ଝାରସୁଗୁଡ଼ା : ପ୍ରଦୂଷଣ ଜାଲରେ ବନ୍ଧାପଡ଼ିଛି ଶିଳ୍ପନଗରୀ ଝାରସୁଗୁଡ଼ା। ଏହା ଏକ ଛୋଟ ସହର ହୋଇଥିଲେ ମଧ୍ୟ ପ୍ରଦୂଷଣର ମାତ୍ରା ବହୁ ଅଧିକ। ଦେଶର ଶହେ ପ୍ରଦୂଷିତ ସହର ତାଲିକାରେ ରହିଛି ଝାରସୁଗୁଡ଼ା। ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ‘ଗ୍ରିନ୍ପିସ୍ ଓ ସର୍ଭେ ସଂସ୍ଥା ‘ୱେଟଲାଣ୍ଡ ଇଣ୍ଟର ନ୍ୟାସ୍ନାଲ୍ ସାଉଥ-ଏସିଆ(ୱାଇଜା)ର ରିପୋର୍ଟ ଅନୁଯାୟୀ ଦେଶର ଯେଉଁ କେତେକ ସ୍ଥାନରେ ମାରାତ୍ମକ ସଲଫର୍ ଡାଇଅକ୍ସାଇଡ଼୍ ନିର୍ଗମନକାରୀ ଶିଳ୍ପସଂସ୍ଥା ରହିଛି ସେଥିମଧ୍ୟରେ ଝାରସୁଗୁଡ଼ାର ସର୍ବାଗ୍ରେ ରହିଛି। ଏଥିସହିତ ନିକଟରେ ଥିବା ହୀରାକୁଦ ଜଳଭଣ୍ଡାରରେ ଫିକାଲ କୋଲିଫର୍ମ ଏବଂ ଟୋଟାଲ କୋଲିଫର୍ମ ଜୀବାଣୁ ସହ ଉକ୍ତ ପାଣିରେ ଫ୍ଲୋରାଇଡ୍ର ମାତ୍ରା ବିପଜ୍ଜନକ ଅବସ୍ଥାରେ ଥିବା ଉଲ୍ଲେଖ କରାଯାଇଛି। ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳକୁ ପ୍ରଦୂଷଣ ଗ୍ରାସ କରିସାରିଛି। ଜିଲ୍ଲାରେ ବ୍ୟାପକ କୋଇଲା ଖଣି ଥିବାରୁ କୋଇଲା ଉତ୍ତୋଳନ ଓ ପରିବହନ ପ୍ରଦୂଷଣର ଅନ୍ୟ ଏକ କାରଣ ହୋଇଥିବାବେଳେ ଖଣି ସଂପ୍ରସାରଣ ଯୋଗୁଁ ପରିବେଶ ଧ୍ବଂସ ପାଉଛି। ବ୍ୟାପକ ତାପଜ ବିଦ୍ୟୁତ କାରଖାନା ଥିବାରୁ ଏଠାରୁ ଉଡ଼ନ୍ତା ପାଉଁଶ ଓ ରାସାୟନିକ ବର୍ଜ୍ୟ ପରିଚାଳନା ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏହା ବାୟୁମଣ୍ଡଳ ସହିତ ବିଭିନ୍ନ ଜଳ ଭଣ୍ଡାର, ଜଙ୍ଗଲ ଜମି ଓ ପ୍ରାକୃତିକ ଜଳ ଉତ୍ସଗୁଡ଼ିକୁ ଭୀଷଣ ଭାବେ ଦୂଷିତ କରୁଛି।
ଜିଲ୍ଲାରେ ଭୂଷଣ ଷ୍ଟିଲ, ବେଦାନ୍ତ ଆଲୁମିନା, ଆଦିତ୍ୟ ଆଲୁମିନା, ଏସ୍ଏମ୍ସି ଭଳି ଏ ଶ୍ରେଣୀର ଶିଳ୍ପ କାରଖାନା ରହିଛି। ଜିଲ୍ଲାର ଲଖନପୁର ବ୍ଲକରେ ଟିଆର୍ଏଲ୍, ଓପିଜିସି କାରଖାନା ଥିବାବେଳେ ଝାରସୁଗୁଡ଼ା ସୀମାକୁ ଲାଗି ଏନ୍ଟିପିସିର ତାପଜ ବିଦ୍ୟୁତ ପ୍ରକଳ୍ପ ରହିଛି। ଏବେ ଝାରସୁଗୁଡ଼ା-ସମ୍ବଲପୁର ସୀମାରେ ଆଉ ଏକ ବୃହତ୍ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ୍ କାରଖାନା ଓ ଲୌହ କାରଖାନାଗୁଡ଼ିକରେ ଦୈନିକ ହଜାର ହଜାର ଟନ୍ କୋଇଲା ଦହନ ହେବା ଫଳରେ ଏଥିରୁ ସଲଫର୍ ଡାଇ ଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ ଭଳି ମାରାତ୍ମକ ଗ୍ୟାସ ଓ ରାସାୟନିକ ଦ୍ରବ୍ୟ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶୁଛି। ଏହା ସହିତ ଏହି କାରଖାନା ମାନଙ୍କ ମଧ୍ୟରୁ ବିଭିନ୍ନ କଠିନ ବର୍ଜ୍ୟ ତଥା ଫ୍ଲାଏଆସ ଉତ୍ପନ୍ନ ହୋଇ ଏହି ଅଞ୍ଚଳର ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ମୁଖ୍ୟ କାରଣ ପାଲଟିଛି।
ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବେଦାନ୍ତ କାରଖାନାରୁ ଦୈନିକ ୨୨ ହଜାର ଟନ୍ ଏବଂ ଓପିଜିସିରୁ ୩ ହଜାର ୨ ଶହ ଟନ୍ ପାଉଁଶ ନିର୍ଗତ ହୁଏ। ବାୟୁ ମଣ୍ଡଳରେ ଭାସୁଥିବା ବିଷାକ୍ତ ଗୁଣ୍ଡ ସବୁଜ ବୃକ୍ଷଲତା ସହିତ ଉର୍ବର ଚାଷଜମି, ଭୂଗର୍ଭ ଜଳ ଏବଂ ମୁକ୍ତବାୟୁକୁ ପ୍ରଭାବିତ କରୁଥିବା ବିଶେଷଜ୍ଞ ମତ ଦେଇଛନ୍ତି। ମହାନଦୀର ଶାଖା ନଦୀ ଭେଡ଼େନ ଓ ଇବ୍ର ଜଳ ପ୍ରଦୂଷିତ ହୋଇ ସିଧାସଳଖ ହୀରାକୁଦ ଜଳଭଣ୍ଡାରର ଗଭୀର ଜଳରାଶିକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି। ଜିଲ୍ଲାରେ ବାସ୍ତବରେ ଶିଳ୍ପ ଜନିତ ପ୍ରଦୂଷଣର ପ୍ରଭାବ ବହନ କରିବାର କ୍ଷମତା କେତେ ତାର ପ୍ରକୃତ ମୂଲ୍ୟାୟନ ହେବା ଆବଶ୍ୟକତା ରହିଛି। ବିଭିନ୍ନ କାରଖାନା ବର୍ଜ୍ୟବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନଥିବାରୁ ପ୍ରଶାସନ, କମ୍ପାନି ଓ ସାଧାରଣ ଜନତାଙ୍କ ମଧ୍ୟରେ ପରସ୍ପର ପ୍ରତି ସଂଦେହ ସୃଷ୍ଟି ପାଉଛି।