ଭୁବନେଶ୍ବର: ପୁରୁଷମାନଙ୍କ ସମଲିଙ୍ଗୀ ଯୌନ ସଂପର୍କ(ଏମ୍‌ଏସ୍‌ଏମ୍‌) କାରଣରୁ ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣ ବଢ଼ୁଛି। ବିଗତ କିଛିବର୍ଷ ହେବ କଲେଜ ପିଲା ଓ ଯୁବଗୋଷ୍ଠୀ ଏଥିପାଇଁ ଏଚ୍‌ଆଇଭିର ଶିକାର ହେଉଥିବା ନଜରକୁ ଆସିଛି। ସାଧାରଣ ନାଗରିକ, ଗର୍ଭବତୀ ମହିଳା ଓ ମହିଳା ‌ଯୌନକର୍ମୀଙ୍କ କ୍ଷେତ୍ରରେ ଥିବା ସଂକ୍ରମଣ ହାର(ଟିପିଆର)ଠାରୁ ପୁରୁଷ ଯୌନକର୍ମୀ ସଂକ୍ରମଣ ହାର ଅଧିକ ରହିଛି। ଯାହାକି ରାଜ୍ୟ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି। 

Advertisment

ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ‌ସାଧାରଣ ନାଗରିକ, ଯୌନ କର୍ମୀଙ୍କ କ୍ଷେତ୍ରରେ ଏଚ୍‌ଆଇଭିର ଟିପିଆର ୦.୩% ରହିଥିବା ବେଳେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ୦.୦୨୩% ରହିଛି। ହେଲେ ସମଲିଙ୍ଗୀ ପୁରୁଷ ଯୌନକର୍ମୀଙ୍କ କ୍ଷେତ୍ରରେ ଏହା ୦.୮% ଦେଖିବାକୁ ମିଳିଛି। ବ୍ୟାପକ ସଚେତନତା ସତ୍ତ୍ବେ ଏଥିରେ ବିଶେଷ ସୁଧାର ଆସୁନାହିଁ। 
ରାଜ୍ୟରେ ୨୦୦୨ ମସିହାରୁ ୨୦୨୪ ଅକ୍ଟୋବର ମାସ ପର୍ଯ୍ୟନ୍ତ ୬୩,୪୩୭ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୪୨,୫୦୨ଜଣ ପୁରୁଷ ଓ ୨୦,୯୩୫ଜଣ ମହିଳା ଅଛନ୍ତି। ଆଜି ପର୍ଯ୍ୟନ୍ତ ୧୨,୬୨୯ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୩,୪୭୧ ଆକ୍ରାନ୍ତ ବା ୩୭% ହେଉଛନ୍ତି ଯୁବ ଗୋଷ୍ଠୀ। ଏବେ ୪୭,୫୦୮ଜଣ ଏଚ୍‌ଆଇଭି ଆକ୍ରାନ୍ତ(ପିଏଲ୍‌ଏଚ୍‌ଆଇଭି) ରହିଛନ୍ତି।  ଯାହାକି ସମୁଦାୟ ଜନସଂଖ୍ୟାର ୦.୧୨%। ଗତବର୍ଷ ରାଜ୍ୟରେ ୩୭୧୨ଜଣ ଓ ଚଳିତବର୍ଷ ଅକ୍ଟୋବର ସୁଦ୍ଧା ୨୭୧୪ଜଣ ଚିହ୍ନଟ ହୋଇଛନ୍ତି। ଯୁବ ଗୋଷ୍ଠୀଙ୍କ ଭିତରେ ଏଚ୍‌ଆଇଭି ସଚେତନତା ବଢ଼ାଇବା ଲାଗି ସ୍କୁଲ ଓ କଲେଜରେ ରେଡ୍ ରିବନ୍ କ୍ଲବ୍‌ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନସୁଦ୍ଧା ୭ଶହ କଲେଜ, ୮ଶହ ସ୍କୁଲକୁ ମିଶାଇ ସମୁଦାୟ ୧୫ଶହ କ୍ଲବ୍ କାର୍ଯ୍ୟ କରୁଛି। ଆସନ୍ତାବର୍ଷକୁ ଆହୁରି ୧୦୦ ସ୍କୁଲ ଓ କଲେଜରେ ରେଡ୍‌ ରିବନ୍‌ କ୍ଲବ୍ ବଢ଼ାଇବାକୁ ଯୋଜନା ହୋଇଛି। 

ନାଲିଫିତା ତଳେ ରାଜ୍ୟ ଏଚ୍‌ଆଇଭି ନୀତି

ସେହିପରି ସାଧାରଣ ଲୋକଙ୍କ ଭିତରେ ଏଚ୍‌ଆଇଭି-ଏଡ୍‌ସ ସଚେତନତା ବଢ଼ାଇବା ଲାଗି ଓସାକ୍ସ ପକ୍ଷରୁ ନିକଟରେ ୨ମାସ ଧରି ଏକ ଜୋରଦାର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ୪୦୬୦ ଗାଁ, ୬୫୩ ବସ୍ତିର ୪ଲକ୍ଷ ୨୦୯୭୧ଜଣଙ୍କୁ ସାମିଲ କରାଯାଇଥିଲା। ବିଭିନ୍ନ ଲୋକନୃତ୍ୟ ସାଙ୍ଗକୁ ଶତାଧିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସରକାରୀ ଡାକ୍ତରଖାନାରେ ୨୬୭ଟି ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୧୧,୬୨୫ଜଣଙ୍କ ସ୍କ୍ରିନିଂ ସହ ୧୨,୧୭୨ଜଣଙ୍କୁ କାଉନସେଲିଂ କରାଯାଇଥିବା ଓସାକ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରେ ଏଚ୍‌ଆଇଭି ଓ ଏଡ୍‌ସ ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନକୁ ଲାଗୁ କରିବାରେ ଓସାକ୍ସ ବିଫଳ ହୋଇଛି। ୨୦୧୭ ମସିହାରେ କେନ୍ଦ୍ର ସରକାର ଏହି ଆଇନକୁ ବିଜ୍ଞାପିତ କରିଥିଲେ। ୨୦୧୮ ମସିହାରେ ଏହି ନିୟମ ଆଧାରରେ ରାଜ୍ୟମାନଙ୍କୁ ନିଜସ୍ବ ନିୟମ ଓ ନିୟମାବଳୀ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଭିତରେ ୬ବର୍ଷ ବିତିବାକୁ ବସିଲାଣି, ରାଜ୍ୟ ସରକାର ନିଜସ୍ବ ଏଚ୍‌ଆଇଭି ନୀତି ପ୍ରଣୟନ କରିପାରିନାହାନ୍ତି। ୨୦୧୯ ମସିହାରୁ ଓସାକ୍ସ ଏହାର ଏକ ଚିଠା ପ୍ରସ୍ତୁତ କରିସାରିଛି। ଓସାକ୍ସ ପକ୍ଷରୁ ବିଭିନ୍ନ ବିଭାଗକୁ ନିଜ ନିଜର ମତାମତ ରଖିବା ପାଇଁ ଚିଠି ଜାରି ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି ଠୋସ୍ ନିଷ୍ପତ୍ତି ହୋଇପାରି ନ ଥିବା ସୂଚନା ମିଳିଛି।