ସମ୍ବଲପୁର : ହୀରାକୁଦ ବନ୍ଧ ନିର୍ମାଣ ବେଳେ ହୋଇଥିବା ବିସ୍ଥାପନ ଗତ ଶତାବ୍ଦୀର ସର୍ବବୃହତ ମାନବୀୟ ବିପତ୍ତି ଥିଲା। ଦେଶ ବିଭାଜନ ସମୟରେ ହୋଇଥିବା ମାନବୀୟ ସଂକଟ ସହ ଏହା ତୁଳନୀୟ। ହେଲେ ସରକାରଙ୍କ ଦ୍ବାରା ସୃଷ୍ଟ ଏହି ବିପର୍ଯ୍ୟୟର ଶିକାର ଲୋକଙ୍କ କ୍ଷତରେ ମଲମ ଲଗାଇବା ପାଇଁ ପରବର୍ତ୍ତୀ ସମୟରେ ବ୍ୟବସ୍ଥା ଦ୍ବାରା କୌଣସି ପ୍ରୟାସ କରାଗଲା ନାହିଁ। ଲକ୍ଷଲକ୍ଷ ବାସ୍ତୁହରା ଲୋକ ଓ ତାଙ୍କ ଉତ୍ତର ପିଢ଼ି ଅନ୍ୟାୟର ଶିକାର ହୋଇ ଚାଲିଲେ। କିନ୍ତୁ ସେମାନଙ୍କୁ କ୍ଷତିପୂରଣ ଦେବାର ଦାୟିତ୍ବକୁ ସରକାର ଫାଙ୍କି ଚାଲିଲେ। ହୀରାକୁଦ ବନ୍ଧର ଆୟୂଷ ଆଉ ମାତ୍ର ୩୫ ବର୍ଷ ଥିବାବେଳେ ଏଥି ପାଇଁ ବଳିଦାନ ଦେଇଥିବା ଲୋକଙ୍କୁ ନ୍ୟାୟ ଦିଆଯାଉ। ଓଡ଼ିଶା ଓ ଛତିଶଗଡ଼ ସରକାରର ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିସନ୍‌ଙ୍କ ନିକଟରେ ଦାଖଲ ସତ୍ୟପାଠର ଜବାବରେ ଏଭଳି ଉତ୍ତର ରଖିଛନ୍ତି ହୀରାକୁଦ ବିସ୍ଥାପିତଙ୍କ ପାଇଁ ଲଢ଼େଇ ଜାରି ରଖିଥିବା ସୁପ୍ରିମ୍ କୋର୍ଟର ଆଇନ୍‌ଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ।

Advertisment

ଆମେ ସବୁ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେଇ ସାରିଛୁ, ଆମ ନିକଟରେ ଆଉ କୌଣସି ବକେୟା ମାମଲା ନାହିଁ ବୋଲି ଓଡ଼ିଶାର ମୁଖ୍ୟ ସଚିବ ଦାଖଲ କରିଥିବା ରିପୋର୍ଟ ତଥା ଛତିଶଗ‌ଡ଼ରେ ସେଭଳି କେହି କ୍ଷତିପୂରଣରୁ ବଞ୍ଚିତ ବିସ୍ଥାପିତ ନଥିବା ନେଇ ଛତିଶଗଡ଼ ମୁଖ୍ୟ ସଚିବଙ୍କ ରିପୋର୍ଟର ଉତ୍ତରରେ ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଉପରୋକ୍ତ ଉତ୍ତର ଦାଖଲ କରିଛନ୍ତି।

publive-image Dr. HAREKRUSHNA MAHTAB

୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖ ହୀରାକୁଦ ବହୁମୁଖୀ ନଦୀ ବନ୍ଧ ଯୋଜନାର ଶିଳାନ୍ୟାସ ହୋଇଥିଲା। ୧୯୪୮ ଏପ୍ରିଲ୍‌ ୧୨ ତାରିଖରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାର‌୍‌ଲାଲ୍‌ ନେହରୁ କ˚କ୍ରିଟ୍‌ କାମର ଶୁଭ ଦେଇଥିଲେ। ୧୯୫୭ ମସିହା ଜାନୁଆରି ୧୩ ତାରିଖରେ ଉଦ୍‌ଘାଟିତ ହୋଇଥିଲା ପୃଥିବୀର ଏହି ଦୀର୍ଘତମ ମାଟିବନ୍ଧ। ହୀରାକୁଦ ବନ୍ଧ ପ୍ରତିଷ୍ଠାକୁ ଇତି ମଧ୍ୟରେ ୬୫ ବର୍ଷ ପୂରିଛି। ଗୁରୁବାର ଏହାର ୬୬ତମ ପ୍ରତିଷ୍ଠା ଦିବସ। ତେବେ ହୀରାକୁଦ ପାଇଁ ଭିଟା ମାଟି ହରାଇବାର ୭୦ ବର୍ଷ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନାହାନ୍ତି ଅଧିକାଂଶ ପରିବାର। ବାସ୍ତୁହରା ଲୋକଙ୍କୁ ଡିହ ଖଣ୍ଡେ ଜୁଟି ନାହିଁ କି କ୍ଷତିପୂରଣ ଟଙ୍କାଏ ବି ମିଳି ନାହିଁ। ଏହି ବନ୍ଧ ନିର୍ମାଣ ଓ ଜଳଭଣ୍ଡାରର ବିସ୍ତାର କାରଣରୁ ୨୧୮ ଗାଁ ପାଣିରେ ବୁଡ଼ିଥିଲାବେଳେ ୨୨ ହଜାର ପରିବାର ଉଦ୍‌ବାସ୍ତୁ ହୋଇଥିଲେ, ୨୦୦ରୁ ଅଧିକ ମଠ ମନ୍ଦିର ନିଜ ଅସ୍ତିତ୍ବ ହରାଇଥିଲା ବୋଲି ରେକର୍ଡ କହେ। କିନ୍ତୁ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତଥ୍ୟ ଅନୁଯାୟୀ ହୀରାକୁଦ ପାଇଁ ୩୬୯ଟି ଗାଁ ଓ ୧.୫ ଲକ୍ଷ ଏକର ଜମି ବୁଡ଼ିଥିଲା। ୨୬୫୦୧ ପରିବାର ବିସ୍ଥାପିତ ହୋଇଥିଲେ। ବର୍ତ୍ତମାନ ଉକ୍ତ ପରିବାର ଗୁଡ଼ିକ ବିଭାଜିତ ହୋଇ ଏକ ଲକ୍ଷ ପରିବାର ହେଲେଣି। ବିସ୍ଥାପିତଙ୍କ ଲମ୍ବା ଲଢ଼େଇ ପରେ ପ୍ରତି ପରିବାରକୁ ୧୦ ଡିସିମିଲ୍ ଘର ଡିହ ‌ଯୋଗାଇ ଦେବାକୁ ୨୦୦୨ରେ ନିର୍ଦ୍ଦେଶ ହୋଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ମାତ୍ର ୨ ହଜାର ପରିବାରକୁ ଘରଡିହ ମିଳିଥିବା ସରକାରୀ ତଥ୍ୟରୁ ଜଣା ପଡ଼ିଛି।

publive-image The New Indian Express

ସମସ୍ତ ଯୋଗ୍ୟ ପରିବାରଙ୍କୁ ୧୦ ଡିସିମିଲ୍ ଘର ଡିହ ଓ ୩୪ଟି ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିସ୍ଥାପିତଙ୍କ ପାଇଁ ଲଢ଼େଇ କରି ଆସୁଥିବା ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଲଖନପୁର ଓ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ସମ୍ବଲପୁର ଦାବି କରି ଆସୁଛି। କିନ୍ତୁ ଏହି ଦାବି ପୂରଣ କରିବା ପାଇଁ ଆବଶ୍ୟକ ତଥ୍ୟ ନଥିବା ସରକାର କହୁଛନ୍ତି। ହୀରାକୁଦରୁ ତଡ଼ା ଖାଇଥିବା ଲକ୍ଷାଧିକ ଲୋକ କିଏ କେଉଁଠିକୁ ଗଲେ, କେଉଁଠି ରହିଲେ, ବଞ୍ଚିଲେ ନା ମଲେ ତା’ର ହିସାବ କେହି ରଖି ନାହାନ୍ତି। ସେ ସମୟର ଅଧିକାଂଶ ଲୋକ ମରି ହଜି ଯାଇଥିବା ବେଳେ ସେମାନଙ୍କ ଉତ୍ତର ପିଢ଼ିକୁ ଆଉ ଚିହ୍ନିବ କିଏ? ପ୍ରତି ବର୍ଷ ସରକାର ବିଦେଶରୁ ଆସୁଥିବ ପକ୍ଷୀ, ବାଘ, ହାତୀ, କୁମ୍ଭୀର, ଡଲ୍‌ଫିନ୍ ଗଣନା କରୁଥିଲାବେଳେ ଆଜି ପର୍ଯ୍ୟନ୍ତ ହୀରାକୁଦରୁ ବିସ୍ଥାପିତ ଲୋକଙ୍କ ଗଣନା କରିପାରୁ ନାହାନ୍ତି କାହିଁକି ବୋଲି ବିସ୍ଥାପିତ କଲ୍ୟାଣ ସମିତିର ସଭାପତି ଶୈଳବାଳା ପ୍ରଧାନ ପ୍ରଶ୍ନ କରିଛନ୍ତି। ନିକଟରେ ଝାରସୁଗୁଡ଼ା ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ୨ ହଜାର ହୀରାକୁଦ ବିସ୍ଥାପିତଙ୍କୁ ୧୦ ଡିସିମିଲ୍ ଲେଖାଏଁ ଜମି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ଯାହା ସ୍ବାଗତଯୋଗ୍ୟ। କିନ୍ତୁ ଜିଲ୍ଲା ଓ ତହସିଲସ୍ତରରେ ଆନ୍ତରିକତାର ଅଭାବ କାରଣରୁ ଏହା ଠିକ୍‌ରେ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ବୋଲି ଶ୍ରୀମତୀ ପ୍ରଧାନ ଆଶଂକା ବ୍ୟକ୍ତ କରିଛନ୍ତି।

ହୀରାକୁଦ ବନ୍ଧ ନିର୍ମାଣ ବେଳେ ଅଧିଗ୍ରହଣ କରାଯାଇଥିବା ବହୁ ପରିମାଣର ଜମି ପରବର୍ତ୍ତୀ ସମୟରେ ବଳକା ରହି ଯାଇଥିଲା। ତାହା ଜଳଭଣ୍ଡାର ପରିସର ବାହାରେ ରହିବାରୁ ସଂପୃକ୍ତ ଚାଷୀ ମାନେ ସେଠାରେ ଚାଷ କରି ଆସୁଛନ୍ତି। ହେଲେ ଚାଷ କରୁଥିଲେ ବି ସେମାନଙ୍କୁ ଚାଷୀର ପରିଚୟ ମିଳି ନାହିଁ। ଉକ୍ତ ଜମିରୁ ଉତ୍ପାଦିତ ଧାନ ସେମାନେ ସରକାରଙ୍କୁ ବିକ୍ରି କରିବାକୁ ଅଧିକୃତ ନୁହନ୍ତି। ସେହି ଚାଷୀ ମାନଙ୍କୁ ହୀରାକୁଦ ନିର୍ମାଣ ୭ ଦଶନ୍ଧି ପରେ ବି ଚାଷୀ ପରିଚୟ ପତ୍ର ବା ନିଜ ଜମିର ପଟ୍ଟା ମିଳିପାରି ନାହିଁ। ଏହା ଉପରେ ବି ରାଜ୍ୟ ସରକାର ଓ ସଂପୃକ୍ତ ଜିଲ୍ଲା ପ୍ରଶାସନ ମାନେ ଧ୍ୟାନ ଦିଅନ୍ତୁ ବୋଲି ଦାବି ହୋଇଛି।