ଆଜି ବିଶ୍ବ ଐତିହ୍ୟ ଦିବସ: ଗବେଷଣା ଓ ପର୍ଯ୍ୟଟନ ବିକାଶ ଅପେକ୍ଷାରେ  ଉଷାକୋଠି ଗୁମ୍ଫାଚିତ୍ର

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଉଷାକୋଠି। ନାମରେ  ହିଁ ରହିଛି ଏକ ଭିନ୍ନ ଆକର୍ଷଣ। ଯାହା ଦର୍ଶନାଭିଳାଷୀ ପର୍ଯ୍ୟଟକ ଓ ଗବେଷକଙ୍କୁ ଟାଣି ନେଇଯାଏ। ପ୍ରାୟ ଦେଢ଼ ଶହ ଫୁଟ ଉଚ୍ଚତା ଓ ୨ ଶହ ଫୁଟର ଲମ୍ବ ଗୁମ୍ଫାର ବିଶାଳ ଭୂମିଶଯ୍ୟା, ଏହା  ସହ ଗୁମ୍ଫା ଭିତର କାନ୍ଥରେ ବର୍ଗାକାର ଓ ବୃତ୍ତାକାର ଛିଦ୍ର, ଆକର୍ଷଣୀୟ ଚିତ୍ରକଳା ଓ ଶିଳାଲେଖ ପର୍ଯ୍ୟଟକଙ୍କୁ ବିସ୍ମୟାଭିଭୂତ କରେ। କେହି କେହି ଏହାକୁ ପ୍ରାଗୈତିହାସିକ ଯୁଗର କହୁଥିଲେ ମଧ୍ୟ ଅଦ୍ୟାବଧି ଗୁମ୍ଫା ଚିତ୍ର ଓ ଶିଳାଲେଖାକୁ  ଚିହ୍ନଟ କରାଯାଇ ପାରିନାହିଁ । ସୁଉଚ୍ଚ ପର୍ବତମାଳା ଓ ସବୁଜ ବନାନୀ ଭିତରେ ଏ ଗୁମ୍ଫା ଚିତ୍ରକୁ ବହନ କରି ରହିଥିବା  ଶୈଳାଶ୍ରୟ ଉଷାକୋଠି ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ଧ୍ବସ୍ତ, ଶ୍ରୀହୀନ ହୋଇପଡ଼ୁଛି। ଏହା ସହ  ଗୁମ୍ପା ଚିତ୍ର ଓ  ଶିଳାଲେଖ ନିଶ୍ଚିହ୍ନ ହେବାରେ ଲାଗିଛି । ତେଣୁ  ଏହାର   ସୁରକ୍ଷା ସହ ଗୁମ୍ଫା

ଚିତ୍ର ସମ୍ପର୍କରେ  ଉଚ୍ଚ ଗବେଷଣା ଓ  ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ନିଆଗଲେ ଜିଲ୍ଲା ତଥା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏ ସ୍ଥାନଟି ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ନିଶ୍ଚୟ।  ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତର ଏକ ପର୍ବତମାଳାରେ ପ୍ରାଗୈତିହାସିକ ଗୁମ୍ଫା ଚିତ୍ର ସହ କିଛି ଇତିହାସ, ସଂସ୍କୃତି ଓ କିଛି କିମ୍ବଦନ୍ତୀକୁ ନେଇ ଅବସ୍ଥିତ ଉଷାକୋଠି ସୁନ୍ଦରଗଡ଼ ସହରରୁ ପ୍ରାୟ ୪୭ କିଲୋମିଟର ଦୂରରେ।  ଲେଫ୍ରିପଡ଼ାରୁ ଏହି ସ୍ଥାନର ଦୂରତ୍ୱ ମାତ୍ର ୨୦ କିଲୋମିଟର। ଜନଶ୍ରୁତି ରହିଛି, ବନବାସ ସମୟରେ ଭଗବାନ ରାମ, ଲକ୍ଷ୍ମଣ ଓ ସୀତା ଏଠାକୁ ଆସି ରହିଥିଲେ। ସେମାନଙ୍କ କିଛି ସ୍ମୃ୍ତି ସ୍ବରୂପ ଏଠାରେ ସୀତା ଦେବୀ ରୋଷେଇ କରୁଥିବା ଚୁଲି,  ଲକ୍ଷ୍ମଣଙ୍କ ପଦ ଚିହ୍ନ ରହିଥିବା କୁହାଯାଏ। ସେଥିପାଇଁ ପାହାଡ଼ ନିକଟରେ ଥିବା ଏକ ଗାଁର ନାମ ଲକ୍ଷ୍ମଣପା’।  ୩ଟି  ପର୍ବତକୁ ନେଇ ଗଠିତ ଏହି ପର୍ବତମାଳାର ପୂର୍ବ ପାଶ୍ୱର୍ସ୍ଥିତ ପର୍ବତ ଉଷାକୋଠି ନାମରେ ପରିଚିତ।   ଅନେକ ଏକ ଶୈଳାଶ୍ରୟ ଭାବେ ଅଭିହିତ କରିଥାନ୍ତି।  ମଝିରେ ନନ୍ଦି ପାହାଡ଼ ।

ଏହି ପାହାଡ଼ରେ ଏକ ପ୍ରକାର ଛୋଟ ଗୋଳାକାର ପଥର ସବୁ ଦେଖିବାକୁ ମିଳିଥାଏ । ଯାହାକୁ ଭାଙ୍ଗିଦେଲେ ସିନ୍ଦୁର ରଙ୍ଗର ଗୁଣ୍ଡ ବାହାରିଥାଏ । ତେଣୁ ଲୋକେ ଏହି ପଥରକୁ ସୀତାଦେବୀଙ୍କ ‘ସିନ୍ଦୁର ଫରୁଆ’ ବୋଲି ଆଖ୍ୟା ଦେଇଛନ୍ତି । ପଶ୍ଚିମରେ ଥିବା ପର୍ବତ ଉପରେ ଭଗବାନ ଶ୍ରୀରାମ ମହାଦେବଙ୍କୁ ଆରାଧନା କରୁଥିଲେ ବୋଲି ଲୋକକଥାରୁ ଶୁଣିବାକୁ ମିଳେ । ସେହିପରି ଉଷାକୋଠିରେ ମହାଭାରତ ଯୁଗର କାହାଣୀ ମଧ୍ୟ ରହିଛି। ବ୍ୟାସଦେବକୃତ ମହାଭାରତ ଗ୍ରନ୍ଥାନୁସାରେ ନାଗରାଜା କୌସ୍ତଭ୍ୟ କନିକା ଓ ବେଲପାହାଡ଼ ମଝିରେ ତିବା ମାହେଶ୍ୱରୀ ପାହାଡ଼ରେ ନିଜର ରାଜଧାନୀ କରି ଏହି ଅଞ୍ଚଳରେ ରାଜତ୍ୱ କରୁଥିଲେ । ସେହି ରାଜାଙ୍କ କନ୍ୟା ଉଲୁପିଙ୍କ ନାମାନୁସାରେ ଏହି ଗଡ଼ର ନାଁ ଉଲାପଗଡ଼ ।

କୁହାଯାଏ ପାଣ୍ଡବ ଭ୍ରାତା ଅର୍ଜୁନଙ୍କ ସହିତ ଉଲୁପିର ପ୍ରେମ ପ୍ରଣୟ ଓ ବିବାହ ହୋଇଥିଲା । ତେଣୁ ଅନୁମେୟ  ମହାଭାରତ ଯୁଗରେ ନାଗବଂଶୀ କନ୍ୟା ଉଲୁପି ତଥା ଅର୍ଜୁନଙ୍କ ପ୍ରଣୟିନୀ ଏହି ଉଳାପଗଡ଼ରେ ର୍ହି ଅବସ୍ଥାନ କରୁଥିଲେ । ସେତେବେଳେ ଉଷାକୋଠିର ପାଦଦେଶରେ ଥିବା ସରଫଗଡ଼ ଗ୍ରାମ ମଧ୍ୟ  ନାଗବଂଶୀ ରାଜାଙ୍କ ରାଜଧାନୀ ଥିଲା। ଏହାଛଡ଼ା ଖ୍ରୀଷ୍ଟୀୟ ଷଷ୍ଠ ଶତାଦ୍ଦୀରେ ଶରଭପୁର ରାଜ୍ୟ ଏଠାରେ ପ୍ରତିଷ୍ଠା ଲାଭ କରିଥିଲା ଓ  ଉଷାକୋଠି ପାଦଦେଶରେ ରହିଥିବା ସରଫଗଡ଼ ଏହାର ରାଜଧାନୀ ଥିଲା ବୋଲି ଇତିହାସରୁ ଜଣାଯାଏ । ଶରଭପୁରୀୟମାନଙ୍କ ଉଷାକୋଠୀ ସହିତ ନିବିଡ଼ ସଂପର୍କ ରହିଥିବା ଲୋକ କାହାଣୀରୁ ଶୁଣିବାକୁ ମିଳେ । ଶରଭପୁରର ରାଜଧାନୀ କ୍ରମେ ମଧ୍ୟପ୍ରଦେଶର ଶିରୀପୁରକୁ ସ୍ଥାନାନ୍ତରିତ ହୋଇଥିଲା ।

ଶରଭପୁର ଶାସନର ଦୀର୍ଘ ବର୍ଷ ଅତିକ୍ରାନ୍ତ ପରେ ୯୨୮-୯୩୦ ଖ୍ରୀଷ୍ଟାଦ୍ଧରେ ଏହି ଅଂଚଳ କେଶରୀ ଶାସକଙ୍କ ଅଧିକୃତ ହୋଇଥିଲା । ହେମଗିର ସ୍ଥିତ ଜୁନାଗଡ଼ ଏହି ଶାସକଙ୍କ ରାଜଧାନୀ ଥିଲା ବେଳେ ସରଫଗଡ଼ ଓ ମଶାବିରାଗଡ଼ ମଧ୍ୟ ତାଙ୍କ ଅଧୀନରେ ରହିଥିଲା। ଉଷାକୋଠି ସେହି ଶାସକଙ୍କ ସମୟରେ ଲୋକଲୋଚନକୁ ଆସିଥିବା କୁହାଯାଏ।  ପ୍ରାଚୀନ କାଳରେ ମୁନିଋଷିମାନେ ଏହି ଶୈଳାଶ୍ରୟରେ ତପସ୍ୟା କରୁଥିଲେ ବୋଲି ଲୋକେ କହନ୍ତି। ହଜାର ହଜାର ବର୍ଷର ଇତିହାସର ମୁକସାକ୍ଷୀ ଏହି ଉଷାକୋଠିର ଗୁମ୍ଫାଚିତ୍ର ସମ୍ପର୍କରେ ଗବେଷଣା ପାଇଁ ଦେଶବିଦେଶରୁ  ଗବେଷକମାନେ ଆସୁଛନ୍ତି। ସେହିପରି  ପର୍ଯ୍ୟଟକମାନେ ମଧ୍ୟ ଛୁଟି ଆସୁଛନ୍ତି।   ହେଲେ ପୀଠ ପ୍ରତି ପର୍ଯ୍ୟଟନ ବିଭାଗ ଓ ପ୍ରାଶାସନର  ଅବହେଳା ଯୋଗୁଁ ବହୁ  ସମୟରେ ସେମାନ ସମସ୍ୟାରେ ପଡ଼ି ହତାଶ ହୋଇ ଫେରୁଛନ୍ତି।

ଉଷାକୋଠିକୁ ଭଲ ରାସ୍ତା ନାହିଁ।  ୧୫ କିଲୋମିଟର ଜଙ୍ଗଲର  ଆବୁଡ଼ାଖାବୁଡ଼ା ପଥୁରିଆ ରାସ୍ତାରେ ଯିବାକୁ ହେବ। ଉଷାକୋଠିକୁ ଯିବାକୁ କୌଣସି ମାର୍ଗ ସୂଚନା ଫଳକ ନଥିବାରୁ ଲୋକେ ବାଟବଣା ହେବାର ସମ୍ଭାବନା ଅଧିକ।  ଏଯାଏ ପୀଠରେ ବିଦ୍ୟୁତ ସଂଯୋଗ ହୋଇ ନଥିବା ବେଳେ ପର୍ଯ୍ୟଟକ ବା ପରିଦର୍ଶକମାନଙ୍କ ପାଇଁ ବିଶ୍ରାମଗୃହଟେ  ନାହିଁ।  କିଛି ବର୍ଷ ତଳେ ସେଠାରେ   ନଳକୂପଟେ ଖୋଳା ଯାଇଥିଲେ ମଧ୍ୟ ପାନୀୟଯୋଗ୍ୟ ପାଣି ବାହାରୁ ନାହିଁ। ସେହିପରି  ୧୫ କିଲୋମିଟର ମଧ୍ୟରେ ଖାଦ୍ୟପେୟର କୌଣସି ବ୍ୟବସ୍ଥା ନାହିଁ।   ତେଣୁ ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ଏସବୁ ବ୍ୟବସ୍ଥା ସହ ଉଷାକୋଠିର  ସୁରକ୍ଷା  ଓ ବିକାଶ ଅତ୍ୟନ୍ତ ଜରୁରୀ।

ସମ୍ବନ୍ଧିତ ଖବର