ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି

‘ଦୀନକୃଷ୍ଣଙ୍କ ସ୍ମୃତି ରକ୍ଷା ପାଇଁ ସଂସ୍କୃତି ବିଭାଗ ପଦକ୍ଷେପ ନେଉ’, ମୁଣତୁଣିଆ ଗାଁ’କୁ କବି ଗ୍ରାମ ଘୋଷଣା ଦାବି

ଜଳେଶ୍ବର: ଆସନ୍ତାକାଲି ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ଖୁଦିଆମାଝୀସାହି ପଞ୍ଚାୟତ ମୁଣତୁଣିଆ ଗାଁ ଭକ୍ତକବିଙ୍କ ଜନ୍ମପୀଠ। କେବଳ ରାଜ୍ୟ କାହିଁକି ସମଗ୍ର ଦେଶରେ ଏହି ପୀଠ କବିଡ଼ିହ ଭାବେ ପରିଚିତ। ଏଠାରେ ଭକ୍ତକବିଙ୍କ ସ୍ମୃତି ରକ୍ଷା ପାଇଁ ୮୦ ଦଶକରୁ ପ୍ରତିଷ୍ଠା ହୋଇଥିବା ଦୀନକୃଷ୍ଣ ସ୍ମୃତି ମଣ୍ଡପରେ ଆସନ୍ତାକାଲି ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ପାଳନ ହେବ। ତେବେ ଗୌରବମୟ ଐତିହ୍ୟ ଭୂମି ଭାବେ ପରିଚିତ ଏହି କବିଡ଼ିହ ଓ ଅନନ୍ୟ ସ୍ରଷ୍ଟା ଦୀନକୃଷ୍ଣ ଆଜି ବି ଅବହେଳିତ।

ସପ୍ତଦଶ ଶତାବ୍ଦୀର ମଧ୍ୟଭାଗରେ କବି ଦୀନକୃଷ୍ଣ ୩୬ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ଦୀନକୃଷ୍ଣଙ୍କ ଜନ୍ମ ଓ ମୃତ୍ୟୁର ଠିକ୍‌ ପ୍ରମାଣ ନ ଥିଲେ ମଧ୍ୟ ଜନ୍ମ ୧୬୫୦ ମସିହା ଓ ମୃତ୍ୟୁ ୧୭୧୦ ମସିହାରେ ବୋଲି ବହୁ ପ୍ରଖ୍ୟାତ ସାହିତ୍ୟିକମାନେ ମତ ଦିଅନ୍ତି। ରୀତିଯୁଗର ଏହି ସ୍ବା‌ଭିମାନୀ କବି ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭା। କେବଳ ଓଡ଼ିଆ ସାହିତ୍ୟ ନୁହେଁ, ଭାରତୀୟ ସାହିତ୍ୟରେ ମଧ୍ୟ ତାଙ୍କର ପଦଲାଳିତ୍ୟ, ସଙ୍ଗୀତ, ବିଶୁଦ୍ଧ ଗୀତି କବିତା, ଭଜନ ଓ ଜଣାଣ ବିରଳ ଅଟେ। ତାଙ୍କ ରଚିତ ରସକଲ୍ଲୋଳ, ରସବିନୋଦ, ଆର୍ତ୍ତତ୍ରାଣ, ଚଉତିଶା, ଜଗମୋହନ ଛାନ୍ଦ, ନାବକେଳି, ଗୁଣ ସାଗର, ମହିମା ସାଗର ଆଦି କାବ୍ୟ ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି। ଉତ୍କଟ ଦାରିଦ୍ର୍ୟର କଷାଘାତ ମଧ୍ୟରେ ଜୀବନ ନିର୍ବାହ କରି କବି ଭାବମୟ ଓ ତନ୍ମୟ ହୋଇ ଯେଉଁ ସବୁ ସୃଷ୍ଟି କରି ଯାଇଛନ୍ତି, ତାହା ଯୁଗେ ଯୁଗେ ଓଡ଼ିଶାର ସାମାଜିକ ଜୀବନକୁ ପ୍ରତ୍ୟକ୍ଷ ଆଉ ପରୋକ୍ଷ ଭାବେ ପ୍ରତିଫଳିତ କରିଛି। ହେଲେ ଦୀନକୃଷ୍ଣ ଓ ତାଙ୍କ ଜନ୍ମପୀଠ ଆଜି ବି ଅବହେଳିତ।

ଭକ୍ତକବିଙ୍କ ନାମରେ ଟ୍ରେନ୍‌ ଓ ଦୀନକୃଷ୍ଣଙ୍କ ରଚିତ ଲେଖାକୁ ନେଇ ପୂର୍ଣ୍ଣାଙ୍ଗ ଗ୍ରନ୍ଥାବଳୀ ପ୍ରକାଶନ କରାଯାଉ

ଏହି ପୀଠକୁ ଅଦ୍ୟାବଧି ସରକାର ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଦେଇନାହାନ୍ତି। ଦଶନ୍ଧି ଦଶନ୍ଧି ଧରି ମୁଣତୁଣିଆ ଗାଁ’କୁ କବି ଗ୍ରାମ ଭାବେ ଘୋଷଣା କରିବାକୁ ଦାବି ହେଉଥିବା ବେଳେ ତାହା ମଧ୍ୟ ସମ୍ଭବ ହୋଇନାହିଁ। ମୁଣତୁଣିଆ କବିଡ଼ିହ, ଲକ୍ଷ୍ମଣନାଥ ରାୟ ମହାଶୟ ଗଡ଼, ରାଇବଣିଆ ଦୁର୍ଗ, ଚନ୍ଦନେଶ୍ବର ଓ ଭୂଷଣ୍ଡେଶ୍ବର ଆଦି ସ୍ଥାନକୁ ନେଇ ଏକ ପର୍ଯ୍ୟଟନ ବଳୟ ସୃଷ୍ଟି ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିଦିନ ସ୍ବତନ୍ତ୍ର ବସ୍‌ ଚଳାଚଳ ପାଇଁ ମଧ୍ୟ ଦାବି ହେଉଛି। ଯାହାଦ୍ବାରା ଏହି କବିଡ଼ିହର ଅଧିକ ପ୍ରଚାରପ୍ରସାର ହୋଇପାରିବ। ଏଠାରେ ପ୍ରତିଷ୍ଠା ହୋଇଥିବା ପାଠାଗାରର ପରିଚାଳନା ଦାୟିତ୍ବ ସରକାର ନିଜ ହାତକୁ ନେଇ ସ୍ଥାୟୀ କର୍ମଚାରୀ ନିଯୁକ୍ତି ସହ ଭିତ୍ତିଭୂମି ବିକାଶ କରିବାର ଆବଶ୍ୟକତା ରହିଛି। କବିଡ଼ିହର ଉନ୍ନତି ପାଇଁ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା ହେଉ ବୋଲି ମଧ୍ୟ ମତପ୍ରକାଶ ପାଇଛି।

ରାଜ୍ୟସ୍ତରୀୟ ଦୀନକୃଷ୍ଣ ଜୟନ୍ତୀ ଓ ସମ୍ମାନ ପାଇଁ ସରକାର ଅର୍ଥ ଯୋଗାଇବା ମଧ୍ୟ ଜରୁରୀ ହୋଇ ପଡ଼ିଛି। ରସକଲ୍ଲୋଳ ଅଥବା ଦୀନକୃଷ୍ଣଙ୍କ ନାମରେ ଏକ ଯାତ୍ରୀବାହୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବା, ଜଳେଶ୍ବର ଷ୍ଟେସନ୍‌ ଓ ବାଲେଶ୍ବର ଷ୍ଟେସନ୍‌ରେ ପ୍ରତିମୂର୍ତ୍ତି ସ୍ଥାପନ କରିବା, କବିପୀଠ ଯାଏ ରାସ୍ତାକୁ ଦୀନକୃଷ୍ଣ ମାର୍ଗ ଓ ଗୁରୁଦାସପୁର ଏବଂ ଶିଖରପୁର ସେତୁକୁ ଦୀନକୃଷ୍ଣ ସେତୁ ନାମରେ ନାମିତ କରିବା, କବିଡ଼ିହକୁ ପ୍ରବେଶ ଦ୍ବାରରେ ସଂସ୍କୃତି ବିଭାଗ ପକ୍ଷରୁ ସୁଉଚ୍ଚ ତୋରଣ ନିର୍ମାଣ କରିବା, ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୀନକୃଷ୍ଣଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଚେୟାର ପ୍ରତିଷ୍ଠା କରିବା, ଦୀନକୃଷ୍ଣଙ୍କ ଦ୍ବାରା ରଚିତ ସବୁ ଲେଖାକୁ ସଂସ୍କୃତି ବିଭାଗ ଦ୍ବାରା ସଂଗ୍ରହ କରାଯବା, ଏକ ପୂର୍ଣ୍ଣାଙ୍ଗ ଗ୍ରନ୍ଥାବଳୀ ପ୍ରକାଶ କରାଯିବା ନେଇ ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସମ୍ପାଦକ ବିପିନ ବିହାରୀ ବିଶ୍ବାଳ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର