ଗାର୍ଗୀ ଶତପଥୀ
ସମ୍ବଲପୁର: ଦେଶମାତୃକାକୁ ବିଦେଶୀ ହାତରୁ ମୁକ୍ତ ପାଇଁ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ୩୭ ବର୍ଷ ଧରି ବନ୍ଦୀ ଜୀବନ କାଟିଥିଲେ। ଯାହା କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରେ ବିରଳ। ଏଭଳି ବୀର ଯୋଦ୍ଧାଙ୍କ ସଂଗ୍ରାମକୁ ସମ୍ମାନ ପାଇଁ ତାଙ୍କ ପ୍ରତିମୂର୍ତ୍ତିକୁ ସଂସଦ ଭବନରେ ସ୍ଥାନିତ କରିବାକୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ହେଲା କ୍ରମାଗତ ଭାବରେ ଦାବି ହୋଇଆସୁଛି। ଏପରିକି ଦୁଇ ଜଣ ପୂର୍ବତନ ସାଂସଦ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। କିନ୍ତୁ ସଂସଦ ଭବନରେ ସ୍ଥାନାଭାବ ଦର୍ଶାଇ ଏଥିପ୍ରତି ଗୁରୁତ୍ବ ଦିଆଯାଉନଥିଲା। ନୂତନ ସଂସଦ ଗୃହରେ ସୁରେନ୍ଦ୍ର ସାଏଙ୍କ ବିପ୍ଳବ ଏବଂ ସଂଗ୍ରାମକୁ ସରକାର ସମ୍ମାନ ଦେବେ ବୋଲି ଆଶା କରିଛନ୍ତି ଶିକ୍ଷାବିତ୍ ଏବଂ ସ୍ଥାନୀୟ ଅଧିବାସୀ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ୨୦୦୫ ମସିହାରେ ସଂସଦରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଦାବି ନେଇ ପୂର୍ବତନ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଦଳ ତତ୍କାଳୀନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜି, ବିରୋଧୀ ଦଳ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଥିଲେ। କିନ୍ତୁ ସ୍ଥାନାଭାବ ଯୋଗୁଁ ପ୍ରତିମୂର୍ତ୍ତି ସ୍ଥାପନ ସମ୍ଭବ ନୁହେଁ ବୋଲି ସେତେବେଳେ କୁହାଯାଇଥିଲା। ବର୍ତ୍ତମାନ ନୂତନ ସଂସଦ ଭବନ ନିର୍ମାଣ କରାଯାଇଛି। ଏହି ଦିଗରେ ସରକାର ଧ୍ୟାନ ଦେବେ ବୋଲି ଆଶା ରହିଛି। ସଂସଦ ଭବନରେ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ ଉଠାଇ ୨୦୧୯ ମସିହାରେ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ସ୍ବାଧୀନତା ସଂଗ୍ରାମରେ ୩୭ ବର୍ଷ କାରାବରଣ କରିଥିବା ସୁରେନ୍ଦ୍ର ସାଏ କେବଳ ଭାରତ ଇତିହାସ ନୁହେଁ, ବିଶ୍ବ ଇତିହାସର ବିରଳ ବ୍ୟକ୍ତିତ୍ବ।
ସ୍ବାଧୀନତା ପାଇଁ କାଳକୋଠରିରେ କଟିଥିଲା ୩୭ ବର୍ଷ
ତେଣୁ ନୂତନ ସଂସଦ ଭବନରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାନିତ କରାଯିବା ନେଇ ପାର୍ଲାମେଣ୍ଟ ଅଧିବେଶନ ସମୟରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ ଶ୍ରୀ ପୂଜାରୀଙ୍କୁ ଉତ୍ତର ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ନୂତନ ସରକାର ମଧ୍ୟ ନିଜ ସାଂସଦଙ୍କ ଦାବିକୁ ଗୁରୁତ୍ବ ଦେଇନାହିଁ। ଶିକ୍ଷାବିତ୍ ଶଙ୍କର ପତି କହିଛନ୍ତି, ପୁରୁଣା ସଂସଦ ଗୃହରେ ସ୍ଥାନାଭାବ ଦର୍ଶାଇ ୨୦୦୮ ମସିହାରୁ ସଂସଦ ଗୃହରେ ପ୍ରତିମୂର୍ତ୍ତି ରଖାଯିବା ସମ୍ଭବ ନୁହେଁ ବୋଲି ଚିଠି କରାଯାଇଥିଲା। ବର୍ତ୍ତମାନ ନୂତନ ସଂସଦ ଗୃହ ନିର୍ମାଣ ପରେ ଏଥିପ୍ରତି ସରକାର ଦୃଷ୍ଟି ଦେବା ପାଇଁ କ୍ରମାଗତ ଭାବରେ ଚିଠି ଲେଖାଯାଉଥିବା ଶ୍ରୀ ପତି କହିଛନ୍ତି। ୧୮୫୭ ମସିହାର ପ୍ରଥମ ସ୍ବାଧୀନତା ସଂଗ୍ରାମର ଅନେକ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଇଂରେଜ ସରକାରଙ୍କ ବିରୋଧରେ ବଡ଼ଧରଣର ‘ଉଲ୍ଗୁଲାନ୍’ (ସଂଗ୍ରାମ) ହୋଇଥିଲା। ଯାହାର ନେତୃତ୍ବ ନେଇଥିଲେ ବିପ୍ଳବୀ ସୁରେନ୍ଦ୍ର ସାଏ। ମାତ୍ର ୧୮ ବର୍ଷରେ ସେ ଯେଉଁ ଦୁର୍ବାର ଲଢ଼େଇ ଆରମ୍ଭ କରିଥିଲେ ତାହା ଇତିହାସରେ ବିରଳ। ପ୍ରଥମ ପର୍ଯ୍ୟାୟରେ ୧୮୨୭ରୁ ୧୮୪୦ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ଗୋରା ଫଉଜ ବିରୋଧରେ ଘମାଘୋଟ ଯୁଦ୍ଧ କରିଥିଲେ। ସୁରେନ୍ଦ୍ରଙ୍କ ଅପୂର୍ବ ସାହସ, ରଣକୌଶଳ ଆଗରେ ଇଂରେଜ ସରକାର ନାକେଦମ ହୋଇ ଯାଇଥିଲେ। ଏହି ବୀର ଓଡ଼ିଆ ଯୋଦ୍ଧା ୧୮୪୦ରୁ ୧୮୫୭ ମସିହା ହଜାରିବାଗ ଏବଂ ୧୮୬୪ରୁ ୧୮୮୪ ଅସିରଗଡ଼ ଜେଲରେ ରହି ସହିଦ ହୋଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/23/tZF8c8LZ1QYCxzcnQzEa.jpg)