼ିଆଙ୍କୁ ଏକାଠି କରି ଓଡ଼ିଆ ସମାଜ ଗଠନ କରିଥିଲେ। ଓଡ଼ିଆ ସମାଜର ସଭାପତି ଭାବେ ତତ୍କାଳୀନ ମାନ୍ଦ୍ରାଜ ପ୍ରଦେଶ ଅନ୍ତର୍ଗତ ସମସ୍ତ ଓଡ଼ିଆ ଭାଷାଭାଷୀଙ୍କୁ ଏକାଠି କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ବ୍ରିଟିସ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଉଚ୍ଚକୋଟିର ସାହିତ୍ୟ ପାଇଁ କବିବର ରାଧାନାଥ ରାୟ, ବ୍ୟାସ କବି ଫକୀରମୋହନ ସେନାପତିଙ୍କ ଭଳି ପ୍ରବାଦ ପୁରୁଷ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଆ ସହ ତେଲୁଗୁରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ତାଙ୍କ ରଚିତ ଅନେକ କୃତି ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛି। ତାଙ୍କ ସାହିତ୍ୟ କୃତିକୁ ସମ୍ମାନ ଜଣାଇ ଆନ୍ଧ୍ର ଭାରତ ତୀର୍ଥ ନାମକ ଗବେଷଣାକେନ୍ଦ୍ର ତାଙ୍କୁ ସାହିତ୍ୟ ସମ୍ରାଟ ଉପାଧି ପ୍ରଦାନ କରିଥିଲା। ୧୯୪୧ରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ବିକ୍ରମଦେବଙ୍କୁ କଳା ପ୍ରପୂର୍ଣ୍ଣ ଉପାଧିରେ ଭୂଷିତ କରିଥିଲେ। କବିବର ରାଧାନାଥଙ୍କ ଭାଷାରେ ବିକ୍ରମଦେବ ଅଗାଧ୍ୟ ପାଣ୍ଡିତ୍ୟ ସମ୍ପନ୍ନ ବିଧି ପ୍ରେରିତ ମହାମାନବ। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ତାଙ୍କ ଅବଦାନ ଅବିସ୍ମରଣୀୟ। ଓଡ଼ିଆ ଭାଷାର ଉନ୍ନତି ଓ ଓଡ଼ିଶା ଗଠନ ପାଇଁ ସେ ସର୍ବଦା ସ୍ବର ଉତ୍ତୋଳନ କରୁଥିଲେ। ୧୯୧୪ ମସିହାରେ ପାରଳାଖେମୁଣ୍ଡିରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନରେ ସଭାପତି ଆସନ ଅଳଙ୍କୃତ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ବଳିଷ୍ଠ ଯୁକ୍ତି ବାଢ଼ିଥିଲେ। ଏହା ସହ ଅନେକ ଥର ଉତ୍କଳ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ଗଠନ ପାଇଁ ଅହରହ ଉଦ୍ୟମ କରିଥିଲେ। ଓଡ଼ିଆ ଭାଷାକୁ ସରକାରୀସ୍ତରରେ ପ୍ରଚଳନ ପାଇଁ ଦାବି ଉପସ୍ଥାପନ କରିଥିଲେ।

ବିକ୍ରମଦେବ ୫ ଜୁନ୍‌ ୧୯୩୧ରେ ଜୟପୁର ମହାରାଜ ରୂପେ ଶାସନ ଭାର ଗ୍ରହଣ କରିଥିଲେ। ଜୟପୁରରେ ସେ ଓଡ଼ିଶାର ପ୍ରଥମ ଚାରୁକଳା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ଏହା ବିକ୍ରମଦେବ ବିଶ୍ୱବିଦ୍ୟାଳୟ ରୂପେ ପରିଚିତ। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଓଡ଼ିଆ ଭାଷାକୋଷ ପାଇଁ ସେ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ। ଓଡ଼ିଆ ଭାଷା ପ୍ରତି ଥିବା ଅବଦାନ ପାଇଁ ଗୋପାଳଚନ୍ଦ୍ର ପ୍ରହରାଜ ତାଙ୍କୁ ଉତ୍କଳର ବିକ୍ରମାଦିତ୍ୟ ଆଖ୍ୟା ଦେଇଛନ୍ତି। ୧୯୩୩ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନବଭାରତ ପ୍ରକାଶନ ପାଇଁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ। ୧୯୪୦ରେ ଜୟପୁରରେ ପ୍ରଥମ ପ୍ରିଣ୍ଟିଂ ପ୍ରେସ୍‌ ପ୍ରତିଷ୍ଠା କରି ପ୍ରଜାବାଣୀ ନାମକ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ। ଓଡ଼ିଆ ଭାଷା ଓ ସଂସ୍କୃତି ଯେତେବେଳେ ସଙ୍କଟର ସାମନା କରୁଥିଲା, ଯେଉଁ ବରପୁତ୍ରମାନେ ସଂଘର୍ଷ କରି ଓଡ଼ିଆ ଅସ୍ମିତାର ପରିଚୟ ସୃଷ୍ଟି କରିଥିଲେ, ସେମାନଙ୍କ ମଧ୍ୟରେ ବିକ୍ରମଦେବ ଥିଲେ ଅନ୍ୟତମ। ବିକ୍ରମଦେବ ବର୍ମାଙ୍କ ଅବଦାନକୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ, ମହାନ ନେତ୍ରୀ ସରୋଜିନୀ ନାଇଡୁ ଭୂୟସୀ ପ୍ରଶଂସା କରିଥିଲେ। ୧୯୫୨ ମସିହାରେ ବିକ୍ରମଦେବ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଭାଷା ସାହିତ୍ୟ ଓ ସ୍ୱତନ୍ତ୍ର  ଉତ୍କଳ ଗଠନରେ ବିକ୍ରମଦେବ ବର୍ମାଙ୍କ ଅବଦାନ ଚିର ନମସ୍ୟ। ଏଭଳି ଅମର ଆତ୍ମାଙ୍କ ୧୫୭ତମ ଜୟନ୍ତୀ ଅବସରରେ ତାଙ୍କର ସ୍ମୃତିଚାରଣ କରିବା ଆମ ପାଇଁ ଗୌରବ। 
ବନ୍ଦେ ଉତ୍କଳଜନନୀ।
ଅଧ୍ୟାପକ, 
ଭୈରବ ମହାବିଦ୍ୟାଳୟ, ବୋରିଗୁମ୍ମା କୋରାପୁଟ
ମୋବାଇଲ-୯୯୩୭୬୬୩୪୦୪