ବିଶ୍ୱ ମଧୁମେହ(ଡାଇବେଟିସ୍‌) ଦିବସ ଆଜି

ଡା. ମହେଶ ରଥ

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ବିଶ୍ବ ମଧୁମେହ (ଡାଇବେଟିସ୍‌) ଦିବସ ଭାବେ ପାଳନ କରାଯାଉଛି। ଅନ୍ତର୍ଜାତୀୟ ଡାଇବେଟିସ୍‌ ଫେଡେ‌ରେସନ୍‌ (ଅ‌ାଇଡିଏଫ୍‌) ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌)ର ମିଳିତାନୁକୂଲ୍ୟରେ ୧୯୯୧ ମସିହା ଠାରୁ ଏହା ପାଳିତ ହୋଇଆସୁଛି। ଏହା ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନା ସୃଷ୍ଟି କରିବା।

ବ୍ଲୁ ସର୍କଲ ଲୋଗୋ
ବ୍ଲୁ ସର୍କଲ୍‌ ଲୋଗୋ ହେଉଛି ‘ବିଶ୍ବ ଡାଇବେଟିସ୍ ଡେ’ ର ବିଶ୍ବସ୍ତରୀୟ ଚିହ୍ନ ଏବଂ ଏହା ବିଶ୍ବ ବ୍ୟାପି ଡାଇବେଟିସ୍ ସମୁଦାୟର ଏକତାର ପ୍ରତୀକ ରୂପରେ ରୋଗୀମାନଙ୍କର ମନୋବଳ ବଢ଼ାଇବାରେ ସାହାଯ୍ୟ କରିଥାଏ।

ଥିମ୍‌
ପ୍ରତିବର୍ଷ ବିଶ୍ବ ମଧୁମେହ ଦିବସର ଗୋଟିଏ ଥିମ୍‌ ଧାର୍ଯ୍ୟ କରାଯାଏ। ଯାହାକୁ ଆଧାର କରି ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ ହୁଏ। ଚଳିତବର୍ଷ ଧାର୍ଯ୍ୟ କରାଯାଇଥିବା ଥିମ୍‌ ହେଉଛି ‘ଦି ନର୍ସ ଆଣ୍ଡ ଡାଇବେଟିସ୍‌’। ଏହି ଥିମ୍‌ର ମୁଖ୍ୟ ଲକ୍ଷ୍ୟ ହେଉଛି ମଧୁମେହ ରୋଗୀମାନଙ୍କ ଜୀବନ ଓ ଚିକିତ୍ସାରେ ନର୍ସମାନଙ୍କର ଗୁରୁତ୍ବ ଓ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସମ୍ପର୍କରେ
ସମସ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ନର୍ସମାନେ ହେଉଛନ୍ତି ଶତକଡ଼ା ୫୯ ପ୍ରତିଶତ। ସାରା ବିଶ୍ବରେ ୨.୭୯ କୋଟି ନର୍ସ ଅଛନ୍ତି, ଯାହା ସ୍ବାସ୍ଥ୍ୟକର୍ମୀ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ। କିନ୍ତୁ ଏହା ସତ୍ତ୍ବେ ଏବେ ମଧ୍ୟ ସ୍ବାସ୍ଥ୍ୟ ସେବାରେ ଆହୁରି ୫୯ ଲକ୍ଷ ନର୍ସଙ୍କର ଆବଶ୍ୟକତା ରହିଛି। ସାରାବିଶ୍ବରେ ୯୦ ପ୍ରତିଶତ ନର୍ସ ହେଉଛନ୍ତି ମହିଳା। ଆଇଡିଏଫ୍‌ (ଇଣ୍ଟରନ୍ୟାସିନାଲ ଡାଇବେଟିସ ଫେଡେରେସନ) ତାହାର ନିଜସ୍ବ ପ୍ରଚେଷ୍ଟାରେ ନୀତି ନିର୍ଦ୍ଧାରଣକାରୀ ଓ ନର୍ସମାନଙ୍କ ସହିତ ସିଧାସଳଖ ଆଲୋଚନା କରି ସ୍ବାସ୍ଥ୍ୟକର୍ମୀମାନେ କିପରି ମଧୁମେହ ରୋଗୀମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେଇପାରିବେ, ତାହା ନିଶ୍ଚିତ କରିଛି।

କୋଭିଡ୍‌-୧୯ ଓ ମଧୁମେହ
ମଧୁମେହରୋଗୀମାନଙ୍କଠାରେ କୌଣସି ଭୂତାଣୁ ସଂକ୍ରମଣ ହେଲେ ତାହା ଅତିଶୀଘ୍ର ମାଡ଼ିଯାଇ ରକ୍ତ ଶର୍କରା ମାତ୍ରାରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ, ଯାହା ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଜଟିଳ ହୋଇଯାଇଥାଏ। ସାଧାରଣ ଲୋକମାନଙ୍କ ଅପେକ୍ଷା ମଧୁମେହ ରୋଗୀମାନଙ୍କୁ କୋଭିଡ୍‌ ୧୯ ସଂକ୍ରମଣ ଅତି ସାଂଘାତିକ ହେବାର ସମ୍ଭାବନା ୫୦ ପ୍ରତିଶତ ଅଧିକ ଥାଏ। ସେଥିପାଇଁ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ। ନିଜର ରୋଗପ୍ରତିରୋଧକ ଶକ୍ତି କୁ ବଢ଼ାଇବା ଆବଶ୍ୟକ ମଧ୍ୟ। ‌େକାଭିଡ୍‌ ସଂକ୍ରମିତ ହେଲେ ନିଜର ମଧୁମେହକୁ ନିୟମିତ ଭାବରେ ମାପି ନିୟନ୍ତ୍ରଣରେ ରଖିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ସବୁଠାରୁ ସହଜ, ସରଳ ଓ ସୁରକ୍ଷିତ ଉପାୟ ହେଉଛି ଇନ୍‌ସୁଲିନ୍‌ ଇଞ୍ଜେକ୍‌ସନ ବ୍ୟବହାର କରିବା। ପରେ କୋଭିଡ୍‌ରୁ ଆରୋଗ୍ୟ ଲାଭ କଲା ପରେ ପୁଣି ଥରେ ବଟିକାକୁ ଫେରି ଆସିହେବ। ଯଦି ଆପଣଙ୍କ ରକ୍ତଶର୍କରା ନିୟନ୍ତ୍ରଣରେ ରହୁଛି ତେବେ କୋଭିଡ୍‌ ଆକ୍ରାନ୍ତ ମଧୁମେହ ରୋଗୀମାନେ ଇନ୍‌ସୁଲିନ୍‌କୁ ଭୟ ନକରି ଶୀଘ୍ର ଆରୋଗ୍ୟଲାଭ କରିବା ଲକ୍ଷ୍ୟରେ ଆପଣେଇ ନେବା ଉଚିତ।

ଡାଇବେଟିସ୍‌ କନ୍‌ସଲ୍‌ଟାଣ୍ଟ, ଭୁବନେଶ୍ବର

ସମ୍ବନ୍ଧିତ ଖବର