ଆଜି ତମାଖୁ ବର୍ଜନ ଦିବସ: ଆଇନ ତା’ ବାଟ‌ରେ, ବେଧଡ଼କ୍ ଚାଲୁଛି ନକଲି ଗୁଟ୍‌ଖା କାରବାର

ଭଞ୍ଜନଗର : ମଙ୍ଗଳବାର ହେଉଛି ତମାଖୁ ବର୍ଜନ ଦିବସ। ତମାଖୁ ପ୍ରସ୍ତୁତି, ବିକ୍ରି ଓ ସେବନ ନେଇ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ହେଲେ ବାସ୍ତବ ସ୍ଥିତି ପରଖିବା ଓ ଆଇନକୁ କାର୍ଯ୍ୟକାରୀ ପାଇଁ କାହାର ନିଘା ନାହିଁ କି ଚିନ୍ତା ନାହିଁ। ଯାହାର ଫଳସ୍ବରୂପ ଛତୁ ଫୁଟିବା ଭଳି ନକଲି ଗୁଟ୍‌ଖା କମ୍ପାନି ଖୋଲୁଥିବା ବେଳେ ବେଧଡ଼କ୍ ଏହି ବେପାର ଚାଲିଛି। ଭଞ୍ଜନଗର ଉପଖଣ୍ଡର ସହର ଓ ବିଭିନ୍ନ ଗ୍ରାମାଞ୍ଚଳର ଇଏ ହେଉଛି ବାସ୍ତବ ଚିତ୍ର।

ତମାଖୁ ପ୍ରସ୍ତୁତି, ବିକ୍ରି ଓ ସେବନ ବେଆଇନ। ଏହାକୁ ପ୍ରସ୍ତୁତ କରୁଥିବା ଓ ବିକ୍ରି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାର ଆଇନ ପ୍ରଣୟନ କଲେ। କିନ୍ତୁ ସ୍ଥିତି ଯେମିତିକୁ ସେମିତି। ଆଇନକୁ କିଛି ଅସାଧୁ ବ୍ୟବସାୟୀ ଖୋଲାଖୋଲି ଭାବେ ଉଲ୍ଲ˚ଘନ କରୁଥିବା ବେଳେ କିଛି ଲୁଚାଛପାରେ ଏହାକୁ ଚଳାଇଛନ୍ତି। ଏସଂର୍ପକରେ ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା ସାଜିଛି।

ରାଜ୍ୟ ସରକାର ୨୦୧୩ ଜାନୁଆରି ପହିଲାରୁ ତମାଖୁ ନିରୋଧୀ ଆଇନ୍‌ କାର୍ଯ୍ୟକାରୀ କରିଥିଲେ। ଏହି ଆଇନ ବଳରେ ଓଡ଼ିଶାକୁ ତମାଖୁ ମୁକ୍ତ ରାଜ୍ୟ କରିବାକୁ ସରକାର ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଏହି ଆଇନ ଲାଗୁ ହେବାର କିଛି ଦିନ ପରେ ବ୍ୟବସାୟୀମାନେ ଚୋରାରେ ଗୁଟ୍‌ଖା ବିକ୍ରି ଆରମ୍ଭ କଲେ। ସରକାରଙ୍କ କୋହଳ ମନୋଭାବ ଯୋଗୁଁ ବେଆଇନ ଭାବେ ଗୁଟ୍‌ଖା ବିକ୍ରି ବଢ଼ିବାରେ ଲାଗିଲା।

ଏବେ ଭଞ୍ଜନଗର ସହରର ସମେତ ଚାହା ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରେ ଖୋଲାମେଲାରେ ଗୁଟ୍‌ଖା ବିକ୍ରି ହେଉଛି। ତାଗିଦ୍ କରିବାକୁ କାହାର ସାହସ ନାହିଁ। ଜାଣିଶୁଣି ପ୍ରଶାସନ ଓ ପୁଲିସ ନିବରଦ୍ରଷ୍ଟା ସାଜିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ବର୍ତ୍ତମାନ ବହୁ ଅନାମଧେୟ କମ୍ପାନିର ଗୁଟ୍‌ଖା ବଜାରରେ ମିଳୁଥିବା ବେଳ‌େ ବିଭିନ୍ନ ବ୍ରାଣ୍ଡ୍‌ର ନକଲି ଗୁଟ୍‌ଖା ପ୍ରସ୍ତୁତ ବି ହେଉଛି। ଗୋଟିଏ ପ୍ୟାକେଟ୍ ୫ରୁ ୧୦ଟଙ୍କା ମଧ୍ୟରେ ଆଇନ୍‌ ଅନୁଯାୟୀ, ପୁଲିସ ଓ ପ୍ରଶାସନ ମିଳିତ ଭାବେ ଏହାର ତଦାରଖ କରିବା ସହ ଆବଶ୍ୟକସ୍ଥଳେ ଚଢ଼ଉ କରିପାରିବେ। କିନ୍ତୁ ସମସ୍ତେ ନିରବଦ୍ରଷ୍ଟା ସାଜିଥିବାରୁ ଅସାଧୁ ବ୍ୟବସାୟୀମାନେ ସେମାନଙ୍କ ବେଆଇନ କାରବାରକୁ ବଢ଼ାଇ ଚାଲିଛନ୍ତି। ଏପରିକି ଚୋରାରେ ଗୁଟ୍‌ଖା ପ୍ରସ୍ତୁତି ହୋଇ ସହର ଓ ଗାଁକୁ ଖୋଲାଖୋଲି ଚାଲାଣ ହେଉଛି। ଗୁଟ୍‌ଖା ସେବନର କୁପରିଣାମ ବିଷୟରେ ଜାଣି ବି ଲୋକେ ଏହାକୁ କିଣୁଛନ୍ତି। ଏଥିସହ ଗୁଟ୍‌ଖା ବ୍ୟବହାରକୁ ନେଇ ଦିନକୁ ଦିନ ସଚେତନତା ମଧ୍ୟ କମିବାରେ ଲାଗିଛି।

ସମ୍ବନ୍ଧିତ ଖବର