ହୀରାକୁଦ ବନ୍ଧର ୬୫ତମ ପ୍ରତିଷ୍ଠା ଦିବସ ଆଜି: ଏବେ ବି କ୍ଷତିପୂରଣ ଅପେକ୍ଷାରେ ବାସ୍ତୁହରା ପରିବାର

ସମ୍ବଲପୁର: ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖ ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାର ଶିଳାନ୍ୟାସ ହୋଇଥିଲା। ୧୯୪୮ ଏପ୍ରିଲ୍‌ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଜବାହାର‌୍‌ଲାଲ୍‌ ନେହରୁ କ˚କ୍ରିଟ୍‌ କାମର ଶୁଭ ଦେଇଥିଲେ। ୧୯୫୭ ମସିହା ଜାନୁଆରି ୧୩ ତାରିଖରେ ଉଦ୍‌ଘାଟିତ ହୋଇଥିଲା ପୃଥିବୀର ଏହି ଦୀର୍ଘତମ ମାଟିବନ୍ଧ। ହୀରାକୁଦ ବନ୍ଧ ପ୍ରତିଷ୍ଠାକୁ ଇତି ମଧ୍ୟରେ ୬୪ ବର୍ଷ ପୂରିଛି। ବୁଧବାର ଏହାର ୬୫ତମ ପ୍ରତିଷ୍ଠା ଦିବସ। ତେବେ ହୀରାକୁଦ ପାଇଁ ଭିଟା ମାଟି ହରାଇବାର ୭୦ ବର୍ଷ ପୂରିବାକୁ ବସିଥିଲା ବେଳେ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନାହାନ୍ତି ଅଧିକାଂଶ ପରିବାର।

ବାସ୍ତୁହରା ଲୋକଙ୍କୁ ଡିହ ଖଣ୍ଡେ ଜୁଟି ନାହିଁ କି କ୍ଷତିପୂରଣ ଟଙ୍କାଏ ବି ମିଳିନାହିଁ। ଏହି ବନ୍ଧ ନିର୍ମାଣ ଓ ଜଳଭଣ୍ଡାରର ବିସ୍ତାର କାରଣରୁ ୨୧୮ ଗାଁ ପାଣିରେ ବୁଡ଼ିଥିଲାବେଳେ ୨୨ ହଜାର ପରିବାର ଉଦ୍‌ବାସ୍ତୁ ହୋଇଥିଲେ, ୨୦୦ରୁ ଅଧିକ ମଠ ମନ୍ଦିର ନିଜ ଅସ୍ତିତ୍ବ ହରାଇଥିଲା ବୋଲି ରେକର୍ଡ କହେ। କିନ୍ତୁ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତଥ୍ୟ ଅନୁଯାୟୀ ହୀରାକୁଦ ପାଇଁ ୩୬୯ଟି ଗାଁ ଓ ୧.୫ ଲକ୍ଷ ଏକର ଜମି ବୁଡ଼ିଥିଲା। ୨୬୫୦୧ ପରିବାର ବିସ୍ଥାପିତ ହୋଇଥିଲେ। ବର୍ତ୍ତମାନ ଉକ୍ତ ପରିବାର ଗୁଡ଼ିକ ବିଭାଜିତ ହୋଇ ଏକ ଲକ୍ଷ ପରିବାର ହେଲେଣି। ବିସ୍ଥାପିତଙ୍କ ଲମ୍ବା ଲଢ଼େଇ ପରେ ପ୍ରତି ପରିବାରକୁ ୧୦ ଡିସିମିଲ୍ ଘର ଡିହ ‌େଯାଗାଇ ଦେବାକୁ ୨୦୦୨ରେ ନିର୍ଦ୍ଦେଶ ହୋଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ମାତ୍ର ୨ ହଜାର ପରିବାରକୁ ଘରଡିହ ମିଳିଥିବା ସରକାରୀ ତଥ୍ୟରୁ ଜଣା ପଡ଼ିଛି। ସମସ୍ତ ଯୋଗ୍ୟ ପରିବାରଙ୍କୁ ୧୦ ଡିସିମିଲ୍ ଘର ଡିହ ଓ ୩୪ଟି ରାଜସ୍ବ ଗ୍ରାମ ଘୋଷଣା ପାଇଁ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଲଖନପୁର ଓ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ସମ୍ବଲପୁର ଦାବି କରି ଆସୁଛି। କିନ୍ତୁ ଏହି ଦାବି ପୂରଣ କରିବା ପାଇଁ ସରକାରଙ୍କ ନିକଟରେ ଆବଶ୍ୟକ ତଥ୍ୟ ନାହିଁ। ହୀରାକୁଦରୁ ତଡ଼ା ଖାଇଥିବା ଲକ୍ଷାଧିକ ଲୋକ କିଏ କେଉଁଠିକୁ ଗଲେ, କେଉଁଠି ରହିଲେ, ବଞ୍ଚିଲେ ନା ମଲେ ତାର ହିସାବ କେହି ରଖି ନାହାନ୍ତି। ସେ ସମୟର ଅଧିକାଂଶ ଲୋକ ମରି ହଜି ଯାଇଥିବା ବେଳେ ସେମାନଙ୍କ ଉତ୍ତର ପିଢ଼ିକୁ ଆଉ ଚିହ୍ନିବ କିଏ? ପ୍ରତି ବର୍ଷ ସରକାର ବିଦେଶରୁ ଆସୁଥିବ ପକ୍ଷୀ, ବାଘ, ହାତୀ, କୁମ୍ଭୀର, ଡଲ୍‌ଫିନ୍ ଗଣନା କରୁଥିଲାବେଳେ ଆଜି ପର୍ଯ୍ୟନ୍ତ ହୀରାକୁଦରୁ ବିସ୍ଥାପିତ ଲୋକଙ୍କ ଗଣନା କରିପାରୁ ନାହାନ୍ତି କାହିଁକି ବୋଲି ବିସ୍ଥାପିତ କଲ୍ୟାଣ ସମିତିର ସଭାପତି ଶୈଳବାଳା ପ୍ରଧାନ ପ୍ରଶ୍ନ କରିଛନ୍ତି।
କିନ୍ତୁ ଥରେ ବିସ୍ଥାପନର ଦୁଃଖ ଭୋଗିଥିବା ହୀରାକୁଦ ବାସ୍ତୁହରା ଓ ସେମାନଙ୍କ ପରବର୍ତ୍ତୀ ପିଢ଼ିକୁ ବାରମ୍ବାର ଭିଟାମାଟି ହରାଇବାର ଯାତନା ସହିବାକୁ ପଡ଼ୁଛି। ବୁଡ଼ି ଅଞ୍ଚଳରୁ ବିତାଡ଼ିତ ହେବା ପରେ ଏହି ଲୋକମାନେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ଯାଇ ବସତି ସ୍ଥାପନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକଳ୍ପ ପାଇଁ ସେମାନଙ୍କୁ ପୁଣି ଉଚ୍ଛେଦ ହେବାକୁ ପଡ଼ିଛି। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ମୂଳ ଖିଣ୍ଡା ଗ୍ରାମ ହୀରାକୁଦ ନିର୍ମାଣ ବେଳେ ପାଣିରେ ବୁଡ଼ି ଯାଇଥିଲା। ସେଠାକାର ଲୋକେ ଜଳଭଣ୍ଡାର କୂଳରେ ପୁନଃବସତି ସ୍ଥାପନ କରିଥିଲେ ଓ ତାହା ଖିଣ୍ଡା ଗାଁ ଭାବେ ସ୍ବୀକୃତି ପାଇଥିଲା। ଉକ୍ତ ଖିଣ୍ଡା ଗାଁ ସମେତ ତଲାବିରା, ବୁଧିଆପାଲି, ରାମପୁର ପତ୍ରାପାଲି ଆଦି ଗାଁର ଲୋକେ ଏବେ ଏନ୍‌ଏଲ୍‌ସି କୋଇଲା ଖଣି କାରଣରୁ ପୁନଃଉଚ୍ଛେଦ ଦୁଃଖ ଭୋଗିବାକୁ ଯାଉଛନ୍ତି। ସେହିପରି ହୀରାକୁଦ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ ପାଇଁ ହୀରାକୁଦ ସହର ଆଖପାଖ ଏକାଧିକ ଗାଁର ଶତାଧିକ ବୁଡ଼ି ଅଞ୍ଚଳରୁ ଆସିଥିବା ପରିବାର ପୁଣି ଥରେ ବିସ୍ଥାପିତ ହେବେ।
ଏହା ବ୍ୟତୀତ ବନହରପାଲିରେ ଇବ୍‌ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ବେ‌େଳ ଫଲସାମୁଣ୍ଡା, ଅଢ଼ାପଡ଼ା, ଭୂଷଣ ଓ ଶ୍ୟାମ୍‌ ମେଟାଲିକ୍ସ କାରଖାନା ପାଇଁ ଖିଣ୍ଡା, ଲପଙ୍ଗା, ଖଡ଼ିଆପାଲି, ପଣ୍ଡଲୋଇ, ନିଶାନଭଙ୍ଗା, ଏମ୍‌ସିଏଲ୍‌ର କୋଇଲା ଖଣି ପାଇଁ କୁଡ଼ାଲୋଇ, ତିନିସମାଲ, ଖୁଣ୍ଟମହୁଲ ଆଦି ବହୁ ଗାଁରେ ରହୁଥିବା ବିସ୍ଥାପିତ ପୁନଃ ବାସଚ୍ୟୁତ ହୋଇଥିଲେ। ପ୍ରଥମ ବିସ୍ଥାପନ ବେଳେ ଲାଗିଥିବା କ୍ଷତ ଶୁଖି ନଥିଲାବେଳେ ପୁନଃଉଚ୍ଛେଦ ଏସବୁ ଅଭିଶପ୍ତ ପରିବାର ମାନଙ୍କ ଗୋଟିଏ ପରେ ଗୋଟିଏ ପିଢ଼ିର ଭାଗ୍ୟ ଓ ଭବିଷ୍ୟତକୁ ଅନ୍ଧକାର ଓ ଅନିଶ୍ଚିତତା ଭିତରକୁ ଠେଲିଦେଇଛି।

ସମ୍ବନ୍ଧିତ ଖବର