ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍ୟୁ)ର ତୃତୀୟ ସମାବର୍ତ୍ତନ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। କୋଭିଡ୍ ସମୟରେ ଦ୍ବିତୀୟ ସମାବର୍ତ୍ତନ ଉତ୍ସବଟି କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅନ୍ଲାଇନ୍ରେ ଛାତ୍ରଛାତ୍ରୀମାନେ ଯୋଡ଼ି ହୋଇଥିଲେ। କୋଭିଡ୍ କଟକଣା ହଟି ସାରିଥିବା ବେଳେ ପୁଣିଥରେ ସମାବର୍ତ୍ତନ ଉତ୍ସବ ପାଳନ ପାଇଁ ଜିଏମ୍ୟୁ ସଜେଇ ହୋଇଛି। ଏଥର ୨୦୨୦-୨୧ ଏବଂ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ମେଡାଲ୍ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ପ୍ର. ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ଯାଦବପୁର ବିଶ୍ବବିଦ୍ୟାଳୟର କୁଳପତି ତଥା ଏଆଇୟୁ ସଭାପତି ପ୍ରଫେସର୍ ସୁରଞ୍ଜନ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେବେ।
ରାଷ୍ଟ୍ରୀୟ ନୀତି ନିର୍ଦ୍ଧାରଣରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ଗଙ୍ଗାଧର ମେହେର ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ରଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ୍ ପ୍ରଦାନ କରାଯିବ। ତୃତୀୟ ସମାବର୍ତ୍ତନ ଉତ୍ସବ ଅବସରରେ ୨୯ଟି ମେମୋରିଆଲ୍ ମେଡାଲ୍ ସମେତ ୨୧୪ଟି ମେଡାଲ୍ ପ୍ରଦାନ କରାଯିବ ବୋଲି ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ଏନ୍ ନାଗରାଜୁ କହିଛନ୍ତି। ଏହି ଅବସରରେ ୩୭ ଜଣଙ୍କୁ ପିଏଚ୍ଡି ଡିଗ୍ରି ପ୍ରଦାନ କରାଯିବ, ସେମାନଙ୍କ ମଧ୍ୟରେ ୧୯ ଜଣ ଛାତ୍ରୀ ଥିବା ବେଳେ ୧୮ ଜଣ ଛାତ୍ର ଅଛନ୍ତି। ଏଥର ମଧ୍ୟ ପଦକ ଓ ଡିଗ୍ରି ପାଇବାକୁ ଥିବା ଛାତ୍ରଛାତ୍ରୀମାନେ ବହୁ ପ୍ରଚଳିତ ଗାଉନ୍ ଓ ଟୋପି ପରିବର୍ତ୍ତେ ସମ୍ବଲପୁରୀ ଉତ୍ତରୀୟ ଧରିବେ। ଛାତ୍ରମାନେ ଧଳା ପ୍ୟାଣ୍ଟ୍ସାର୍ଟ ଓ ଛାତ୍ରୀମାନେ କ୍ରିମ୍ ରଙ୍ଗର ଶାଢ଼ି ସହ ଜିଏମ୍ୟୁ ଲୋଗୋ ଥିବା ସମ୍ବଲପୁରୀ ଉତ୍ତରୀୟ ଧାରଣ କରିବେ। ମଞ୍ଚାସୀନ ଅତିଥିମାନେ ସମ୍ବଲପୁରୀ ଉତ୍ତରୀୟ ପରିଧାନ କରିବେ ବୋଲି ବିଶ୍ବବିଦ୍ୟାଳୟର ଉପ କୁଳସଚିବ ଡ. ଉମାଚରଣ ପତି କହିଛନ୍ତି। ମୋଟ ଉପରେ ୪୬୩୨ ପିଲାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଜିଏମ୍ୟୁର କୁଳସଚିବ ଯୁଗଳେଶ୍ବରୀ ଦାଶ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/17-9.jpg)