ପୁରୀ: ତୁମ୍‌ହେ ଜୋ ୟାଦ୍‌ କର୍‌ତା ହୁଁ, ମୈ ଦୁନିୟା ଭୁଲ୍‌ ଜାତା ହୁଁ, ତେରି ଚାହତ ମେଁ ଅକ୍‌ସର, ସମ୍ଭଲ୍‌ନା ଭୁଲ ଜାତା ହୁଁ...। ଗୁଲଜାର ସାହାବଙ୍କ ଏହି ପ୍ରେମ ପଂକ୍ତିର ଉଦାହରଣ ହେଉଛନ୍ତି, ନିରାଶ୍ରିତ ଆଶ୍ରୟସ୍ଥଳୀରେ ଦିନ କାଟୁଥିବା ଜୁଲି ଓ ପ୍ରମୋଦ। କଟକ ଆଠଗଡ଼ ଖୁଣ୍ଟୁଣିର ଜୁଲି ବେଉରା ଦିନେ ଅଭିମାନ କରି ଘରୁ ଚାଲିଆସିଥିଲେ। ପୁଅବୋହୂଙ୍କ ଉପରେ ମାନ କରି ସିନା ଚାଲି ଆସିଲେ, ସ୍ବାମୀଙ୍କୁ ଜଣେଇଲେ ନାହିଁ। ସ୍ବାମୀ କାମରୁ ଆସି ଜାଣିବାକୁ ପାଇଲେ, ତାଙ୍କ ପତ୍ନୀ ଜୁଲି ଘର ଛାଡ଼ି ପଳେଇଛନ୍ତି। ଏକଥା ଶୁଣିବା ପରେ ପାଗଳ ପ୍ରାୟ ହୋଇଯାଇଥିଲେ ପ୍ରମୋଦ। ଜୁଲିଙ୍କୁ ଆଖପାଖ, ପଡ଼ିଶା, ବନ୍ଧୁବାନ୍ଧବ ଖୋଜି ବୁଲିଲେ। କିନ୍ତୁ ପାଇଲେନି। ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ପ୍ରମୋଦ ଜୀବନ ହାରିବାକୁ ଟ୍ରେନ୍‌ ଲାଇନ୍‌ରେ ପହଞ୍ଚି ଯାଇଥିଲେ। କିନ୍ତୁ ପ୍ରମୋଦଙ୍କ ଜଣେ ବନ୍ଧୁ ତାଙ୍କୁ ବଞ୍ଚେଇଦେଲେ।

Advertisment

ପ୍ରମୋଦ ବଞ୍ଚିଗଲେ ସିନା, ଜୁଲିଙ୍କ ବିନା ଜୀବନରେ ଶୂନ୍ୟତା ଭରି ଯାଇଥିଲା। ମନୋବିଜ୍ଞାନ କୁହେ, ଜଣେ ଜଣଙ୍କୁ ଅତି ନିବିଡ଼ ଭାବେ ଖୋଜିଲେ ହୁଏତ ଯେତେ ଦୂରରେ ଥିଲେ ବି ଅପରପକ୍ଷ ଲୋକଟି ତାହା ହୃଦୟଙ୍ଗମ କରିପାରେ। ଦୁଃଖରେ ଭାଙ୍ଗି ପଡ଼ିଥିବା ପ୍ରମୋଦଙ୍କୁ ଜୁଲି ସର୍ବୋଦୟନଗର ଆଶ୍ରୟସ୍ଥଳର ଜଣେ ବ୍ୟକ୍ତିଙ୍କ ଫୋନ୍‌ରୁ କଲ୍‌ କଲେ। ପ୍ରମୋଦ ଖବର ପାଇବା କ୍ଷଣି ଉଠିବା ଜାଗାରୁ ସେଇ ହାପ୍‌ପ୍ୟାଣ୍ଟ୍‌ ଖଣ୍ଡେ ପିନ୍ଧିଥିବା ଅବସ୍ଥାରେ ପୁରୀ ଧାଇଁ ଆସିଲେ। ଖୋଜିଖୋଜି ଆସି ସର୍ବୋଦୟନଗରରେ ପହଞ୍ଚିଲେ। ଏବେ ଦୁହେଁ ଆଶ୍ରୟସ୍ଥଳୀରେ ରହୁଛନ୍ତି। ପ୍ରମୋଦ ବାହାରେ ମୂଲ ଲାଗୁଛନ୍ତି। ସନ୍ଧ୍ୟାରେ ଆଶ୍ରୟସ୍ଥଳୀକୁ ଫେରିଲେ ସେଠାରେ ରହୁଥିବା ବୃଦ୍ଧବୃଦ୍ଧାଙ୍କର ସେବା କରୁଛନ୍ତି। ସେମାନଙ୍କର ଘର ଅଛି, କିନ୍ତୁ ଜୁଲିଙ୍କ ସାଥିରେ ରହିବେ ବୋଲି ପ୍ରମୋଦ ନିଜ ଘରଦ୍ବାର ଛାଡ଼ି ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି।

ଜୁଲିଙ୍କ କହିବା କଥା ହେଲା, କେହି ତାଙ୍କୁ ଘରୁ ତଡ଼ି ଦେଇନାହାନ୍ତି। ବରଂ ସେ ଅଭିମାନରେ ଘରୁ ଚାଲିଆସିଥିଲେ। ପୁରୀ ଆସିବା ପରେ ପୁଲିସ୍‌ ଯୋଗସୂତ୍ରରେ ସେ ଆଶ୍ରୟସ୍ଥଳୀରେ ରହିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୋ ପୁଅ। ତେଣୁ ତାଙ୍କ ଭରସାରେ ଏହି ପୁରୀ ସହରକୁ ଚାଲିଆସିଥିଲି। ଭଗବାନ ହିଁ ତାଙ୍କୁ ଆଶ୍ରୟ ଦେଇଛନ୍ତି। ପ୍ରମୋଦ କୁହନ୍ତି, ପ୍ଲାଣ୍ଟ୍‌ରୁ କାମ ସାରି ଫେରିବା ପରେ ଦେଖିଲି ଜୁଲି ନାହିଁ। ବହୁତ ଖୋଜିଲି। ନପାଇବା ପରେ ଭାଙ୍ଗି ପଡ଼ିଥିଲି। ତେଣୁ ଜୀବନ ହାରିବାର ନିଷ୍ପତ୍ତି ନେଲି। ଶେଷରେ ଜୁଲି ଫୋନ୍‌ କଲା। ଆଉ କେବେ ବି ଆମେ ଦୁହେଁ ଅନ୍ତର ହେବୁନି ବୋଲି ପରସ୍ପରକୁ କଥା ଦେଇଛୁ। ଜୁଲି ଜୁଆଡ଼େ ମୁଁ ବି ସିଆଡ଼େ। ଜୁଲି ନାହିଁ ତ ମୁଁ ନାହିଁ। ଆଜିଯାଏ ସେ ମୋତେ କିଛି ମାଗିନି କି ମୁଁ ତାକୁ କିଛି ଦେଇନି। ତଥାପି ସେ ଖୁସି, ଆଉ ତା ଖୁସିରେ ମୁଁ ବି ଖୁସି..।