ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି

ଦେବଗଡ଼ : ପର୍ବତ ଗୁମ୍ଫାରେ ପୂଜା ପାଉଥିବା ମା’ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅରଣ୍ୟ ବେଷ୍ଟିତ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଥିବା ମା’ଙ୍କ ପୀଠସ୍ଥଳୀରେ ନିଜ ମନସ୍କାମନା ପୂରଣ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ। ଭକ୍ତମାନେ ନିଜ ମନସ୍କାମନା ପୂରଣ ପାଇଁ ପଶୁ ପକ୍ଷୀ ବଳି ମଧ୍ୟ ଦେଇଥାନ୍ତି।

ତେବେ କେଉଁକାଳରୁ ଏହି ପ୍ରାଚୀନ ଶକ୍ତିପୀଠ ପାହାଡ଼ ଗୁମ୍ଫାରେ ମା’ ପୂଜା ପାଇ ଆସୁଥିବା ବେଳେ ପ୍ରତ୍ୟହ ମା’ଙ୍କ ପାଖରେ ପହଞ୍ଚି ପୂଜାର୍ଚ୍ଚନା ସମ୍ଭବ ନଥିବା ଦୃଷ୍ଟିରୁ ସୁଗୁଡା ଗ୍ରାମରେ ମା’ଙ୍କର ଏକ ଆସ୍ଥାନ ସ୍ଥାପନା କରାଯାଇ ସେଠାରେ ପ୍ରତ୍ୟହ ପୂଜାର୍ଚ୍ଚନା କରାଯାଏ। କେତେକ ନିର୍ଦ୍ଦିଷ୍ଟ ତିଥିରେ ମା’ଙ୍କ ପୀଠରେ ପହଞ୍ଚି ଦେହୁରୀ ତଥା ପୂଜକ ପୂଜାର୍ଚ୍ଚନା କରିଥାନ୍ତି। ତେବେ ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ଜ୍ୟେଷ୍ଠ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥିରେ ମା’ଙ୍କ ପ୍ରସିଦ୍ଧ ରମ୍ଭାଦେବୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହି ପ୍ରଥା ଅନୁସାରେ ସକାଳୁ ପ୍ରଥମେ ସୁଗୁଡାରେ ଥିବା ମା’ଙ୍କ ଆ‌ସ୍ଥାନରେ ପ୍ରଥମେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତମାନେ ନିଜ ମନସ୍କାମନା ପୂର୍ଣ୍ଣପାଇଁ ପୂର୍ବରୁ ନିଜ ମାନସିକ ପୂରଣ ଅବସରରେ ପଶୁ ପକ୍ଷୀ ବଳି ଦେଇଥାନ୍ତି। ଏହାପରେ ଘଣ୍ଟ ବାଦ୍ୟର ତାଳେ ତାଳେ ଲୋକମାନେ ମା’ଙ୍କ ପୀଠଥିବା ପାହାଡ଼ ଗୁମ୍ପାରେ ପହଞ୍ଚି ମା’ଙ୍କ ପୂଜାର୍ଚ୍ଚନା କରିବା ସହ ସେଠାରେ ମଧ୍ୟ ବଳି ପଡ଼ିଥାଏ।

ତେବେ ଏହି ରମ୍ଭାଦେବୀ ପୀଠର ବିଶେଷତ୍ୱ ହେଲା ଏଠାରେ ମା’ଙ୍କ ମୂର୍ତ୍ତିକୁ ଭକ୍ତମାନେ ଦେଖିପାରନ୍ତି ନାହିଁ। କିମ୍ୱଦନ୍ତୀ ଅନୁସାରେ ପୂର୍ବରୁ ମା’ଙ୍କ ବିଗ୍ରହକୁ ସମସ୍ତେ ପୂଜା କରୁଥିଲେ କିନ୍ତୁ କୌଣସି ଅସୁବିଧା କ୍ରମେ ମା’ଙ୍କ ବିଗ୍ରହ ସମ୍ମୁଖରେ ଏକ ବଡ଼ ପଥର କବାଟ ଭଳି ବନ୍ଦ ହୋଇଯିବାରୁ ସେହିଦିନଠାରୁ ମା’ଙ୍କୁ ଆଉ କେହି ଭକ୍ତ ଦର୍ଶନ କରି ପାରିଲେ ନାହିଁ। ତେବେ ସେହି ଦିନଠାରୁ ମା’ଙ୍କ ପ୍ରତିମାକୁ କେହି ଦେଖିପାରନ୍ତି ନାହିଁ କେବଳ ସେହି କବାଟ ଭଳି ବନ୍ଦ ପଡ଼ିଥିବା ଆସ୍ଥାନ ନିକଟରେ ସମସ୍ତେ ଶୂନ୍ୟ ଠାକୁରଙ୍କୁ ପୂଜା କରିଆସୁଛନ୍ତି।

ସମ୍ବନ୍ଧିତ ଖବର