ବିଶ୍ବ ମାନବାଧିକାର ଦିବସ ଆଜି: ପରିସୀମା, ମାମଲା ଉଭୟ ବଢ଼ିଛି

୨୦ବର୍ଷରେ ଏନ୍‌ଏଚ୍‌ଆରସିରେ ୭୩ହଜାରରୁ ଅଧିକ ମାମଲା, ରାଜ୍ୟ ମାନବାଧିକାର କମିସନରେ ପଡ଼ିଛି ୧୪ହଜାର ମାମଲା

ଭୁବନେଶ୍ବର: ରାଜ୍ୟରେ ମାନବାଧିକାର ଉଲ୍ଲଂଘନ ମାମଲା ବୃଦ୍ଧି ପାଉଛି। ନିକଟରେ ପୁରୀର ବାସେଳିସାହିର ପୁଲିସ ହାଜତ ମୃତ୍ୟୁ ହେଉ କିମ୍ବା ପରୀ ହତ୍ୟା ମାମଲା, ସବୁଥିରେ ମାନବାଧିକାର ଉଲ୍ଲଂଘନ ନଜରକୁ ଆସୁଛି। ବିଶେଷକରି ସାଧାରଣ ଲୋକଙ୍କ ଉପରେ ପୁଲିସ ଅତ୍ୟାଚାର ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହେଲାଣି ଯେ, ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଥାନାରେ ନିଯୁକ୍ତି ନ ଦେଇ ମାନବାଧିକାର ସଂପର୍କିତ ତାଲିମ ଦେବା ଲାଗି ମାନବାଧିକାର ଆୟୋଗଙ୍କୁ ନିର୍ଦେଶ ଦେବାକୁ ପଡ଼ୁଛି। ମଣିଷ, ମଣିଷ ଭଳି ବଞ୍ଚିବ ଓ ମର୍ଯ୍ୟାଦାର ସହ ବଞ୍ଚିବ ଏହା ହେଉଛି ମାନବାଧିକାରର ମୂଳମନ୍ତ୍ର। ମା’ର ଜରାୟୁଠାରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିର ମାନବାଧିକାର ରହିଛି। ମାତ୍ର ଅଧିକାଂଶ କ୍ଷେତ୍ରରେ ମାନବାଧିକାରର ସୁରକ୍ଷା ହୋଇପାରୁ ନାହିଁ। ମାନବାଧିକାରର ପରିସୀମା କେବଳ ପୁଲିସର ଅତ୍ୟାଚାର, ହାଜତ ମୃତ୍ୟୁ କିମ୍ବା ଏନକାଉଣ୍ଟରରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଭିତରେ ସୀମିତ ରହିନାହିଁ। ବର୍ତମାନ ପରିସ୍ଥିତିରେ ମାନବାଧିକାର ବେଶ୍ ବ୍ୟାପକ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ଭଳି କ୍ଷେତ୍ରରେ ମାନବାଧିକାରକୁ ଗୁରୁତ୍ବ ଦିଆଯାଉଛି।

ମାନବାଧିକାରର ସୁରକ୍ଷା ଦିଗରେ ଓଡ଼ିଶାର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ପ୍ରତିବର୍ଷ ରାଜ୍ୟରେ ଶହ ଶହ ମାମଲା ରାଜ୍ୟ ମାନବାଧିକାର କମିସନ ସହିତ ଜାତୀୟ ମାନବାଧିକାର କମିସନରେ ଅଭିଯୋଗ ହେଉଛି। ରାଜ୍ୟରେ ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୧୪,୮୮୭ ମାମଲା ବିଚାରାଧୀନ ରହିଛି। ପ୍ରତିବର୍ଷ ଏହି ମାମଲା ବଢ଼ି ଚାଲିଛି। ସେହିପରି ଗତ ୨୦ବର୍ଷ ଭିତରେ ଜାତୀୟ ମାନବାଧିକାର କମିସନରେ ୭୩ହଜାରରୁ ଅଧିକ ମାମଲା ଦାୟର ହୋଇଛି। ତେଣୁ ମାନବାଧିକାରର ସୁରକ୍ଷା ଦିଗରେ ରାଜ୍ୟର ସ୍ଥିତି ଏଥିରୁ ସହଜରେ ଅନୁମେୟ। କେବଳ ବ୍ୟକ୍ତିଗତ ମାନବାଧିକାର ଉଲ୍ଲଂଘନର ବିଚାର ଦିଗରେ କମିସନ ଯେତିକି ଗୁରୁତ୍ବ ଦେଉଛନ୍ତି ନୀତିଗତ/ବୃହତର ସ୍ବାର୍ଥ କ୍ଷେତ୍ରରେ କମିସନର ସେଭଳି ଆଗ୍ରହ ଦେଖାଉ ନାହାନ୍ତି। ସେହିପରି ଅନେକ କ୍ଷେତ୍ରରେ କମିସନ ମାନବାଧିକାର ଉଲ୍ଲଂଘନର ବିଚାର କରି ଯେଉଁ ନିର୍ଦେଶ ଦେଉଛନ୍ତି ସରକାରୀ ସ୍ତରରେ ମଧ୍ୟ ଏହାକୁ ଠିକ୍‌ରେ ପାଳନ କରାଯାଉ ନାହିଁ। ମାନବାଧିକାର କେବଳ ମାନବାଧିକାର କମିସନ ମଧ୍ୟରେ ସୀମିତ ନୁହେଁ। ମାନବାଧିକାର କମିସନ ବାଦ୍ ସୂଚନା କମିସନ, ଶିଶୁ ଅଧିକାର ସୁରକ୍ଷା, ମହିଳା କମିସନ, ଖାଦ୍ୟ କମିସନ ଓ ଲୋକାୟୁକ୍ତ ମଧ୍ୟ ମାନବାଧିକାର ପରିସର ଅନ୍ତର୍ଭୁକ୍ତ। ତେଣୁ ଏସବୁ କମିସନକୁ ଅନୁଶୀଳନ କଲେ ସେଠାରେ ମଧ୍ୟ ଅନେକ ମାମଲା ପଡ଼ି ରହିଛି।

ବିଶିଷ୍ଟ ମାନବାଧିକାର କର୍ମୀ ମନୋଜ ଜେନାଙ୍କ କହିବା ମୁତାବକ, ୨୦୦୦-୨୦୨୦ ମସିହା ଭିତରେ ଏନ୍‌ଏଚ୍‌ଆରସିରେ ୭୩,୧୪୯ ମାମଲା ଦାୟର ହୋଇଛି। ଏଥିରେ ୧୦୩୫ଟି ବିଚାର ବିଭାଗୀୟ ହାଜତ ମୃତ୍ୟୁ ଥିବା ବେଳେ ୭୯ ପୁଲିସ ହାଜତ ମୃତ୍ୟୁ ଓ ୮୭ଟି ମାମଲା ଏନ୍‌କାଉଣ୍ଟର। ଏହାବାଦ୍ ଅନ୍ୟ କମିସନରେ ଥିବା ମାମଲା ଗୁଡ଼ିକୁ ବିଚାର କଲେ ଏହି ସଂଖ୍ୟା ଆହୁରି ଅଧିକ ହେବ। ଦିନକୁ ଦିନ ମାନବାଧିକାର ଉଲ୍ଲଂଘନ ମାମଲା ବଢ଼ି ଚାଲିଥିବା ବେଳେ ଏହାର ସୁରକ୍ଷା ଦିଗରେ ସରକାରୀ ନିଷ୍କ୍ରିୟତା ଜଳ ଜଳ ହୋଇ ବାରି ହୋଇଯାଉଛି। ଏପରିକି କେନ୍ଦ୍ର ସରକାର ୧୯୮୪ ମସିହାରେ ନିର୍ଯାତନା ବିରେଧରେ ଏକ ଅନ୍ତର୍ଜାତୀୟ ଚାର୍ଟରକୁ ସ୍ବାକ୍ଷର କରିଥିଲେ ହେଁ, ଏହା ସଂସଦରେ ପାରିତ ହୋଇପାରୁ ନାହିଁ। ରାଜ୍ୟରେ ହଜାର ହଜାର ସଂଖ୍ୟାରେ ମାନବାଧିକାର ମାମଲା ପଡ଼ି ରହିଥିବା ବେଳେ ଏହାର ତ୍ବରିତ ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପ୍ରତି ଜିଲ୍ଲାରେ ମାନବାଧିକାର କୋର୍ଟ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି। ଏହାସହ ହ୍ବିସିଲ ବ୍ଲୋୟର ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା, ନିର୍ଯାତନା ବିରୋଧୀ ଆଇନ ଓ ପ୍ରତ୍ୟେକ ଘଟଣା ସରକାର ମାନବାଧିକାର ଦୃଷ୍ଟିକୋଣର ଏହାକୁ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।

ବିଶିଷ୍ଟ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋ କହିଛନ୍ତି, ଆଜିର ସମୟରେ ମାନବାଧିକାର କମିସନର ପରିସୀମା ବୃଦ୍ଧି ହୋଇଥିବା କଥା ଠିକ୍ ନୁହେଁ। ଆମେରିକା ବିପ୍ଳବଠାରୁ ଫରାସୀ ବିପ୍ଳବରେ ମଧ୍ୟ ମାନବାଧିକାର କଥା କୁହାଯାଇଛି। ଜାତିସଂଘର ବିଲ୍‌ ଅଫ ରାଇଟ୍‌ରେ ଜୀବନ, ସଂପତ୍ତି ଓ ସ୍ବାଧୀନତା କଥା ଉଲ୍ଲେଖ ରହିଛି। ରାଜ୍ୟରେ ମାନବାଧିକାର କମିସନଙ୍କଠାରୁ ଆରମ୍ଭ କରି ଅନେକ କମିସନ ରହିଥିଲେ ହେଁ, ଏଥିରେ କେବଳ ବ୍ୟକ୍ତିଗତ ମାମଲା ଗୁଡ଼ିକର ବିଚାରକୁ ଗୁରୁତ୍ବ ଦିଆଯାଉଛି। ମଧ୍ୟାହ୍ନ ଭୋଜନ ବିଭ୍ରାଟ, ଦାଦନ ଶ୍ରମିକ, ଚାଷୀ ଆତ୍ମହତ୍ୟା, ସର୍ବନିମ୍ନ ମଜୁରୀ ଓ ଶିକ୍ଷା ଅଧିକାର ଭଳି ନୀତିଗତ ବିଚାର ଉପରେ ବିଶେଷ ଗୁରୁତ୍ବ ଦିଆଯାଉନି। ରାଜ୍ୟରେ ମାନବାଧିକାରର ସୁରକ୍ଷା ପାଇଁ ଯେଉଁ ବାତାବରଣ ସୃଷ୍ଟି ହେବାର ଆବଶ୍ୟକତା ରହିଛି ତାହା ସୃଷ୍ଟି କରିବାରେ ସବୁ କମିସନ ବିଫଳ ହୋଇଛନ୍ତି। ସବୁ ଲୋକ ନିଜର ଅଭିଯୋଗ ନେଇ କମିସନକୁ ଆସିପାରିବେ ନାହିଁ, ଏହାସତ୍ବେ ମଧ୍ୟ ସେମାନଙ୍କର କିଭଳି ମାନବାଧିକାର ସୁରକ୍ଷିତ ରହିବ ତାହାକୁ ଗୁରୁତ୍ବ ଦେବାର ସମୟ ଆସିଯାଇଛି। ପଡ଼ି ରହିଥିବା ମାମଲା ଗୁଡ଼ିକର ତ୍ବରିତ ବିଚାର ହେବ କମିସନ ଏଥିପାଇଁ ଏକ ମେକାନିଜିମ୍ ପ୍ରସ୍ତୁତ କରିବା ଦରକାର। ଏହାସହ ଜନସ୍ବାର୍ଥ ମାମଲା ଗୁଡ଼ିକର ତ୍ବରିତ ବିଚାର କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ମାନବାଧିକାର କର୍ମୀ ଅଖଣ୍ଡ କହିଛନ୍ତି, ରାଜ୍ୟ ସରକାର ମାନବାଧିକାରକୁ କମ୍ ଗୁରୁତ୍ବ ଦେଉଛନ୍ତି। ଏପରିକି କମିସନ ଯେଉଁ ମାମଲା ଗୁଡ଼ିକରେ କ୍ଷତିପୂରଣ ପ୍ରଦାନ କରିବା ଲାଗି ନିର୍ଦେଶ ଦେଉଛନ୍ତି, ‌ସେଠାରେ ସରକାର କ୍ଷତିପୂରଣ ପ୍ରଦାନ କରିବା ଲାଗି ନିଜର ଅସମର୍ଥତା ପ୍ରକାଶ କରୁଛନ୍ତି। ଏହାସହ କମିସନ ଯେଉଁ ଘଟଣାରେ ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶ ଦେଉଛନ୍ତି, ଠିକଣା ସମୟରେ ତଦନ୍ତ ରିପୋର୍ଟ ଆସିପାରୁ ନାହିଁ ବୋଲି ସେ କହିଛନ୍ତି।

ରାଜ୍ୟ ମାନବାଧିକାର କମିସନର ସଦସ୍ୟ ଅସୀମ ଅମିତାଭ ଦାସ କହିଛନ୍ତି, ଓଏଚ୍‌ଆରସି ଏବେ ପୂର୍ଣ୍ଣ ସଦସ୍ୟକୁ ନେଇ କାର୍ଯ୍ୟ କରୁଛି। ପୂର୍ବରୁ ଯେଉଁ ପୁରୁଣା ମାମଲା ପଡ଼ି ରହିଛି ସେସବୁର ବିଚାର କରିବା ଲାଗି ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। କେବଳ ବ୍ୟକ୍ତିଗତ ସ୍ତରରେ ଯେଉଁ ଅଭିଯୋଗ ହେଉଛି ତା ନୁହେଁ, ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମଧ୍ୟ କମିସନ ବିଚାର କରୁଛନ୍ତି। ଟ୍ରାଫିକ୍ ସମସ୍ୟା ହେଉ ବା କୋଭିଡ୍‌ ଓ କଟକର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ମାତ୍ର ବର୍ତମାନ ସମୟରେ ମଧ୍ୟ ଅନେକ ଲୋକ ସେମାନଙ୍କର ମାନବାଧିକାର ସଂପର୍କରେ ସଚେତନ ନୁହନ୍ତି। ତେଣୁ ଆଗାମୀ ଦିନକରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଜ‌ନସେଚତନତା ଶିବିର ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖିଛି। ଏଥିରେ ମାନବାଧିକାର କର୍ମୀ, ଏନ୍‌ଜିଓମାନଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର