ଆଜି ବୈତରଣୀ ବଞ୍ଚାଅ ସମ୍ମିଳନୀ: ବୈତରଣୀକୁ ଶୁଷ୍କ କରିବା ପାଇଁ ଷଡ଼୍‌ଯନ୍ତ୍ର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଗୋନାସିକାରୁ ବାହାରିଥିବା ବୈତରଣୀ ନଦୀ କେନ୍ଦୁଝର ସମେତ ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଜିଲ୍ଲାର ଜୀବନରେଖା। ଓଡ଼ିଶାର ଗଙ୍ଗା କୁହାଯାଉଥିବା ବୈତରଣୀକୁ ଶୁଷ୍କ କରିବା ପାଇଁ ରଚାଯାଇଛି ବିରାଟ ଷଡ଼୍‌ଯନ୍ତ୍ର। ଏହାର ମୁକାବିଲା ପାଇଁ ପୁଣି ଏକ ଆନ୍ଦୋଳନ ମୁଣ୍ଡ ଟେକୁଛି। ବୈତରଣୀ ବଞ୍ଚାଅ ସମ୍ମିଳନୀ ନାମରେ ଆଜି ଏକାଠି ହେଉଛନ୍ତି ବିଭିନ୍ନ ଜିଲ୍ଲାର ଲୋକ।

କେନ୍ଦୁଝର ଜିଲ୍ଲାରୁ ବାହାରିଥିବା ବୈତରଣୀ ନଦୀରେ ଜିଲ୍ଲାର ଏକାଧିକ ଉପନଦୀ ମିଶିଛନ୍ତି। ଉପର ମୁଣ୍ଡରେ ସୁନା, ମଲଦା, ଜଳପା, ରାଣୀମା ଭଳି ଉପନଦୀ ମିଶିଥିବା ବେଳେ ତଳମୁଣ୍ଡରେ କଙ୍ଗିରା, ମାଛକାନ୍ଦଣା, ଅରଡ଼େଇ, କାନଝାରୀ, ସୀତା, କୁକୁରକଟା, ମୂଷଳ, କୁଶେଇ, ଖଇରିଭଣ୍ଡନ, ଦେଓ, ତେଲ, ସିମିସିମି, ସାଳନ୍ଦୀ, କୁନ୍ଦୁର, ଧୋବାପିଟା, ଟମକାଯୋଡ଼ି, ଶଗଡ଼ିଆ, ଚାଟୁରି, କଣ୍ଟାମୂଳି, ମେର୍ମେନ୍ଦା, ଜହ୍ନେଇ, ନେଉଳଜୋରି, ମୁହାଁଣ, ସିମିଳି, ତଣ୍ଡିଯୋଡ଼ା, ଭାଲୁଘର, ଦଲକି ଭଳି ୨୦ରୁ ଅଧିକ ଉପନଦୀ ମିଶି ବୈତରଣୀକୁ ସମୃଦ୍ଧ କରିଛନ୍ତି। ବୈତରଣୀ ବର୍ଷାଦିନେ ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ ଖରାଦିନେ ପାଦ ବୁଡ଼ାଇବାକୁ ପାଣି ମିଳୁନି। ବୈତରଣୀ ବିପଦ‌ରେ ପଡ଼ିବାର ଏକାଧିକ କାରଣ ମଧ୍ୟରୁ ଦୁଇଟି ପ୍ରମୁଖ କାରଣ ହେଲା ଏହାର କୂଳରେ ଥିବା ଏକାଧିକ ଖଣି ଓ ଶିଳ୍ପସଂସ୍ଥା ମନଇଚ୍ଛା ପାଣି ଶୋଷୁଛନ୍ତି। ଦ୍ବିତୀୟ କାରଣ ହେଲା ନଦୀର ଉପରମୁଣ୍ଡରୁ ଯେତିକି ପାଣି ଆସୁଛି ତାହାକୁ ସଂରକ୍ଷିତ କରି ରଖାଯାଉ ନାହିଁ। ଯେଉଁଥିପାଇଁ ବୈତରଣୀରେ କେବଳ ବର୍ଷାଦିନକୁ ଛାଡ଼ିଦେଲେ ଶୀତଦିନଠାରୁ ନଦୀ ଶୁଖିବା ଆରମ୍ଭ ହୋଇଥାଏ। ବୈତରଣୀର ଉପରମୁଣ୍ଡରୁ ଦୁଇଟି ଉପାୟରେ ଶତାଧିକ ଶିଳ୍ପସଂସ୍ଥା ଜଳ ସଂଗ୍ରହ କରୁଛନ୍ତି। କିଛି ଶିଳ୍ପସଂସ୍ଥା ସିଧାସଳଖ ନଦୀରେ ଇନ୍‌ଟେକ୍‌ ୱେଲ୍‌ ନିର୍ମା‌ଣ କରି ଜଳ ସଂଗ୍ରହ କରୁଥିବା ବେଳେ ଆଉକିଛି ଗଭୀର ନଳକୂପ ଖନନ କରି ଜଳ ସଂଗ୍ରହ କରୁଛନ୍ତି।

କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ସୂଚନା ଅନୁସାରେ, କେନ୍ଦୁଝରରେ ୮୧ଟି ଶିଳ୍ପସଂସ୍ଥା ଗଭୀର ନଳକୂପ ଖୋଳି ନଦୀରୁ ଜଳ ସଂଗ୍ରହଣ କରିବା ପାଇଁ ଅନୁମତି ପାଇଛନ୍ତି। ବୈତରଣୀ କୂଳ‌ରେ ଥିବା ଏସବୁ ଶିଳ୍ପସଂସ୍ଥାଗୁଡ଼ିକ ବ୍ୟାପକ ପରିମାଣରେ ଭୂତଳ ଜଳ ସଂଗ୍ରହ କରିବା ଦ୍ବାରା ବୈତରଣୀ ସିଧାସଳଖ ପ୍ରଭାବିତ ହେଉଛି। ଏହାଛଡ଼ା କିଛିବର୍ଷ ତଳେ ହାତଗଣତି କିଛି ଶିଳ୍ପସଂସ୍ଥା ସ୍ଲରି ପାଇପ୍‌ଲାଇନ୍‌ ଯୋଗେ ନିଜର ଲୁହାପଥର ଗୁଣ୍ଡ ପାରାଦୀପ ଏବଂ କଳିଙ୍ଗନଗରଠାରେ ଥିବା କମ୍ପାନିକୁ ପଠାଉଥିଲେ। ଏଥିପାଇଁ ସେମାନେ ବୈତରଣୀ ପାଣିକୁ ବ୍ୟବହାର କରୁଥିଲେ। ଏବେ ୪ରୁ ଊର୍ଦ୍ଧ୍ବ କମ୍ପାନି ନିଜର ସ୍ଲରି ପାଇପ୍‌ଲାଇନ୍‌ ନିର୍ମାଣ ଆରମ୍ଭ କଲେଣି। ସ୍ଲରି ପାଇପ୍‌ଲାଇନ୍‌ କାର୍ଯ୍ୟକ୍ଷମ ହେବା ଦ୍ବାରା ବୈତରଣୀର ବ୍ୟାପକ ଜଳକୁ ଶିଳ୍ପସଂସ୍ଥାମାନେ ଶୋଷି ନେବେ।

ଷଡ଼୍‌ଯନ୍ତ୍ରର ସମ୍ମୁଖୀନ ହୋଇଥିବା ବୈତରଣୀର ସୁରକ୍ଷା ପାଇଁ ଆଜି ବୈତରଣୀ ବଞ୍ଚାଅ ସମ୍ମିଳନୀ କେନ୍ଦୁଝରରେ ଆୟୋଜିତ ହେବ। ଏହି ସମ୍ମିଳନୀ ପୂର୍ବରୁ କେନ୍ଦୁଝର ସଂସ୍କୃତି ଭବନରେ ହେବ ବୋଲି ଚୂଡ଼ାନ୍ତ ହେଉଥିଲା। ହେଲେ ପରବର୍ତ୍ତୀ ସମୟରେ ସଂସ୍କୃତି ଭବନରେ କାର୍ଯ୍ୟକ୍ରମ ଆୟୋଜନ ଅନୁମତିକୁ ପ୍ରଶାସନ ରଦ୍ଦ କରିଦେବାରୁ ଏହା ରୋଟାରି ଭବନରେ ‌ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଭାରତୀୟ ପେନିନସୁଲାର ରିଭର ବେସିନ୍ କାଉନ୍‌ସିଲର ଆବାହକମଣ୍ଡଳୀ ସଦସ୍ୟ ଡ. ସ୍ନେହଲ ଡୁଣ୍ଡେଙ୍କ ଭଳି ବକ୍ତିତ୍ବ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ନଦୀଗୁଡ଼ିକର ସୁରକ୍ଷା ପାଇଁ ସରକାର ଏବଂ ସମାଜ ମିଳିତ ଆଗେଇ ନ ଆସିଲେ ଏସବୁ ମୃତନଦୀର ଆଖ୍ୟା ପାଇବେ। ଯଦି ଏପରି ହୁଏ ତେବେ ନଦୀ ଅବବାହିକାରେ ଥିବା ଜନଜୀବନ ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର