ଆଜି ବିଶ୍ବ ଐତିହ୍ୟ ଦିବସ: ଭଗ୍ନ ଅବସ୍ଥାରେ ଶ୍ରୀକ୍ଷେତ୍ରର ୧୦୯ ମଠ

ପୁରୀ: ଆଧ୍ୟାତ୍ମିକ ସଂସ୍କୃତିର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର ‘ମଠ ସଂସ୍କୃତି’କୁ ନେଇ ସମୃଦ୍ଧ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହ ମଠ ସଂସ୍କୃତି ଓତପ୍ରୋତ ଭାବେ ଜଡ଼ିତ। ତେବେ ଆଧୁନିକତାର ସ୍ରୋତରେ ବଳି ପଡ଼ିଛି ବହୁ ମଠ। ଆଉ କିଛି ମଠ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି। ସ୍ଥିତି ଏତେ ଦୟନୀୟ ଯେ ବହୁ ମଠ ସମୟସ୍ରୋତରେ ଲୁପ୍ତ ହେବାକୁ ବସିଛି। ହଜାର ହଜାର ଏକର ଭୂସମ୍ପତ୍ତିର ମାଲିକାନା ଥିବାସତ୍ତ୍ବେ ମଠଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛନ୍ତି। ଶଙ୍କରାନନ୍ଦ ମଠ ହେଉ ଅବା ଗୋପାଳ ତୀର୍ଥ ମଠ। ମହୀପ୍ରକାଶ ମଠ ହେଉ ଅବା ରାଘବଦାସ ମଠ। ଏସବୁର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପାଖାପାଖି ୧୦୪ଟି ମଠ ଭଗ୍ନ ବା ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି।

ଆଦି ଶଙ୍କରାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ପୂର୍ବରୁ ପୁରୀ ବାଲି ସାହିସ୍ଥିତ ସର୍ବପ୍ରାଚୀନ ‘ଶଙ୍କରାନନ୍ଦ ମଠ’ ପ୍ରତିଷ୍ଠିତ ହୋଇଥିବା ଗବେଷକମାନେ କୁହନ୍ତି। ପ୍ରାଚୀନ ସନନ୍ଦ, ତାମ୍ରଲିପି, ଶିଳାଲେଖରୁ ସଂଗୃହୀତ ତଥ୍ୟ ମୁତାବକ ମଠର ସ୍ବାମୀମାନଙ୍କ ଅଗାଧ ପାଣ୍ଡିତ୍ୟ, ନିରାଡ଼ମ୍ବର ସନ୍ୟାସ ଜୀବନଯାପନ, ବେଦାନ୍ତ ଚର୍ଚ୍ଚା, ଆତିଥେୟତା ଦେଖି ଖ୍ରୀଷ୍ଟୀୟ ଦ୍ବାଦଶ ଶତାବ୍ଦୀରୁ ଅ‌ଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଅନେକ ରାଜା ମହାରାଜା ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଶଙ୍କରାନନ୍ଦ ମଠର ସ୍ବାମୀଙ୍କ ମାର୍ଫତରେ ପ୍ରଚୁର ଭୂ-ସମ୍ପତ୍ତି ଦାନ କରିଥିଲେ। ଦିନ ଥିଲା ମଠ ଅଧୀନରେ ୩୫ହଜାର ଏକର ସମ୍ପତ୍ତି ରହିଥିଲା। ମାତ୍ର ଜମିଦାରୀ ଉଚ୍ଛେଦ ଆଇନ ପ୍ରବର୍ତ୍ତିତ ହେବା ପରେ ପ୍ରଜାମାନେ ମଠ ସମ୍ପତ୍ତିର ସମ୍ପୂର୍ଣ୍ଣ ଦଖଲରେ ରହିଲେ। ଏବେ ବନ୍ଦୋବସ୍ତରେ ମଠ ନାମରେ ପ୍ରାୟ ୩ ହଜାର ଏକର ଭୂ-ସମ୍ପତ୍ତି ରେକର୍ଡ ହୋଇଛି। ମଠ ମଧ୍ୟରେ ମୁଖ୍ୟ ଇଷ୍ଟ ଦେବତା ଶ୍ରୀ ନୃସିଂହ ଦେବଙ୍କଠାରୁ ନେଇ ଲକ୍ଷ୍ମୀ ନୃସିଂହ, ଦୁର୍ଗା, ଧାତୁ ବିଗ୍ରହ, ରାଧାକୃଷ୍ଣ, ଶ୍ରୀଜଗନ୍ନାଥ, ଗଣେଶ, ସୀତାରାମ, ଲକ୍ଷ୍ମଣ, ଭରତ, ହନୁମାନ ଏବଂ ରୌପ୍ୟ ନିର୍ମିତ ଲୋକନାଥଙ୍କ ଚଳନ୍ତି ପ୍ରତିମା, ଚନ୍ଦ୍ରଶେଖର ,ଶାଳଗ୍ରାମ ଏବେ ବିପଦ ସଂକୁଳ ଓ ଅନ୍ଧାରିଆ ଘରେ ପୂଜା ପାଉଛନ୍ତି। ଦୀର୍ଘଦିନ ହେଲା ମଠର କେହି ମହନ୍ତ ନାହାନ୍ତି। ତେଣୁ ମଠ ଧ୍ବଂସାଭିମୁଖୀ ହେବାରେ ଲାଗିଛି। ସେହିପରି ଉତ୍କଳ ବିଦ୍ବତ ପରିଷଦ ପକ୍ଷରୁ ଶଙ୍କରାନନ୍ଦ ମଠର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲା। ପରିଷଦର ମନୋଜ କୁମାର ରଥଙ୍କ କହିବା ମୁତାବକ, ପୁରୀର ଏହି ସର୍ବପ୍ରାଚୀନ ମଠର ପୁନରୁଦ୍ଧାର ପାଇଁ ଦାବି ଉପସ୍ଥାପନ ପରେ ଜିଲ୍ଲାପାଳ ତହସିଲଦାରଙ୍କୁ ମଠର ସ୍ଥିତି ସମ୍ପର୍କରେ ରିପୋର୍ଟ ମାଗିଥିଲେ। ମଠ ଚତୁଃପାର୍ଶ୍ବରେ ସୁରକ୍ଷା ପ୍ରାଚୀର, ଆଲୋକୀକରଣ ସହ ପୁନରୁଦ୍ଧାର ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସବୁ ବିକାଶ କାର୍ଯ୍ୟ କେବଳ ପ୍ରତିଶ୍ରୁତିରେ ରହିଗଲା।

ସେହିପରି ଦୋଳମଣ୍ଡପସାହି ମଧ୍ୟଭାଗରେ ଥିବା ଐତିହ୍ୟ ଅଙ୍ଗିରା ମଠ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିର ଆକର୍ଷଣରେ ବ୍ରହ୍ମାଙ୍କ ମାନସପୁତ୍ର ମହର୍ଷି ଅଙ୍ଗିରା ଶ୍ରୀକ୍ଷେତ୍ର ଆସି ଜହ୍ନି ମୁଣ୍ଡିଆ ଛକ ନିକଟରେ ଆଶ୍ରମ ପ୍ରତିଷ୍ଠା କରି ଅବସ୍ଥାନ କରିଥିଲେ। ଏହା ମଧ୍ୟରେ ଥିବା ଅଶ୍ବତ୍‌ଥ ବୃକ୍ଷ ନିକଟରେ ମହର୍ଷି ଅଙ୍ଗିରା ତପସ୍ୟା କରୁଥିବା ଗୁମ୍ଫା ତଥା ‘ତପଘର’ ଏବେ ବି ମହଜୁଦ ରହିଛି। ମାତ୍ର ଧୀରେଧୀରେ ଏହା ଅସ୍ତିତ୍ବ ହରାଉଛି। ମଠ ପ୍ରାଙ୍ଗଣରେ ଥିବା ଗରୁଡ଼ ମୂର୍ତ୍ତି ଫନି ମାଡ଼ରେ ଭାଙ୍ଗିଯାଇଛି। ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରିଥିବା ମନ୍ଦିର ଘର ଫାଟି ଆଁ କରିଛି। ତପଘର ଉପରେ ବଟବୃକ୍ଷ ଚେର ସବାର ହୋଇଗଲାଣି। ସାମ୍ନାରେ ନିର୍ମିତ ଘର ମଧ୍ୟ ଭାଙ୍ଗି ଗଲାଣି। ଅଥଚ ଏଭଳି ଦୟନୀୟ ଅବସ୍ଥାରୁ ମଠକୁ ସୁରକ୍ଷା ଦିଆଯାଇ ପାରୁନାହିଁ। ସେହିଭଳି ଗୋପାଳତୀର୍ଥ ମଠ, ସାତଲହଡ଼ି ମଠର ବିକାଶ କରିବାର ସ୍ବପ୍ନ ଦେଖେଇ ପ୍ରଶାସନ ଠକି ଦେଇଛି। ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର କୁମାର ମିଶ୍ରଙ୍କ କହିବା ମୁତାବକ, ସମୟସ୍ରୋତରେ ବୈଦିକ କାଳ ତଥା ରାମାୟଣ କାଳର ଆଶ୍ରମ ଲୋପ ପାଇଯାଇଛି। ସେଥିମଧ୍ୟରୁ ଏବେ ବି ୪ଟି ଆଶ୍ରମ ମହାପ୍ରଭୁଙ୍କ ଉପାସନା ସହ ଜଡ଼ିତ ରହିଛି। ପ୍ରାଚୀନ କାଳରେ ଗଢ଼ି ଉଠିଥିବା ମଠ ମଧ୍ୟରୁ ୩୭୪ଟି ମଠ ବର୍ତ୍ତମାନ ରହିଥିଲେ ମଧ୍ୟ ୧୦୯ଟି ମଠ ଭଗ୍ନ ଓ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି। ସେଥିମଧ୍ୟରୁ ପ୍ରାଚୀନ ଶିବ ତୀର୍ଥ ଓ ବାଲିସାହିସ୍ଥିତ ଶଙ୍କରାନନ୍ଦ ମଠ ଲୁପ୍ତ ହେବାକୁ ବସିଛି। ମହୀପ୍ରକାଶ ମଠ ଓ ରାଘବ ଦାସ ମଠର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ଏଥିପ୍ରତି ଦୃଷ୍ଟିଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର