ଆଜି ବିଶ୍ବ ହସ୍ତୀ ଦିବସ: ବାଉଁଶ ବଣ ସୃଷ୍ଟି, ଜଙ୍ଗଲରେ ଜଳାଶୟ ଖନନ

ଗତ ୩ ବର୍ଷରେ ହାତୀ ଆକ୍ରମଣରେ ଜିଲ୍ଲାରୁ ମଲେଣି ୧୯, ୨୪ହଜାର ଏକରରୁ ଊର୍ଧ୍ବ ଶସ୍ୟକ୍ଷେତ୍ର କ୍ଷତିଗ୍ରସ୍ତ

ବାରିପଦା: ଜନବସତିରେ ହାତୀ। ଏକଦା ମଣିଷ ସମାଜର ଏକ ଉତ୍ତମ ବନ୍ଧୁ ରହିଆସିଥିବା ହାତୀ ବର୍ତ୍ତମାନ ଶତ୍ରୁପ୍ରାୟ ପାଲଟିଯାଇଛି। କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ’ କ୍ଷତିଗ୍ରସ୍ତ ହେଉଛି ଗରୀବ ଚାଷୀର ଭାତହାଣ୍ଡି। ପୁଣି ଭାଙ୍ଗୁଛି ନିଜର ଘର। ଏନେଇ ଗରୀବ ଆଦିବାସୀ ଏବଂ ସାଧାରଣ ଲୋକ ନାହିଁନଥିବା ହଇରାଣ ହେଉଛନ୍ତି। ବନବିଭାଗର ତଥ୍ୟ ଅନୁଯାୟୀ ଗତ ତିନିବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୧୯ଜଣ ହାତୀ ଆକ୍ରମଣରେ ପ୍ରାଣ ହରେଇଲେଣି। ୨୦୧୭-୧୮ରେ ଏହି ସଂଖ୍ୟା ୪ ଥିବାବେଳେ ୧୮-୧୯ରେ ୫ ଏବଂ ୧୯-୨୦ ରେ ଏହା ୧୦କୁ ବୃଦ୍ଧି ପାଇଛି। ଆଦିବାସୀ ଅଧ୍ୟୁଷିତ ପ୍ରାକୃତିକ ଜଙ୍ଗଲ ପରିବେଷ୍ଟିତ ମୟୂରଭଞ୍ଜ ଜିଲ୍ଲାରେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଏ। ସେହିପରି ଗତ ତିନି ଆର୍ଥିକ ବର୍ଷରେ ଜିଲ୍ଲାରେ ହାତୀ ଆକ୍ରମଣରେ ମୋଟ ୨୪ହଜାର ୭୧୦ ଏକରରୁ ଊର୍ଧ୍ବ ଚାଷ ଜମି, ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହି ସମୟ କାଳ ମଧ୍ୟରେ ମୋଟ ୬ହଜାର ୫ଶହ ୪୧ଜଣ ଚାଷୀ ପ୍ରଭାବିତ ହୋଇଛନ୍ତି। ସେହିପରି ହାତୀପଲ ୬୪ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ମାତ୍ର ଚଳିତ ବର୍ଷ ଆରମ୍ଭରୁ ଅଦ୍ୟାବଧି ହାତୀପଲଙ୍କ ଆକ୍ରମଣରେ ମଧ୍ୟ ବେଶ୍ କ୍ଷୟକ୍ଷତି ହୋଇଛି। ଯଦିଓ ମୃତକ, ଚାଷ ଜମି ଏବଂ ଘର ଭଙ୍ଗା ବାବଦକୁ ବନ ବିଭାଗ ବେଶ୍ ମୋଟା ଅଙ୍କର କ୍ଷତିପୂରଣ ରାଶି ପ୍ରଦାନ କରିଛି।

ମାତ୍ର ପ୍ରଶ୍ନ ଉଠେ କଣ ପାଇଁ ସୃଷ୍ଟି ହୋଇଛି ଏମିତି ମୁହାଁମୁହିଁ ପରିସ୍ଥିତି। ବର୍ଷର ପ୍ରାୟ ସବୁ ସମୟରେ ହାତୀପଲ ଜିଲ୍ଲାର ଅଧିକାଂଶ ବ୍ଲକ୍ରେ ବିଚରଣ କରୁଛନ୍ତି। ଆଜିକା ଦିନରେ ମଧ୍ୟ ବାରିପଦା, ବେତନଟୀ ଭଳି ବ୍ଲକ୍ ଅଞ୍ଚଳରେ ହାତୀପଲ ଘୁରିବୁଲୁଛନ୍ତି। ଯାହାକି ଜନସାଧାରଣଙ୍କ ପାଇଁ ଚିନ୍ତା ଏବଂ ବିପଦର କାରଣ ପାଲଟିଛି। ହାତୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଅଞ୍ଚଳ ବେଆଇନ ଭାବେ ଅଧିକୃତ ହୋଇଚାଲିଛି। ଜିଲ୍ଲାରେ ପ୍ରାୟ ୨ଶହରୁ ଅଢ଼େଇଶହ ବର୍ଗ କିମି ହାତୀ କରିଡର୍ ରହିଥିବା ବନ ବିଭାଗ ପକ୍ଷରୁ ପ୍ରକାଶ। ତଥାପି ସବୁ ଥାଇ ବି କିଛି ନଥିବା ପରି ମନେହୁଏ। ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ। ହେଉଛି ଲଢ଼େଇ। କେତେବେଳେ ହାତୀ ବଳିପଡ଼ୁଛି ତ’ ଆଉ କେତେବେଳେ ମଣିଷର ପ୍ରାଣ ଯାଉଛି। ତେବେ ହାତୀ କଥା ଉଠିଲେ ମୟୂରଭଞ୍ଜ ଜିଲ୍ଲାର ଗୁରୁତ୍ବ ସ୍ବତଃପ୍ରବୃତ୍ତ ଭାବେ ମନକୁ ଆସେେ। ଏହି ଜିଲ୍ଲା ହାତୀ’ଙ୍କ ପାଇଁ ଏକଦା ସ୍ବର୍ଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାତ୍ର କ୍ରମଶଃ ଏହି ଜିଲ୍ଲାରେ ହାତୀ ମଣିଷ ଲଢ଼େଇ ବୃଦ୍ଧିପାଇବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ବଢ଼ିଚାଲିଛି ହାତୀ ଉପଦ୍ରବ। ଆବାହମାନ କାଳରୁ ମନୁଷ୍ୟ ସଭ୍ୟତା ସହିତ ହାତୀ ର ରହିଆସିଥିବା ଆବେଗିକ ସମ୍ପର୍କ ଏବେ ଶତ୍ରୁତାରେ ରୂପାନ୍ତରିତ ହୋଇଥିବା ପରି ମନେହୁଏ। ଆଜିର ଯୁଗର ମଣିଷ ହାତୀର ଗୁରୁତ୍ବକୁ ଦୃଷ୍ଟି ନଦେଇ ନିଜର ସ୍ବାର୍ଥ କୁ ପ୍ରାଥମିକତା ଦେଉଛି। ଫଳରେ ଉଭୟ ଜାତି ନିଜ ନିଜର ଅସ୍ଥିତ୍ବ ପାଇଁ ମୁହାଁମୁହିଁ ହେଉଛନ୍ତି। ପ୍ରତିବର୍ଷ ଅଗଷ୍ଟ ମାସ ୧୨ରେ ସାରା ବିଶ୍ବ ପାଳନ କରେ ବିଶ୍ବ ହସ୍ତୀ ଦିବସ। ମାତ୍ର ବିଭିନ୍ନ କାରଣରୁ ଆଜି ସଙ୍କଟରେ ପଡ଼ିଛନ୍ତି ଗଜରାଜ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସୁଥିବା ହାତୀପଲ ଫସଲ ନଷ୍ଟ କରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଉଥିବା ପରିଲକ୍ଷିତ ହେଉଛି। ସେହିପରି ଚଳିତ ଋତୁରେ ଶିମିଳିପାଳ ହାତୀଙ୍କ ଉପଦ୍ରବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର କାହିଁକି ବଢ଼ୁଛି ଏହି ଲଢ଼େଇ, କଣ ଏହାର କାରଣ, କେଇହି ଏହାର ଅନୁସନ୍ଧାନ କରିବାକୁ ନାରାଜ। ମୟୂରଭଞ୍ଜରେ ୩ ଟି ହାତୀ କରିଡ଼ର ରହିଛି। ଶୁଖୁଆପଟା ହିଲ୍ କରିଡ଼ର, ପଶ୍ଚିମବଙ୍ଗ-ଦେଉଳି-ଶୁଳିଆପଦା ଓ ହଦଗଡ଼ କରିଡ଼ର ଭଳି ହାତୀ କରିଡ଼ର ରହିଛି। ମାତ୍ର ଜିଲ୍ଲାରେ ଶିମିଳିପାଳ ଓ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଉଥିବା ବେଆଇନ୍ ଖଣି ଖାଦାନ ଫଳରେ ଏମାନଙ୍କ ବାସସ୍ଥାନ ସଙ୍କୁଚିତ ହେଉଛି। ପଥର ଖଣିରେ ହେଉଥିବା ବିସ୍ଫୋରଣ ମଧ୍ୟ ହାତୀଙ୍କ ଜୀବନ ପ୍ରତି ବିପଦ ଡାକି ଆଣୁଛି। ଜଙ୍ଗଲକ୍ଷୟ ହେଉଛି ହାତୀ ମଣିଷ ଲଢ଼େଇର ଏକ ପ୍ରମୁଖ କାରଣ।

ଏକ ଶାନ୍ତିପ୍ରିୟ ପ୍ରାଣୀ ଭାବେ ଜଣାଶୁଣା ଗଜରାଜ ବର୍ତ୍ତମାନ ସମୟରେ ହୋଇଉଠୁଛନ୍ତି ଉଗ୍ରମୁଖା। ଏହାର ଅନେକ କାରଣ ରହିଛି। ନିଜର ବାସସ୍ଥାନ ଉପରେ ଆଖି ପକେଇଲେ ଯେକେହି ମଧ୍ୟ ହିଂସ୍ର ହେବା ସ୍ବାଭାବିକ। ୨୦୧୭ ଜୁଲାଇରେ ପ୍ରକାଶ ପାଇଥିବା ହାତୀ ଗଣନା ରିପୋର୍ଟ ଅନୁଯାୟୀ ମୟୂରଭଞ୍ଜରେ ୬୩୫ଟି ହାତୀ ଥିଲେ। ତନ୍ମଧ୍ୟରୁ ଶିମିଳିପାଳ କୋର୍ ଏରିଆରେ ସର୍ବାଧିକ ୩୩୦ଟି ହାତୀ ଥିବା ରିପୋର୍ଟରେ ପ୍ରକାଶିତ ହୋଇଥିଲା। ଏନେଇ ତତ୍କାଳିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ବିଧାନସଭାରେ ସୂଚନା ଦେଇଥିଲେ। ମାତ୍ର ୨୦୧୫ ହାତୀ ଗଣନା ରିପୋର୍ଟ ଅନୁଯାୟୀ ମୟୂରଭଞ୍ଜରେ ୬୪୯ଟି ହାତୀ ଥିଲେ। ଯାହା ୨୦୧୭ରେ କମି ୬୩୫ରେ ପହଞ୍ଚିଥିଲା। ହାତୀ ମୃତ୍ୟୁ ଏବଂ ସ୍ଥାନାନ୍ତରଣ ଫଳରେ ଏହି ସଂଖ୍ୟା କମିଥିବା ସେତେବେଳେ ସରକାରୀ ରିପୋର୍ଟରେ ଦର୍ଶାଯାଇଥିଲା। ମାତ୍ର ଏହା ମଧ୍ୟରେ ମୟୂରଭଞ୍ଜରେ ହାତୀ ମୃତ୍ୟୁ ବଢ଼ିଥିବା ଦୃଷ୍ଟିଗୋଚର ହୋଇଛି। ହାତୀ ମାନେ ଜନବସତି ମୁହାଁ ହେବା ଫଳରେ ଆନ୍ଥ୍ରାକ୍ସ ଭଳି ବିଭିନ୍ନ ଦୁରାରୋଗ ର ଶିକାର ହେଉଛନ୍ତି। ସେହିପିର ହାତୀ ଶିକାର ମଧ୍ୟ ନିରୀହ ଗଜରାଜଙ୍କର ପ୍ରାଣ ନେଉଛି। ହାତୀ ଦାନ୍ତ ଲୋଭରେ ଶିକାରୀ ମାନେ ଶିମିଳିପାଳ କୋର୍ ଏରିଆରେ ବିଭିନ୍ନ ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି। ଫଳରେ ହାତୀ ମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି।

ପ୍ରତିବର୍ଷ ମୟୂରଭଞ୍ଜକୁ ଶତାଧିକ ହାତୀ ବାହାର ରାଜ୍ୟରୁ ଆସିଥାଆନ୍ତି। ସେମାନେ ମଧ୍ୟ ଜିଲ୍ଲାରେ ଉପଦ୍ରବ ସୃଷ୍ଟି କରିଥାଆନ୍ତି। ତେବେ ନୂଆ ଜନବସତି ଆଡ଼କୁ ଆଉ ହାତୀଙ୍କୁ ପ୍ରବେଶ କରିବାକୁ ନଦେବାକୁ ବନ ବିଭାଗ ବ୍ୟାପକ ଯୋଜନା ହାତକୁ ନେଇଥିବା ଜଣାପଡ଼ିଛି। ମୟୂରଭଞ୍ଜରେ ବ୍ୟାପକ ବାଉଁଶ ଜଙ୍ଗଲ ସୃଷ୍ଟି କରିବା, ଜଙ୍ଗଲ ଭିତରେ ଜଳାଶୟ ଖନନ ବ୍ୟବସ୍ଥା, ହାତୀ କରିଡରରେ ଟ୍ରେଞ୍ଚ୍ ଖନନ ନେଇ ଯୋଜନା ରହିଛି। ସେହିପରି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଅନ୍ଲାଇନ ବ୍ୟବସ୍ଥାରେ ହାତୀ ଟ୍ରାକିଂ ବ୍ୟବସ୍ଥା ମଧ୍ୟ ଆଉ ଏକ ପଦକ୍ଷେପ। ଏହା ଫଳରେ ହାତୀମାନଙ୍କର ଗତିବିଧି ଉପରେ ଦୈନିକ ନଜର ରଖାଯାଉଛି। ଯାହା ଫଳରେ ବିଦ୍ୟୁତ ବିଭାଗ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗ ସହିତ ବନ ବିଭାଗ ଉତ୍ତମ ସମନ୍ବୟ ରଖିପାରୁଛି। ଯାହାଫଳରେ ବିଦ୍ୟୁତ ଜନିତ ଆଘାତରେ ଯେପରି ହାତୀ ନମରେ ସେନେଇ ଦୃଷ୍ଟି ଦିଆଯାଉଛି। ମାତ୍ର ହାତୀ ଖାଇବାକୁ ଭଲ ପାଉଥିବା ଅତାଣ୍ଡି ଲତା, ଶିଆଳି ଲତା ଭଳି ବନ୍ୟଜାତ ଦ୍ରବ୍ୟକୁ ସରକାର ସମସ୍ତଙ୍କ ପାଇଁ ମୁକ୍ତ କରିଦେଇଛନ୍ତି। ଫଳରେ ହାତୀଙ୍କ ପାଇଁ ଖାଦ୍ୟର ଅଭାବ ହେଉଛି। ତେଣୁ ଉପରୋକ୍ତ ପ୍ରକଳ୍ପଗୁଡ଼ିକର ବାସ୍ତବ କାର୍ଯ୍ୟକାରିତା ଗଜରାଜଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବ। ନଚେତ ହାତୀ ଆମ ସାଥୀ ଥିବା ପ୍ରାଣୀ କେବଳ ପୁସ୍ତକ ମଧ୍ୟରେ ସିମୀତ ହୋଇ ରହିଯିବ।

ସମ୍ବନ୍ଧିତ ଖବର