ସହିଦ୍‌ ଫାଗୁରାମ୍‌ଙ୍କ ଦେଶପ୍ରେମର ତୁଳନା ନାହିଁ, ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ

ରାଇରଙ୍ଗପୁର: ୧୧ ମାର୍ଚ୍ଚ ୨୦୨୧ରେ ରାଇରଙ୍ଗପୁର ମାଟିର ଫାଗୁରାମ ମାର୍ଣ୍ଡି ଦେଶ ପାଇଁ ସହିଦ୍‌ ହୋଇଥିଲେ। ରାଇରଙ୍ଗପୁର ଟାଉନ ଥାନା ସାନପାଖନା ଗ୍ରାମର ସ୍ବର୍ଗତ ଧ୍ୟାନ ମାର୍ଣ୍ତି ଓ ସତ୍ୟଭାମା ମାର୍ଣ୍ତିଙ୍କ ସପ୍ତମ ସନ୍ତାନ ଭାବେ ୬ ଜାନୁଆରି ୧୯୬୮ରେ ଫାଗୁରାମ ଜନ୍ମଗ୍ରହଣ କରିଥିଲେ। ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଞ୍ଚମ ଶ୍ରେଣୀରେ ଭଲ ନମ୍ବର ରଖି ବୃତ୍ତି ପାଇଥିଲେ ଏବଂ ସପ୍ତମ ଶ୍ରେଣୀରେ ଏନ୍‌ଆରଟିଏସ୍‌ ପାଇଥିଲେ। ପରେ ଅଷ୍ଟମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରୁ ପାସ୍‌ କରିବା ପରେ ୧୯୮୫ ମସିହାରେ ରାଇରଙ୍ଗପୁର କଲେଜରୁ ଯୁକ୍ତ ଦୁଇ ପାସ୍‌ କରିଥିଲେ। ୧୯୮୭ ମସିହାରେ ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜରୁ ଏମବିବିଏସ୍‌ ପାସ୍‌ ପରେ ୧୯୯୫ ମସିହାରେ ଆର୍ମିରେ ଡାକ୍ତର ଭାବେ ଚାକିରି ଆରମ୍ଭ କରିଥିଲେ।

୧୯୯୯ ମସିହାରେ କାରଗିଲ୍ ଯୁଦ୍ଧରେ ଦ୍ରାସ ଓ ଟାଇଗର୍ ହିଲ୍‌ରେ ସେନାର ନେତୃତ୍ବ ନେବା ସହ ଯୁଦ୍ଧରେ ଭାଗ ନେଇ ମେଜର୍ ହିସାବରେ ପୁରସ୍କୃତ ହୋଇଥିଲେ। ପରେ ସ୍ବେଚ୍ଛାକୃତ ଅବସର ନେଇ ଓଡ଼ିଶା ସରକାରଙ୍କଠାରେ ଡାକ୍ତର ଚାକିରି କରି ରୋଗୀ ସେବା କରୁଥିଲେ। ପୁଣି ଦେଶସେବା ପାଇଁ ସେନାରେ ସଶସ୍ତ୍ର ସୀମା ବଳରେ କମାଣ୍ଡାଣ୍ଟ ଭାବେ ଯୋଗ ଦେଇଥିଲେ। ୧୧ ମାର୍ଚ୍ଚ ୨୦୨୧ରେ ଆସାମର ରଙ୍ଗିଆଠାରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇ ପଡିବାରୁ ସେଠାରେ ତାଙ୍କର ବିୟୋଗ ଘଟିଥିଲା। ୧୩ ମାର୍ଚ୍ଚ ୨୦୨୧ରେ ତାଙ୍କ ପୈତୃକ ଗ୍ରାମରେ ସେନାବାହିନୀ ମରଶରୀର ନେଇ ପହଞ୍ଚିବା ପରେ ଗ୍ରାମରେ ଶୋକର ବାତାବରଣ ଖେଳି ଯାଇଥିଲା। ତାଙ୍କ ପରିବାରର ୫ ଜଣ ଡାକ୍ତର ଏବଂ ୨ ଜଣ ନର୍ସ ହୋଇ ରୋଗୀଙ୍କ ସେବା କରୁଛନ୍ତି।

ସମ୍ବନ୍ଧିତ ଖବର