ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ରବିବାର ଅନୁଷ୍ଠିତ ହେବ। ଏଥିରେ ଝାରସୁଗୁଡ଼ା ଜିଲ୍ଲାକୁ ବାଦ୍‌ ଦେଇ ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍‌ର ୧୩୮୨ଟି ଗ୍ରାମପଞ୍ଚାୟତ ପାଇଁ ଭୋଟ୍‌ ହେବ। ୧୮୪୯୫ଟି ବୁଥ୍‌ରେ ମତଦାନ ହେବାକୁ ଥିବା ବେଳେ ୫୬ଲକ୍ଷ ୫୩ହଜାର ୪୦୫ଜଣ ମତଦାତା ଭୋଟ୍‌ ଦେବେ। ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହାର ବଢ଼ିଥିବାରୁ ତୃତୀୟ ପର୍ଯ୍ୟାୟରେ ଏହା ଆହୁରି ‌ବଢ଼ିବ ବୋଲି ଆଶା କରାଯାଉଛି।

Advertisment

ଅପରପକ୍ଷେ ନିର୍ବାଚନ କମିସନରଙ୍କ ତାଗିଦ୍‌ ସତ୍ତ୍ବେ ହିଂସା ବଢ଼ୁଥିବାରୁ ପୁଲିସ ବିଭାଗ ପକ୍ଷରୁ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୨୭୭୩ଟି ସମ୍ବେଦନଶୀଳ ବୁଥ୍‌ ଥିବାବେଳେ ପ୍ରତି ବୁଥ୍‌ରେ ଗ୍ରାମରକ୍ଷୀ/ହୋମଗାର୍ଡ ବାଦ୍‌ ଅତି କମ୍‌ରେ ଜଣେ ଲେଖାଏଁ କନଷ୍ଟେବଳଙ୍କୁ ନି‌େୟାଜିତ କରାଯିବ। ଯେଉଁଠି ଅଧିକ ଉତ୍ତେଜନାପ୍ରବଣ ବୁଥ୍‌ ଅଛି ସେଠାରେ ଅଧିକ ସଶସ୍ତ୍ର ପୁଲିସ ମୁତୟନ କରିବାକୁ କୁହାଯାଇଛି। ଏହାସହ ଉକ୍ତ ବୁଥ୍‌ ନିକଟରେ ବାରମ୍ବାର ପାଟ୍ରୋଲିଂ କରିବାକୁ ପୁଲିସ ବିଭାଗକୁ କୁହାଯାଇଛି। ରବିବାର ହେବାକୁ ଥିବା ଭୋଟ୍‌ ପାଇଁ ପୁଲିସ ପକ୍ଷରୁ ୨୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୬୨୫ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି ସହ ଜିଲ୍ଲା ପୁଲିସର ଅଧିକାରୀ ଓ ଫୋର୍ସଙ୍କୁ ମୁତୟନ କରାଯାଇଛି। ସେହିପରି ପ୍ରଥମ ଦୁଇ ପର୍ଯ୍ୟାୟରେ ନିର୍ବାଚନୀ ହିଂସାରେ ସଂପୃକ୍ତ ଥିବା ୬୨ଜଣଙ୍କୁ ଆଜି ପର୍ଯ୍ୟନ୍ତ ପୁଲିସ ଗିରଫ କରିଛି। ଏଥିରେ ଯାଜପୁରରୁ ସର୍ବାଧିକ ୨୮ଜଣ ଅଭିଯୁକ୍ତ ଥିବାବେଳେ ଢେଙ୍କାନାଳରୁ ୬ଜଣ, ଜଗତସିଂହପୁରରୁ ୫ଜଣ, ପୁରୀରୁ ୨୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହାବାଦ୍ ବର୍ତ୍ତମାନ ସୁଦ୍ଧା ପୁଲିସ ବିଭାଗ ପକ୍ଷରୁ ୩୮୮୩୮୦ ଲିଟର ମଦ, ୩୮ଟି ବେଆଇନ ଅସ୍ତ୍ରଶସ୍ତ୍ର, ୨୩୧୧ଗ୍ରାମ୍ ନିଶାଦ୍ରବ୍ୟ ଜବତ ହୋଇଥିବାବେଳେ ୫୦୫୮ଜଣଙ୍କ ନାଁରେ ଅବକାରୀ ମାମଲା ଦାୟର ହୋଇଛି। ୧୯୦୬ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୭୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ୬୭୯ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାରୁ ପ୍ରା‌ର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।