ସମ୍ବଲପୁର : ହୀରାକୁଦ ବନ୍ଧ ପ୍ରତିଷ୍ଠାକୁ ୬୬ ବର୍ଷ ପୂରିଛି। ଶୁକ୍ରବାର ବିଶ୍ବର ଏହି ଦୀର୍ଘତମ ବନ୍ଧ ନିଜର ୬୭ତମ ପ୍ରତିଷ୍ଠା ଦିବସ ପାଳନ କରିବ। ସଂପ୍ରତି ଓଡ଼ିଶା ସରକାରଙ୍କ ପାଇଁ ହୁଏତ ଏହା ଗୌଣ ହୋଇ ଯାଇଥିବ, ହେଲେ ଏହି ବନ୍ଧ ପାଇଁ ନିଜର ସବୁକିଛି ହରାଇଥିବା ବିସ୍ଥାପିତମାନେ କିନ୍ତୁ ଏହି ଦିନଟିକୁ ନିଜ ମନରୁ କାଢ଼ିପାରୁ ନାହାନ୍ତି। ଇତି ମଧ୍ୟରେ ଏହି ବନ୍ଧର ସ୍ଥାୟୀତ୍ବ, ସୁରକ୍ଷା ଓ ଉପଯୋଗିତାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି। ହୀରାକୁଦ ନଦୀବନ୍ଧ ଆଉ କେତୋଟି ପ୍ରତିଷ୍ଠା ଦିବସ ପାଳନ କରିବ ତାହା ତ’ ସମୟ କହିବ, ହେଲେ ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ପରିବାରଙ୍କ ପିଢ଼ି ପରେ ପିଢ଼ି ଲୋକଙ୍କ ଆଖିରୁ ବୋହି ଆସୁଥିବା ଲୁହର ଧାର କେବେ ଶୁଖିବ ତା’ର ଉତ୍ତର କାହାରି ପାଖରେ ନାହିଁ।

Advertisment

ରାଜ୍ୟ ତଥା ଦେଶର ସ୍ବାର୍ଥ ପାଇଁ ନିଜର ଭିଟାମାଟି ଛାଡ଼ିଥିବା ଏହି ବିସ୍ଥାପିତମାନେ ଏବେ ‌ବି ସେମାନଙ୍କ ଜମି, ଘର, ବାସନକୁସନର କ୍ଷତିପୂରଣ ପାଇଁ ସଂଘର୍ଷ କରୁଛନ୍ତି। ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଲଖନପୁର ଏବଂ ହୀରାକୁଦ ବିସ୍ଥାପିତ ସୁରକ୍ଷା ସମିତି ସମ୍ବଲପୁର ନାମରେ ୨ଟି ସଂଗଠନ ହୀରାକୁଦ ଉଦ୍‌ବାସ୍ତୁଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିଛି। ଏହା ବ୍ୟତୀତ ଆଇନ୍‌ଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ମଧ୍ୟ ଏହି ବିସ୍ଥାପିତଙ୍କ ସ୍ବାର୍ଥ ପାଇଁ ଅଦଲାତ ଓ ଜାତୀୟ ମାନବାଧିକାର ଆୟୋଗରେ ସଂଗ୍ରାମ କରୁଛନ୍ତି। ହେଲେ ସରକାରୀ ଉଦାସୀନତା ଏହି ଲମ୍ବା ଲଢ଼େଇକୁ ଆହୁରି ଲମ୍ବେଇ ଚାଲିଛି। ବର୍ଷବର୍ଷ ଧରି ବିଭିନ୍ନ ତହସିଲଦାର, ଜିଲ୍ଲାପାଳ, ଉତ୍ତରାଞ୍ଚଳ ରାଜସ୍ବ ଆ‌ୟୁକ୍ତଙ୍କଠାରୁ ଆରମ୍ଭ କରି ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ, ଆର୍‌ଆଇ ଅଫିସ୍‌ଠୁ ଆରମ୍ଭ କରି ସୁପ୍ରିମ୍‌ କୋର୍ଟଙ୍କ ପର୍ଯ୍ୟନ୍ତ ବାରଦୁଆର ଦୌଡ଼ି ଦୌଡ଼ି ଏମାନେ ନୟାନ୍ତ ହେଉଛନ୍ତି। ନିୟମିତ ଦାବିପତ୍ର ପ୍ରଦାନ, ବିକ୍ଷୋଭ, ଧାରଣା, ଅନଶନ ଆଦି କାର୍ଯ୍ୟକ୍ରମ ଜାରି ରହିଛି। ହେଲେ ଏବେ ବି ଅଧିକାଂଶ ପାଣିରେ ବୁଡ଼ି ଯାଇଥିବା ନିଜ ଘର, ବାଡ଼ି, କ୍ଷେତ, ଖଳା ବଦଳରେ ଘର କରିବାକୁ ଅନତ୍ର ଜମି ଖଣ୍ଡେ ପାଇ ନାହାନ୍ତି।

publive-image

ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ତଥ୍ୟ ଅନୁଯାୟୀ ୧୩ ଜାନୁଆରି ୧୯୫୭ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଦ୍ବାରା ଉଦ୍‌ଘାଟିତ ହୀରାକୁଦ ନଦୀବନ୍ଧ ଦ୍ବାରା ସୃଷ୍ଟ ୭୬୦ ବର୍ଗ କିଲୋମିଟର୍‌ର ବିସ୍ତୃତ ଜଳଭଣ୍ଡାର କାରଣରୁ ୨୬,୫୦୧ ପରିବାର ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ହଜାର ପରିବାରଙ୍କୁ ତାଙ୍କ ଭିଟାମାଟିରୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ହେଲେ ମାତ୍ର ୨୨୪୩ଟି ପରିବାରଙ୍କୁ ୧୭ଟି ପୁନର୍ବାସ ଶିବିରରେ ଥଇଥାନ କରା ଯାଇଥିଲା। ଅନ୍ୟ ପରିବାରମାନେ ଖାଦ୍ୟ, ଆଶ୍ରୟ ଓ କାମର ଅନୁସଂଧାନରେ ଏଣେତେଣେ ବିକ୍ଷିପ୍ତ ହୋଇଗଲେ। ସେତେବେଳେ ବିସ୍ଥାପିତଙ୍କୁ ଥଇଥାନ ଓ କ୍ଷତିପୂରଣ ପାଇଁ ନା’ କୌଣସି ଉପଯୁକ୍ତ ଆଇନ୍‌ ଥିଲା ନା’ ଅଭିଯୋଗ ଶୁଣିବା ପାଇଁ ମାନବାଧିକାର ଆୟୋଗ ଭଳି କୌଣସି ଅନୁଷ୍ଠାନ ଉପଲବ୍‌ଧ ଥିଲା। ତେଣୁ ନିଜ ହକ୍ ମାଗିବାକୁ ସେମାନଙ୍କ ପାଖରେ ବିଶେଷ ସୁଯୋଗ ନଥିଲା। ପରବର୍ତ୍ତୀ ସମୟରେ ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି, ୧୦ ଡିସିମିଲ୍ ଜମି ଆଦି ଦେବାକୁ ବିଭିନ୍ନ ପର୍ଯ୍ୟାୟରେ ଆଦେଶ ହୋଇଛି। କିନ୍ତୁ ସରକାରୀ ବାବୁମାନଙ୍କ ଉଦାସୀନତା କାରଣରୁ ତାହା ଆଦେଶରେ ହିଁ ରହିଯାଇଛି। ପାଳିତ ହୋଇ ନାହିଁ। ନିକଟରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲ୍ଲାର ୨ ହଜାର ବିସ୍ଥାପିତ ପରିବାରଙ୍କୁ ଗୃହ ନିର୍ମାଣ ପାଇଁ ୧୦ ଡିସିମିଲ୍ ଲେଖାଏଁ ଜମି ଦେବେ‌ ବୋଲି ଘୋଷଣା କରିଥିଲେ। ହେଲେ ବିସ୍ଥାପିତମାନେ ଉକ୍ତ ପ୍ରତିଶ୍ରୁତି କେବେ ପାଳନ ହେବ ଅପେକ୍ଷା କରି ରହିଛନ୍ତି।

ଶୁକ୍ରବାର ପ୍ରତିଷ୍ଠା ଦିବସ ଅବସରରେ ଏହି ବିସ୍ଥାପିତ ପରିବାରମାନେ ଏଠାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଆର୍‌ଡିସିଙ୍କ ଆବାସିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ ବୋଲି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ସଭାପତି ଶୈଳବାଳା ପ୍ରଧାନ ଜଣାଇଛନ୍ତି। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ୧୦ ଡିସିମିଲ୍ ଜମିପଟ୍ଟା ପ୍ରଦାନ, ପୂର୍ବରୁ ଯେଉଁମାନଙ୍କୁ ଜମି ଦିଆଯାଇଛି ତାହା ଚିହ୍ନଟ କରି ଦଖଲ ଦେବା, ଜାତୀୟ ମାନବାଧିକାର ଆୟୋଗ ପୂର୍ବରୁ ଦେଇଥିବା ଆଦେଶର ପାଳନ କରିବା, ବିସ୍ଥାପିତ ପରିବାରଙ୍କୁ ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରିବା, ଜମି ପ୍ରଦାନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଲଖନପୁର ତହସିଲ କାର୍ଯ୍ୟାଳୟରେ ୩ ଜଣ ଅତିରିକ୍ତ ତହସିଲଦାର ଓ ୫ ଜଣ ଅମଲା ନିଯୁକ୍ତ କରିବା ଇତ୍ୟାଦି। ଏହି ଦାବି ସମ୍ବଳିତ ଦାବିପତ୍ର ସେମାନେ ଆର୍‌ଡିସିଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀମତୀ ପ୍ରଧାନ ଜଣାଇଛନ୍ତି।