ଆଜି ବିଶ୍ବ ପରିବେଶ ଦିବସ: ଜଂଗଲରେ ପ୍ରାକୃତିକ ଜଳସ୍ରୋତ ଶୁଖିଲା

ବରଗଡ଼ : ବରଗଡ଼ ଜିଲ୍ଲାରେ ସ୍ବାଭାବିକ ପାଣିପାଗରେ ତାରତମ୍ୟ ରହୁନାହିଁ। ଯାହାର ସିଧାସଳଖ ପ୍ରଭାବ ଜଂଗଲ ଜୀବନ ଉପରେ ପଡ଼ିଛି। ଏବେ ଟାଣଖରା ଏବଂ ପ୍ରବଳ ଗୁଳୁଗୁଳି ସ୍ବାଭାବିକ ଜନଜୀବନ ବିଗାଡ଼ି ଦେଇଛି। କିଛି ସ୍ଥାନରେ ବର୍ଷା ହେଉଥିବାବେଳେ ଆଉ କିଛି ସ୍ଥାନ ସଂପୂର୍ଣ୍ଣ ଟାଂଗରା। ଜଂଗଲରେ ଜୀବଜନ୍ତୁ ମଧ୍ୟ ଘୋର୍‌ ଅସୁବିଧାରେ ଅଛନ୍ତି। ଜଂଗଲଗୁଡ଼ିକରେ ପ୍ରାକୃତିକ ଜଳସ୍ରୋତ ଶୁଖି ଯାଇଛି। ପ୍ର‌ାକୃତିକ ଜଳାଶୟ ମଧ୍ୟ ଟାଂଗରା ହୋଇ ପଡ଼ିଛି। ଫଳରେ ଜୀବଜନ୍ତୁଙ୍କୁ ପାଣି ମିଳୁନାହିଁ। ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି।

ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରାୟ ୩୦ରୁ ଅଧିକ ଝରଣା ରହିଛି। ବର୍ଷା ଦିନେ ସବୁ ଝରଣା ସକ୍ରିୟ ଥାଏ। ପାହାଡ଼ ଉପରୁ ଝରି ଆସୁଥିବା ପାଣି ଦ୍ବାରା ଏହି ଋତୁକାଳୀନ ଝରଣା ସୃଷ୍ଟି କରିଥାଏ। ବିଶେଷକରି ଜୁଲାଇରୁ ସେପ୍ଟେମ୍ବର ଶେଷ ମାସ ଯାଏ ଝରଣା ଗୁଡ଼ିକ ସକ୍ରିୟ ଥାଆନ୍ତି। କିନ୍ତୁ ଖରା ମାସରେ ସବୁ ଟାଂଗରା ଭୂମିରେ ପରିଣତ ହୋଇଛି।  ଜଳସ୍ରୋତଗୁଡ଼ିକ ଶୁଖିଲା ଥିବାରୁ ଜଂଗଲରେ ସବୁଜିମା ମଧ୍ୟ ଲୋପ ପାଇଛି। ପ୍ରାକୃତିକ ସ୍ରୋତ କଡ଼ରେ ଥିବା ଗଛଲତା କ୍ରମାଗତ ଭାବେ ମରିବାକୁ ବସିଛନ୍ତି। ପାଣି ଅଭାବ ଯୋଗୁଁ ଡେବ୍ରିଗଡ଼ରେ ବନ୍ୟ ଜୀବନ ଏକପ୍ରକାର ଅସନ୍ତୁଳିତ ହେବାରେ ଲାଗିଛି। ବନ୍ୟଜନ୍ତୁଙ୍କ ପିଇବା ପାଣି ପାଇଁ ଏଠାରେ କୌଣସି କୃତ୍ରିମ ବ୍ୟବସ୍ଥା ନାହିଁ। ଖାଲୁଆ ଅଂଚଳରେ ଯାହା ପାଣି ଜମା ହୁଏ, ସେସବୁ ଖରା ଆରମ୍ଭ ହେବା ପୂର୍ବରୁ ଶୁଖି ଯାଇଛି। ତେଣୁ ଅଧିକାଂଶ ସମୟରେ ଜୀବଜନ୍ତୁ ଗୁଡ଼ିକ ଜଂଗଲ ଭିତରେ ଥିବା ଗାଁ ନିକଟସ୍ଥ ଜଳାଶୟକୁ ଚାଲି ଆସୁଛନ୍ତି। ଜଳାଭାବ ଯୋଗୁଁ ଡେବ୍ରିଗଡ଼ରେ ଥିବା ବିରଳ ଔଷଧୀୟ ବୃକ୍ଷ ଏବଂ ଗୁଳ୍ମ ହଜି ଯାଇଛି। ଜୀବଜନ୍ତୁ ପାଣି ପାଇଁ ଗାଁମୁହାଁ ହେଉଛନ୍ତି। ଯଦ୍ବାରା ସେମାନେ ସହଜରେ ଶିକାରୀଙ୍କ ଫାନ୍ଦରେ ଲାଗୁଛନ୍ତି।

ଅନ୍ୟପକ୍ଷରେ ଡେବ୍ରିଗଡ଼ରେ ସହଜ ଶିକାର ମିଳୁଥିବାରୁ ମାଫିଆମାନେ ମଧ୍ୟ ସକ୍ରିିୟ ହୋଇଛନ୍ତି। କିଛି ଦିନ ତଳେ ଅମ୍ବାଭୋନା ବ୍ଲକ୍‌ ଅଂଚଳରେ ବାର୍‌ହା ଶିକାର କରାଯାଇଥିଲା। ସେହିପରି ପଦ୍ମପୁର ଉପଖଣ୍ଡ ଝାଞ୍ଜ ପାହାଡ଼ରେ ହାତୀପଲର ଡେରା ରହିଛି। ପାହାଡ଼ ନିକଟସ୍ଥ ଜଂଗଲ ଭିତରେ ପାଣି ମହଜୁଦ ରହୁଥିଲା। ଘଞ୍ଚ ଜଂଗଲ ଯୋଗୁଁ ହାତୀଙ୍କୁ ଖାଦ୍ୟ ମଧ୍ୟ ମିଳୁଥିଲା। କିନ୍ତୁ ଏଥର ପାଣି ଏବଂ ଖାଦ୍ୟ ପାଇଁ ହାତୀପଲ ଆଖପାଖ ଗାଁକୁ ଚାଲି ଆସୁଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କ ଜୀବନ ମଧ୍ୟ ନେଉଛନ୍ତି।

ସମ୍ବନ୍ଧିତ ଖବର