ଆଜି ବିଶ୍ୱ ଏଡ୍‌ସ ଦିବସ: ଏଚ୍‌ଆଇଭି ଆକ୍ରାନ୍ତ ହୋଇ ବି ହାରିଲେନି

ସ୍ବେଚ୍ଛାସେବୀ ସଂସ୍ଥାରେ କାମ କରି ପରିବାର ପୋଷୁଛନ୍ତି

ରାଉରକେଲା : ଯେଉଁ ରୋଗରେ ଆକ୍ରାନ୍ତ ହେଲେ ମଣିଷ କେବଳ ଜୀବନର ଆଶା ଛାଡ଼ି ଦିଏନି, କାରଣ ନଥିଲେ ହେଁ ଲୋକଲଜ୍ଜାରେ ମୁହଁ ଲୁଚାଏ; ସେହି ଏଚ୍‌ଆଇଭି ଆକ୍ରାନ୍ତ ହୋଇଥିଲେ ବି ସେମାନେ ଭାଙ୍ଗି ପଡିନାହାନ୍ତି। ପ୍ରତି ମୁହୂର୍ତ୍ତରେ ଏହି ମାରାତ୍ମାକ ରୋଗ ସହ ଲଢ଼ି ଆଗକୁ ବଢ଼ି ଚାଲିଛନ୍ତି। ସାଧାରଣ ଲୋକଙ୍କ ପରି ଜୀବନଯାପନ କରୁଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ପ୍ରଦେଶର ଲୋକଙ୍କର ନିରନ୍ତର ଯା’ଆସ ଲାଗି ରହିଥିବା ସୁନ୍ଦରଗଡ଼ ଭଳି ଏକ ଜିଲ୍ଲାରେ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଭାଙ୍ଗି ନ ପଡ଼ିବାକୁ ଘରେ ଘରେ ବୁଲି ସଚେତନ କରାଉଛନ୍ତି। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ପୁରୁଷ ଓ ଜଣେ ମହିଳା।

ଆକ୍ରାନ୍ତଙ୍କ ଘର ରାଉରକେଲାରେ। ଦୁହେଁ ଏକ ସ୍ବେଚ୍ଛାସେବୀ ସଂସ୍ଥାରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ପରିବାର ବ୍ୟତୀତ ସବୁତକ ସମୟ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମରେ ଦେଉଛନ୍ତି। ଏମିତି କାମ କରି ଦୁହେଁ, ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ୧୦ ବର୍ଷର ଝିଅ ଓ ସ୍ବାମୀଙ୍କୁ ନେଇ ଏହି ମହିଳାଙ୍କ ପରିବାର। ଡ୍ରାଇଭର ସ୍ବାମୀ ଯାହା ରୋଜଗାର କରୁଥିଲେ ପରିବାର ଯାହା ଯେମିତି ଚଳୁଥିଲା। ତେବେ ୨୦୧୧ ନଭେମ୍ବର ମାସରେ ପରିବାରକୁ ମାଡ଼ି ଆସିଥିଲା ଦୁଃଖର ପାହାଡ଼। ଉଭୟ ପତି ଓ ପତ୍ନୀ ଅସୁସ୍ଥ ହୋଇ ପଡ଼ିଥିଲେ। ଦୁହେଁ ଏଚ୍‌ଆଇଭି ଟେଷ୍ଟ କରିଥିଲେ। ଦିନକ ପରେ ଦୁହିଁଙ୍କର ପଜିଟିଭ୍‌ ରିପୋର୍ଟ ଆସିଥିଲା। ତେବେ ତାଙ୍କର ୧୦ ବର୍ଷର ଝିଅ ସେଥିରୁ ମୁକ୍ତ ରହିଥିଲା। ମହିଳା ଜଣଙ୍କ ନିଜକୁ ଦୃଢ଼କରି ସ୍ବାମୀଙ୍କୁ ବି ଭାଙ୍ଗି ନ ପଡ଼ିବାକୁ ସାହସ ଦେଇଥିଲେ। ତେବେ ରୋଗ ବଢ଼ିବାପରେ ସ୍ବାମୀଙ୍କର ଗାଡ଼ି ଚଳାଇବାକୁ ବଳ ପାଇ ନଥିଲା। ସେ ଘରେ ବସି ଯାଇଥିଲେ। ସ୍ତ୍ରୀ କିନ୍ତୁ ହାରି ନଯାଇ ଘରୁ ଗୋଡ଼ କାଢ଼ିଥିଲେ। ଏହି ସ୍ବେଚ୍ଛାସେବୀ ସଂସ୍ଥାରେ ମାସିକ ୧୦ ହଜାର ଟଙ୍କାର କାମ ପାଇଥିଲେ। ସେବେଠୁ ମହିଳା ଜଣଙ୍କ ଉକ୍ତ ସଂସ୍ଥାରେ କାମ କରୁଛନ୍ତି। ପୂର୍ବପରି ତାଙ୍କ ପରିବାର ହସ ଖୁସିରେ ଚଳୁଛି। ‘ ଆମେ ପତି-ପତ୍ନୀ କେବେ ଏଚ୍‌ଆଇଭି ଆକ୍ରାନ୍ତ ହୋଇଛୁ ବୋଲି ଅନୁଭବ କରି ନାହୁଁ, ସାଧାରଣ ‌ଲୋକଙ୍କ ପରି ଜୀବନଯାପନ କରୁଛୁ।

ସେମିତି ଅନ୍ୟ ଜଣେ ଆକ୍ରାନ୍ତ ହେଲେ ରାଉରକେଲା ରେଲୱେ କଲୋନିର। ପତ୍ନୀ, ଦୁଇ ପୁଅ ଓ ଝିଅଙ୍କୁ ନେଇ ତାଙ୍କ ପରିବାର। ପେସାରେ ଫେରିବାଲା। ଗତ ୨୦୦୮ରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଏଚ୍‌ଆଇଭି ପରୀକ୍ଷା ପରେ ପତି ଓ ପତ୍ନୀଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ପତି-ପତ୍ନୀ ଦୁହେଁ କିନ୍ତୁ ଆଦୌ ଭାଙ୍ଗି ପଡ଼ି ନଥିଲେ। ପରେ ଦୁଇ ପୁଅ ଓ ଝିଅଙ୍କର ଏଚ୍‌ଆଇଭି ପରୀକ୍ଷା କରିଥିଲେ। ରିପୋର୍ଟ ଆସିଥିଲା ନେଭେଟିଭ୍‌ ଥିଲା। ଏଚ୍ଆଇଭି ଆକ୍ରାନ୍ତ ପରେ ସ୍ବାମୀ ଆଉ ବାହାରକୁ ଯାଇ ନଥିଲେ। ରାଉରକେଲାର ଉପରୋକ୍ତ ସ୍ବେଚ୍ଛାସେବୀ ସଂସ୍ଥାରେ ତାଙ୍କୁ କାମ ମିଳି ଯାଇଥିଲା। ୧୪ ବର୍ଷ ଧରି ଏଡ୍‌ସ ଉଭୟ ପତି-ପତ୍ନୀ ଏଡ୍‌ସ ରୋଗ ସହ ସଂଘର୍ଷ କରି ସାଧାରଣ ଲୋକଙ୍କ ପରି ଜୀବନଯାପନ କରୁଛନ୍ତି। ମଝିରେ ମଝିରେ କିଛି ସାମାନ୍ୟ ଅସୁସ୍ଥତା ବ୍ୟତୀତ ସେମାନେ ଅନ୍ୟମାନଙ୍କ ଭଳି ଜୀବନ ଯାପନ କରୁଛନ୍ତି। ଦୁହେଁ ଏହି ସ୍ବେସ୍ଥାସେବୀ ସଂସ୍ଥା ଆରମ୍ଭ କରିଥିବା ଉଦ୍ୟମର ଅଂଶ ବିଶେଷ ଅଛନ୍ତି। ଦୁହେଁ ଏଡ୍‌ସ ସଚେତନତା ବାର୍ତ୍ତା ବାଣ୍ଟିବା ସହିତ ଏହି ରୋଗରେ ଆକ୍ରାନ୍ତ ହେଲେ ହେଁ ତାହା ସହିତ କିଭଳି ବଞ୍ଚିହେବ, ଲୋକଙ୍କୁ ବୁଝାଉଛନ୍ତି।

ସମ୍ବନ୍ଧିତ ଖବର