ମାଫିଆଙ୍କୁ ସୁରକ୍ଷା ଦେଉଛି କିଏ ? ଓଡ଼ିଶାରୁ ବଜ୍ରକାପ୍ତା ମିଆଁମାର ଦେଇ ଚୀନ ଓ ଭିଏତନାମ ପର୍ଯ୍ୟନ୍ତ ଯାଉଛି

ଆଜି ବିଶ୍ୱ ବଜ୍ରକାପ୍ତା ଦିବସ

ଧ୍ବଂସ ମୁହଁକୁ ଠେଲିଦେଲେଣି
କେଉଁଠାରେ ଓ କେତେ ଅଛନ୍ତି?
ସଚେତନ ହେଉ ନାହାନ୍ତି ସରକାର
ଆଖିବୁଜା ଦୁର୍ନୀତି, ହାତୀ ବି ସୁରକ୍ଷିତ ନୁହେଁ

ଭୁବନେଶ୍ବର (ଭବାନୀ ଶଙ୍କର ତ୍ରିପାଠୀ): ରାଜ୍ୟରେ ବନୀକରଣରେ ଦୁର୍ନୀତି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କୋଟି କୋଟି ଟଙ୍କା ହଡ଼ପର ଗନ୍ଧ ଓଡ଼ିଶାର ସବୁ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଲାଣି। ତିନି ତିନିଟି ମାମଲାରେ ଲୋକାୟୁକ୍ତ ତନାଘନା କରୁଛନ୍ତି। ବନ ବିଭାଗର ସର୍ବୋଚ୍ଚସ୍ତରରେ ଥିବା ଅଧିକାରୀ ଅଭୟ ପାଠକଙ୍କ ଦୁର୍ନୀତିର ପେଡ଼ି ପ୍ରଶାସନିକ ଇତିହାସରେ ସବୁଦିନପାଇଁ ଆଲୋଚନା ଭିତରେ ରହିବ। ଏହାସତ୍ତ୍ବେ ବନ ବିଭାଗର ବାବୁମାନେ ଏତେ ବେଫିକର ଯେ ଯାଜପୁର ଜିଲ୍ଲାରେ ଭୂତ ଗାଡ଼ିରେ ଗଛରେ ପାଣି ଦେଇ ବିଲ୍ ହଡ଼ପ କରିବାର ଦୁଃସାହସ କରୁଛନ୍ତି। ସରକାର କାର୍ଯ୍ୟାନୁଷ୍ଠାନ ବଦଳରେ ହାତ ବାନ୍ଧି ବସିଛନ୍ତି।

ସେହିଭଳି ଦୁଇ ସପ୍ତାହ ଭିତରେ ଛଅଟି ହାତୀ ମୃତ୍ୟୁ ଘଟଣା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆନ୍ଦୋଳିତ କଲାଣି। ଜଙ୍ଗଲ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ହେଉ ବା ଉଭୟଙ୍କ ସଲାସୁତୁରାରେ ଶିକାରୀ ମାତିଛନ୍ତି। ପରିଣାମ ହେଲା ଗୋଟିଏ ପରେ ଗୋଟିଏ ଦନ୍ତା ଟଳି ପଡ଼ୁଛି ଘଞ୍ଚ ଜଙ୍ଗଲ ଭିତରେ। କେନ୍ଦ୍ର ସରକାର ଏହା ଉପରେ ତନାଘନା ଆରମ୍ଭ କଲେଣି। କିନ୍ତୁ ଓଡ଼ିଶାରେ କାହା ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ ହୋଇଛି?

Photo: Sambad

ରାଜ୍ୟରେ କେବଳ ଜଙ୍ଗଲ ଓ ହାତୀ ଯେ ବିପଦରେ ଅଛନ୍ତି, ତା’ ନୁହେଁ। ଆହୁରି ଗୁରୁତ୍ବପୂର୍ଣ୍ଣ ଅର୍ଥାତ୍ ଭାରତରେ ୧ ନମ୍ବର ସିଡ୍ୟୁଲଭୁକ୍ତ ବନ୍ୟ ପ୍ରାଣୀ ବଜ୍ରକାପ୍ତା ବି ଓଡ଼ିଶାରେ ଭୀଷଣ ସଙ୍କଟ ଭିତରେ ଗତି କରୁଛି। କଟକ ଜିଲ୍ଲାର ଆଠଗଡରୁ ସୋନପୁର, ବଲାଙ୍ଗୀର ଏବଂ ଏପଟେ ମାଲକାନଗିରିରୁ ନୟାଗଡ଼ ପର୍ଯ୍ୟନ୍ତ ସବୁଠି ଏହି ଅତି ବିରଳ ପତଙ୍ଗଭୋଜୀ ପ୍ରାଣୀକୁ ଶିକାର ଲାଗି ଏକ ବିଶାଳ ଅନ୍ତର୍ଜାତିକ ରାକେଟ୍ କାମ କରୁଛନ୍ତି। ଏ ସଂକ୍ରାନ୍ତ ରେକର୍ଡ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ଓ ବନ ବିଭାଗ ପାଖରେ ଅଛି।

‘ସମ୍ବାଦ’ ଏହି ପ୍ରାଣୀର ସୁରକ୍ଷା ପାଇଁ ପନ୍ଦରମାସ ହେଲାଣି ଜନସଚେତନତା ଜାରି ରଖିଛି। ହେଲେ ଚିନ୍ତାର ବିଷୟ ହେଉଛି, ଶିକାରୀ ଏମିତି ପରିସ୍ଥିତି ସୃଷ୍ଟି କଲେଣି ଯେ ବିଶେଷଜ୍ଞ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି ସମ୍ଭବତଃ ବିରଳ ବଜ୍ରକାପ୍ତାର ଉପସ୍ଥିତି ଓଡ଼ିଶାରେ ଥିଲା ବୋଲି ଆମ ପରବର୍ତ୍ତୀ ପିଢି ଗୋଟିଏ ସମୟରେ ଇତିହାସ ପୃଷ୍ଠାରେ ପଢ଼ିବେ। ଖୋଦ୍ ରାଜ୍ୟ ସରକାର, ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ, ସଚିବ, ବନ ବିଭାଗର ବଡ଼ ବାବୁମାନେ ଏହି ବିରଳ ସ୍ତନ୍ୟପ୍ରାୟୀ ପ୍ରାଣୀର ଗୁରୁତ୍ବ ସଂପର୍କରେ ଯେମିତି ନ ବୁଝିବା ଭଳି ଅଭିନୟ କରୁଛନ୍ତି। ଅନ୍ୟଥା ଆଜି ବିଶ୍ବ ବଜ୍ରକାପ୍ତା ଦିବସ ପରିପ୍ରେକ୍ଷୀରେ ବିଶ୍ବର ସବୁ ପ୍ରମୁଖ ରାଷ୍ଟ୍ରରେ ଏହା ସପକ୍ଷରେ ବ୍ୟାପକ ଅଭିଯାନ ଚାଲିଥିବା ବେଳେ ଓଡ଼ିଶା କିଭଳି ନିରବ ରହିଥାନ୍ତା? ରିପୋର୍ଟ ଲେଖା ହେବାପର୍ଯ୍ୟନ୍ତ ବନ ବିଭାଗ କହିପାରିନାହିଁ ଯେ ସରକାରୀସ୍ତରରେ ହେବାକୁ ଥିବା ଦଶମ ବଜ୍ରକାପ୍ତା ଦିବସ କେଉଁଠି ଓ କିଭଳି ପାଳନ ହେବ। ସମ୍ଭବତଃ ଏହା ମାଧ୍ୟମରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରକୃଷ୍ଟ ସମୟ ଥିଲା।

ଗୋଟିଏ ପଟେ ବଜ୍ରକାପ୍ତା ମାଫିଆଙ୍କ ବିରୋଧରେ ବ୍ୟାପକ ଅଭିଯାନ ଲାଗି ଠୋସ୍ ପଦକ୍ଷେପ ନେଉନାହିଁ ବନ ବିଭାଗ। ଅନ୍ୟପଟେ ବଜ୍ରକାପ୍ତା ସପକ୍ଷରେ ଜନସଚେତନତା ସୃଷ୍ଟି ଲାଗି କାର୍ଯ୍ୟକ୍ରମ ହାତକୁ ନେବା ବଦଳରେ ନିରବ ରହିବା ଘଟଣା ପରୋକ୍ଷରେ ବଜ୍ରକାପ୍ତା ମାଫିଆଙ୍କୁ ଉତ୍ସାହିତ କରୁଛି।

ବିଶ୍ବର ପ୍ରମୁଖ ବନ୍ୟପ୍ରାଣୀ ବିଶେଷଜ୍ଞମାେନ ମତ ରଖିଛନ୍ତି ଯେ ଏହି ପ୍ରାଣୀର ଅସ୍ତିତ୍ବ ଏବେ ଭୀଷଣ ସଙ୍କଟ େଦଇ ଗତି କରୁଛି। ବିଶ୍ବରେ ସବୁଠାରୁ ଅଧିକ ଶିକାର ହେଉଥିବା ପ୍ରାଣୀ ହେଉଛି ବଜ୍ରକାପ୍ତା। ଖାସ୍ ଏଇଥିପାଇଁ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ୧୮୦ଟି ଦେଶର ସରକାର ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଭାରତରେ ମଧ୍ୟପ୍ରଦେଶ ଭଳି ରାଜ୍ୟ ବଜ୍ରକାପ୍ତାଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ସେମାନଙ୍କ ନିକଟରେ ରେଡିଓ ଟ୍ୟାଗ୍ ଖଞ୍ଜୁଛନ୍ତି। ଏହା ଦ୍ବାରା ସେମାନଙ୍କ ଗତିବିଧି, କାର୍ଯ୍ୟକଳାପ ଓ ସୁରକ୍ଷା ଦିଗରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇପାରିବ।

ଅଥଚ ଓଡ଼ିଶା ସରକାରଙ୍କ ପାଖରେ ଏଯାଏ ହିସାବ ନାହିଁ ଯେ ଏହି ବିରଳ ପ୍ରଜାତିର ପ୍ରାଣୀ ରାଜ୍ୟରେ କେତେ ସଂଖ୍ୟାରେ ଅଛନ୍ତି? କେଉଁ କେଉଁ ଜିଲ୍ଲାରେ ସେମାନଙ୍କର ଉପସ୍ଥିତି ଅଛି? ବିଦେଶାଗତ ପକ୍ଷୀ, ପାଣି ଭିତରେ କୁମ୍ଭୀର, କଇଁଛ, ଡଲ୍‌ଫିନ୍ ଗଣନା କରିପାରୁଥିବା ସରକାର କାହିଁକି ଏ ଦିଗରେ ଏତେ ବୀତସ୍ଫୃହ, ତାହା ଚିନ୍ତାର କାରଣ। ଆହୁରି ଉଲ୍ଲେଖନୀୟ କଥା ହେଲା, ଓଡ଼ିଶାର ଆଠଗଡ଼ ହେଉ କି ସୋନପୁର, ଏଠାରେ ଯେଉଁମାନେ ବଜ୍ରକାପ୍ତା ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହେଲେ, ସେମାନେ ବେଶୀ ଦିନ ଜେଲ୍ କାନ୍ଥ ଭିତରେ ଅଟକିପାରିଲେ ନାହିଁ। ଅଧାପନ୍ତରିଆ ଭାବେ କେତେଜଣଙ୍କୁ ଗିରଫ କରିଦିଆଯାଉଛି। ହେଲେ ଏହି ରାକେଟ୍‌ରେ କିଙ୍ଗିପିନ୍‌କୁ କିଏ ସୁରକ୍ଷା ଦେଉଛନ୍ତି? କାହା ସାହସରେ ଏମାନେ ଓଡ଼ିଶାରେ ବେଫିକର ଭାବେ ବ୍ୟବସାୟ କରିପାରୁଛନ୍ତି?

hindi.indiawaterportal.org

ଉଲ୍ଲେଖଯୋଗ୍ୟ ଯେ ବିଶ୍ବରେ ୮ ପ୍ରକାରର ବଜ୍ରକାପ୍ତା ଦେଖାଯାନ୍ତି। ଏମଧ୍ୟରୁ ୪ଟି ପ୍ରଜାତିର ବଜ୍ରକାପ୍ତା ଏସିଆ ମହାଦେଶରେ ଦେଖାଯାନ୍ତି। ଭାରତୀୟ ବଜ୍ରକାପ୍ତାର ଚାହିଦା ବିଶ୍ବ ବଜାରରେ ଢେର୍ ଅଧିକ। ଶିକାରର ସଂଖ୍ୟା ଡରାଉଛି ଯେ ଓଡ଼ିଶାରେ ଏମାନଙ୍କର ସଂଖ୍ୟା କମୁଛି। ୨୦୧୮ରେ ‘ଟ୍ରାଫିକ୍’ ନାମକ ଏକ ଅନ୍ତର୍ଜାତୀୟ ବନ୍ୟ ପ୍ରାଣୀ ପରିଚାଳନା ସଂସ୍ଥା ସୂଚାଇଥିଲା ଯେ ୨୦୦୯ରୁ ୨୦୧୭ ମଧ୍ୟରେ ଭାରତରେ ପ୍ରାୟ ୬୦୦୦ ବଜ୍ରକାପ୍ତାଙ୍କୁ ମାରିଦିଆଯାଇଛି। ୧୦ ପ୍ରତିଶତ କ୍ଷେତ୍ରରେ ଅପରାଧୀ ଧରା ପଡିଛନ୍ତି। ଓଡ଼ିଶା କ୍ଷେତ୍ରରେ ଏହାର ହାର ଆହୁରି ନଗଣ୍ୟ।

୨୦୨୦ ଫେବ୍ରୁଆରି ମାସରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇଲା ଯେ ବଜ୍ରକାପ୍ତା ଠାରୁ କରୋନା ବ୍ୟାପିଥାଇପାରେ। ଏହା ଉପରେ ବିଶେଷ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିନାହିଁ। କିନ୍ତୁ ଏକଥା ଜଣାପଡ଼ିଛି କରୋନା ସଂପର୍କ ଜଣାପଡ଼ିବା ପରେ ବି ବିଶ୍ବ ବଜାରରେ ଏହି ବ୍ୟବସାୟ କମିନାହିଁ; ଓଡ଼ିଶାରେ ବଜ୍ରକାପ୍ତା ଶିକାର ସଂଖ୍ୟା ଏକାଧିକ ଜିଲ୍ଲାରେ ସାମ୍ନାକୁ ଆସିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଓଡ଼ିଶାର ବଜ୍ରକାପ୍ତା ମିଆଁମାର ଦେଇ ଚୀନ ଓ ଭିଏତନାମ ପର୍ଯ୍ୟନ୍ତ ଯାଉଛି। ଏହାର ମାଂସର ମୂଲ୍ୟ ବଜାରରେ ଅମୂଲ୍ୟ। କାତିର ଚାହିଦା ରହିଛି, ଏଇଥିପାଇଁ ଯେ ଏହା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତିରେ ବ୍ୟବହାର ହୁଏ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଭାରତର ବନ୍ୟପ୍ରାଣୀ ସୁରକ୍ଷା ଆଇନ୍, ୧୯୭୨ ଅନୁସାରେ ବଜ୍ରକାପ୍ତା ଧରିବା, ମାରିବା ବା ତାର ଦେହାବଶେଷ ରଖିବା ଏକ ଧର୍ତ୍ତବ୍ୟ ଅପରାଧ। ଏହା ସତ୍ତ୍ବେ ରାଜ୍ୟ ସରକାରଙ୍କ ବନ ବିଭାଗ କାହିଁକି ଏ ଦିଗରେ ବିଶେଷ ଆଗ୍ରହ ନେଉନାହିଁ, ତାହା ସବୁ ଅବୁଝା ରହିଛି।

ସମ୍ବନ୍ଧିତ ଖବର