ଅର୍ଦ୍ଧେନ୍ଦୁଶେଖର ମହାନ୍ତି
ଆଠଗଡ଼: ଆସନ୍ତାକାଲି ବିଶିଷ୍ଟ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ତିରୋଧାନ ଦିବସ। ଆଠଗଡ଼ର ବିଧାୟକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀତ୍ବ କାଳରେ ଆଠଗଡ଼କୁ ସେ ଦେଇଥିଲେ ସ୍ବତନ୍ତ୍ର ପରିଚୟ। ହେଲେ, ଆଠଗଡ଼ରେ ତାଙ୍କ ସ୍ମୃତିରକ୍ଷା ପାଇଁ କାଣିଚାଏ ବି ଉଦ୍ୟମ ହୋଇନି। ସ୍ବାଧୀନତା ପରଠାରୁ ଗଡ଼ଜାତ ଅଞ୍ଚଳ ଆଠଗଡ଼ରେ ଅନେକ ରାଜନେତା ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି। କିନ୍ତୁ, ଅଶୀଦଶକରେ ହିଁ ଆଠଗଡ଼ ଅଞ୍ଚଳର ସାମୂହିକ ଉନ୍ନତି ଆରମ୍ଭ ହୋଇଥିଲା। ତତ୍କାଳୀନ ବିଧାୟକ ରସାନନ୍ଦ ସାହୁଙ୍କ ଇସ୍ତଫା ପରେ ଅନୁଷ୍ଠିତ ଉପ-ନିର୍ବାଚନରେ ଆଠଗଡ଼ରୁ କଂଗ୍ରେସ ପ୍ରାର୍ଥୀ ରୂପେ ଜାନକୀବଲ୍ଲଭ ପଟ୍ଟନାୟକ ନିର୍ବାଚିତ ହୋଇ ୧୯୮୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଜାନକୀବଲ୍ଲଭଙ୍କ ନେତୃତ୍ୱରେ ଆଠଗଡ଼ରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆଠଗଡ଼ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଏଠାରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେ ଶୀତଳଭଣ୍ଡାର ନିର୍ମାଣ କରିଥିଲେ।
ଦୁଗ୍ଧଚାଷୀଙ୍କ ପାଇଁ ଓମ୍ଫେଡ୍ ଶୀତଳୀକରଣ ଭଣ୍ଡାର ନିର୍ମାଣ କରିଥିଲେ। ବିଭିନ୍ନ ଅଞ୍ଚଳକୁ ଗମନାଗମନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ, ମୁଣ୍ତଳୀ ସେତୁ ନିର୍ମାଣ ଯୋଗୁଁ ଆଠଗଡ଼ରୁ କଟକ ଓ ଭୁବନେଶ୍ୱରର ଦୂରତା କମିବା ସହ ସାଧାରଣ ଲୋକ ବିଶେଷ ଉପକୃତ ହେଉଛନ୍ତି। ଆଠଗଡ଼ରେ ବସ୍ଷ୍ଟାଣ୍ଡ ଓ ଅତ୍ୟାଧୁନିକ ଷ୍ଟାଡିୟମ୍ ନିର୍ମାଣ ମଧ୍ୟ ଜାନକୀବଲ୍ଲଭଙ୍କ ସମୟରେ ହୋଇଥିଲା। ସେହିପରି ତିଗିରିଆ ନୂଆପାଟଣା ଠାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କରକମଳରେ ସ୍ପିନିଂ ମିଲ୍ ପ୍ରତିଷ୍ଠା ହୋଇଥିଲା। ୧୯୮୧ ମସିହାରେ ରାଜ୍ୟ ସରକାରଙ୍କ ଇଡ୍କୋ ମାଧ୍ୟମରେ ଖୁଣ୍ଟୁଣୀ ଠାରେ ଏକାଧିକ ଶିଳ୍ପ କାରଖାନା ପ୍ରତିଷ୍ଠା କରିଥିଲେ। ଆଠଗଡ଼ରେ ମା’ ବାଉତୀ ପାୱାର୍ଲୁମ୍, ଦୋରଡ଼ ରଙ୍ଗ କାରଖାନା ମଧ୍ୟ ପ୍ରତିଷ୍ଠା ହୋଇଥିଲା। ଏହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ବିଫଳ କୃଷି ଓ ଶିଳ୍ପ ନୀତି ଯୋଗୁଁ ଏଠାରେ ପ୍ରତିଷ୍ଠିତ ବହୁ କାରଖାନା ବନ୍ଦ ହୋଇଗଲା। ଫଳରେ ଚାଷୀଙ୍କ ସମସ୍ୟା ତଥା ବେକାରୀ ସମସ୍ୟା ବୃଦ୍ଧି ପାଇଲା। ଆଜି ମଧ୍ୟ ଆଠଗଡ଼ ଜନସାଧାରଣଙ୍କର ଜାନକୀବଲ୍ଲଭଙ୍କ ପ୍ରତି ଆବେଗ ରହିଛି। ଏକାଧାରରେ ଜଣେ ସାମ୍ବାଦିକ, ଗାଳ୍ପିକ, ଲେଖକ, ସମାଲୋଚକ, ଅନୁବାଦକ ତଥା ଜାତୀୟସ୍ତରର ରାଜନେତା ଜାନକୀବଲ୍ଲଭଙ୍କ ସ୍ମୃତି ରକ୍ଷା ପାଇଁ ଆଠଗଡ଼ରେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏପରିକି ତାଙ୍କର ପ୍ରତିମୂର୍ତ୍ତିଟିଏ ମଧ୍ୟ ସ୍ଥାପନ କରାଯାଇ ପାରି ନାହିଁ। ଜାନକୀବଲ୍ଲଭଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ ଲାଗି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।