ଭୁବନେଶ୍ବର: ରାଜ୍ୟରେ ଥିବା ଏଚ୍ଆଇଭି ଆକ୍ରାନ୍ତଙ୍କୁ ଠିକ୍ରେ ଔଷଧ ମିଳିପାରୁନି। ଏବେ ବାରିପଦାରେ ଏଭଳି ଅବସ୍ଥା ଉପୁଜିଛି। ପୂର୍ବରୁ ଅନୁଗୁଳରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ସାରା ବିଶ୍ବ ଆସନ୍ତାକାଲି ବିଶ୍ବ ଏଡ୍ସ ଦିବସ ପାଳନ କରିବାକୁ ଯାଉଥିବା ବେଳେ ଓଡ଼ିଶାରେ ଏଚ୍ଆଇଭି ଆକ୍ରାନ୍ତ(ପିଏଲ୍ଏଚ୍ଆଇଭି) ଏଭଳି ଅବସ୍ଥା ଦେଇ ଗତି କରୁଛନ୍ତି।
ବାରିପଦା ଏଆରଟିରେ ଗତ ସପ୍ତାହ ହେବ ଏଚ୍ଆଇଭି ଆକ୍ରାନ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏକ ନିର୍ଦ୍ଦିଷ୍ଟ ଔଷଧ ମିଳୁନାହିଁ। ଏହି କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପକ୍ଷରୁ ଯେଉଁ ଔଷଧ ଦିଆଯାଇଥିଲା ତାହାକୁ କିଛି ରୋଗୀ ପାଇଛନ୍ତି। ଅନେକ ଏବେ ବି ଅପେକ୍ଷାରେ। ଓସାକ୍ସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ଅନ୍ୟ ଜିଲ୍ଲାରେ ଥିବା ଏହି ନିର୍ଦ୍ଦିଷ୍ଟ ଔଷଧକୁ ବାରିପଦା ଏଆରଟିକୁ ପଠାଇବାକୁ ଉଦ୍ୟମ କରାଯାଉଛି ଏବଂ ଆଉ କିଛିଦିନ ଭିତରେ ଔଷଧ ପହଞ୍ଚିବ ବୋଲି ଜଣେ ଅଧିକାରୀ କହିଥିଲେ। ତେବେ ବାରିପଦା ଏଆରଟିରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା କେନ୍ଦ୍ରର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି। ଏହା କେବଳ ଦୁଇ କେନ୍ଦ୍ରର ଉଦାହାରଣ। ଅଧିକାଂଶ ସମୟରେ ରାଜ୍ୟର ଏଚ୍ଆଇଭି ଆକ୍ରାନ୍ତଙ୍କୁ ବିନା ଔଷଧରେ ଦିନ କାଟିବାକୁ ପଡ଼ୁଛି।
ସେହିପରି ଅନୁଗୁଳ ଏଆରଟିସିରେ ଏପ୍ରିଲ ମାସରୁ ୪ମାସ ପର୍ଯ୍ୟନ୍ତ ଏଚ୍ଆଇଭି ଆକ୍ରାନ୍ତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଲୋପିନାଭିର-ରିଟୋନାଭିର ଉପଲବ୍ଧ ନ ଥିଲା। ଅଗଷ୍ଟ ୨୨ ତାରିଖରୁ ଏହି ଔଷଧ ଉପଲବ୍ଧ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିପାରିଛି। ବିଶେଷଜ୍ଞଙ୍କ ମତରେ ଏଚ୍ଆଇଭି ଆକ୍ରାନ୍ତମାନେ ପ୍ରତ୍ୟେକ ଦିନ ଔଷଧ ଖାଇବା ଉଚିତ୍। ନଚେତ୍ ତାଙ୍କର ସିଡି୪ କମିଯିବା ସହିତ ଭାଇରାଲ ଲୋଡ୍ ବଢ଼ିଯିବାର ଆଶଙ୍କା ରହିଛି। ଏହାସହ ଡ୍ରଗ୍ ରେଜିଷ୍ଟାଣ୍ଟ୍ ବା ସହନଶୀଳନତା ମଧ୍ୟ ବୃଦ୍ଧି ପାଇଥାଏ। ଏ ଦୃଷ୍ଟିରୁ ଏଚ୍ଆଇଭି ଆକ୍ରାନ୍ତମାନେ କିଭଳି ନିୟମିତ ଔଷଧ ପାଇପାରିବେ ତାହାର ବ୍ୟବସ୍ଥା କରାଯିବା ଉଚିତ୍। ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା(ନାକୋ) ପକ୍ଷରୁ ଔଷଧ ଯୋଗାଣ ହୋଇଥାଏ। ଏହାସହ ରାଜ୍ୟ ସରକାର ମଧ୍ୟ ନିଜସ୍ବ ପାଣ୍ଠିରୁ ଔଷଧ କିଣିପାରିବାର ବ୍ୟବସ୍ଥା ରହିଛି। ମାତ୍ର ଓସାକ୍ସ ପକ୍ଷରୁ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହେଉଛି।
ଏହାସହ ଏଆଇଭିଙ୍କ ପାଇଁ ଉଦ୍ଦିଷ୍ଟ ଔଷଧକୁ ସରକାରଙ୍କ ଜରୁରୀକାଳୀନ ଔଷଧ ତାଲିକାରେ ସାମିଲ କରିବା ପାଇଁ ବିଭିନ୍ନ ସ୍ଥାନରୁ ଦାବି କରାଯାଉଛି। ଫଳରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ଔଷଧ ସଂକଟ ଦୂର ହୋଇପାରିବ। କେବଳ ଔଷଧ ଯୋଗାଣ ନୁହେଁ, ରାଜ୍ୟରେ ଏଚ୍ଆଇଭି ଓ ଏଡ୍ସ ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନକୁ ଲାଗୁ କରିବାରେ ଓସାକ୍ସ ବିଫଳ ହୋଇଛନ୍ତି। ୨୦୧୭ ମସିହାରେ କେନ୍ଦ୍ର ସରକାର ଏହି ଆଇନକୁ ବିଜ୍ଞପିତ କରିଥିଲେ। ୨୦୧୮ ମସିହାରେ ଏହି ନିୟମ ଆଧାରରେ ରାଜ୍ୟମାନଙ୍କୁ ନିଜସ୍ବ ନିୟମ ଓ ନିୟମାବଳୀ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଭିତରେ ୫ବର୍ଷ ବିତିବାକୁ ବସିଲାଣି, ରାଜ୍ୟ ସରକାର ନିଜସ୍ବ ଏଚ୍ଆଇଭି ନୀତି ପ୍ରଣୟନ କରିପାରିନାହାନ୍ତି। ୨୦୧୯ ମସିହାରୁ ଓସାକ୍ସ ଏହାର ଏକ ଚିଠା ପ୍ରସ୍ତୁତ କରିସାରିଛି। ଓସାକ୍ସ ପକ୍ଷରୁ ବିଭିନ୍ନ ବିଭାଗକୁ ନିଜ ନିଜର ମତାମତ ରଖିବା ପାଇଁ ଚିଠି ଜାରି ହୋଇଛି। ହେଲେ ଏହା ଉପରେ କ’ଣ ଅଗ୍ରଗତି ହୋଇଛି ଏହାର କୌଣସି ସ୍ପଷ୍ଟତା ନାହିଁ।
ଉଲ୍ଲେଖ ଯେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୬୦,୮୮୬ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ୪୭,୩୯୦ ଏଆରଟି ଅଧୀନରେ ପଞ୍ଜିକୃତ ହୋଇଛନ୍ତି। ୨୬,୧୬୪ଜଣ ଆକ୍ଟିଭ କେୟାରରେ ରହିଛନ୍ତି। ୧୧,୬୮୭ଜଣ ଏଚ୍ଆଇଭିରେ ମୃତ୍ୟୁ ହୋଇସାରିଛି।