ରାଜନଗର: ପ୍ରେମ କାହାଣୀ ବି ପ୍ରେରଣାଦାୟୀ ହୋଇପାରେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ରାଜନଗର ଗାଁରେ ଦୁଇ ବରିଷ୍ଠ ନାଗରିକଙ୍କ ପ୍ରେମ କାହାଣୀ ଏହାର ଏକ ଜ୍ବଳନ୍ତ ଉଦାହରଣ। ୮୦ ବର୍ଷୀୟ ସଚ୍ଚିଦାନନ୍ଦ ବାଗ୍ ଓ ୭୫ ବର୍ଷୀୟା ପ୍ରେମଲତା ବାଗଙ୍କ ଜୀବନ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀଠୁ ବି କମ ନୁହେଁ। ସଚ୍ଚିଦାନନ୍ଦ ସିନିୟର୍ କ୍ଲର୍କ ଭାବେ ୨୨ ବର୍ଷ ତଳୁ ଅବସର ନେଇସାରିଲେଣି। ତାଙ୍କ ପତ୍ନୀ ପ୍ରେମଲତା ୨୦୧୭ ମସିହାରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପକ୍ଷାଘାତ ଯୋଗୁଁ ଦୁଇଟି ଗୋଡ଼ କାମ କରୁ ନ ଥିବାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ସେବେଠୁଁ ପ୍ରେମଲତା ବିଛଣାରେ ହିଁ ପଡ଼ିରହିଛନ୍ତି। କିନ୍ତୁ ସଚ୍ଚିଦାନନ୍ଦ ପ୍ରକୃତ ଜୀବନସାଥୀ ଭାବେ ସେବା ଓ ସମର୍ପଣ ଭାବନେଇ ପ୍ରେମଲତାଙ୍କୁ ବଂଚିବାର ଆଧାର ଯୋଗାଇ ଚାଲିଛନ୍ତି। ପ୍ରେମଲତାଙ୍କୁ ଗାଧୋଇ ଦେବାଠାରୁ ଆରମ୍ଭକରି ଶୌଚ କରାଇବା ଯାଏ, ଖୁଆଇଦେବାଠାରୁ ଆରମ୍ଭକରି ମୁଣ୍ତ କୁଣ୍ତାଇଦେବା ଯାଏ-ସବୁକାମ କରି ଆସୁଛନ୍ତି। ଦୀର୍ଘ ୭ବର୍ଷରୁ ଅଧିକ ସମୟ ଧରି ଏହିପରି ସେବାକରି ନିଜ ପ୍ରେମକୁ ଚିରନ୍ତନ କରିପାରିଛନ୍ତି ସଚ୍ଚିଦାନନ୍ଦ।
କେତେବେଳେ ଫାଙ୍କା ସମୟରେ ଗୀତଗାଇ ନିଜର ସମୟକୁ ଅତିବାହିତ କରୁଛନ୍ତି ତ ଆଉ କେବେ ବିବାହ ସମୟର ଫଟୋ ଦେଖି ନିଜ ଅଭୁଲା ଦିନର ସ୍ମୃତି ସାଉଁଟୁଛନ୍ତି ଏହି ବୃଦ୍ଧ ଦମ୍ପତି। ଏନେଇ ସଚ୍ଚିଦାନନ୍ଦ କୁହନ୍ତି ଯେ ସେମାନଙ୍କ ମଧ୍ୟରେ ବିବାହ ସମୟରେ ଯେପରି ଭଲପାଇବା ଥିଲା, ଆଜିବି ସେହି ଭଲପାଇବା ଅତୁଟ ରହିଛି। ସାତ ଜନ୍ମର ସାଥୀ ହେବି ବୋଲି ପ୍ରତିଜ୍ଞା କରିଥିଲି। ଆଜି ସେ ବିଛଣାରେ ପଡ଼ିଯାଇଛି ବୋଲି ତା’ ହାତ ଛାଡ଼ି ପାରିବିନି କି ତା ପ୍ରତି ମୋ ଭଲ ପାଇବା କମିନି। ପୁଅବୋହୂ ଆମର ସେବା କରୁଥିଲେ ମଧ୍ୟ ଅସୁସ୍ଥ ପତ୍ନୀଙ୍କ ପାଖେ ପାଖେ ରହି ମୁଁ ତାଙ୍କ ଯତ୍ନ ନେଇଥାଏ ବୋଲି କହିଛନ୍ତି। ଅନ୍ୟପଟେ ପ୍ରେମଲତାଙ୍କ କହିବା କଥା ହେଲା ସେ ମୋତେ ବହୁତ ଭଲ ପାଆନ୍ତି। ମୁଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ମୋ ସାତଜନମ ପାଇଁ ସାଥୀ ହୋଇରହିଥା’ନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/fhsfhffhfh.jpg)