ସୀମନ୍ତିକା ନନ୍ଦ
କଟକ: ରାଜ୍ୟରେ ଚିନ୍ତା ବଢ଼ାଇଛି କିଡ୍ନି ରୋଗ। ସରକାରୀ ତଥ୍ୟ ଅନୁସାରେ ଗୋଟିଏ ବର୍ଷରେ ଏସ୍ସିବି ସମେତ ରାଜ୍ୟର ୬ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ୯୪ ହଜାରରୁ ଅଧିକ କିଡ୍ନି ରୋଗୀ। ଯଦି ଏସ୍ସିବିର ତଥ୍ୟ ଦେଖାଯାଏ କେବଳ ଫେବ୍ରୁଆରିରେ ଏସ୍ସିବି ଓପିଡିକୁ ୧୬ ଦିନରେ ୩୫୦୩ ଜଣ ରୋଗୀ ଚିକିତ୍ସା ପାଇଁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୬୮୭ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୨୬ଜଣଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟ ଅନୁସାରେ ୨୯୭୮ଜଣଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪.୩ ପ୍ରତିଶତ ଅର୍ଥାତ ୪୨୬ଜଣ କିଡ୍ନି ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ସେମାନେ କ୍ରୋନିକ୍ କିଡ୍ନି ଡିଜିଜ୍(ସିକେଡି)ରେ ଆକ୍ରାନ୍ତ। ସେହିପରି ମଧୁମେହ, ଉଚ୍ଚ ରକ୍ତଚାପ ତଥା ଅନ୍ୟ କୌଣସି ରୋଗ ନଥିବା ୩୨୩ଜଣ ଅର୍ଥାତ୍ ୧୦.୮ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି। ଏପଟେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗ କାରଣରୁ ୩.୫ ପ୍ରତିଶତ ଅର୍ଥାତ୍ ୧୦୩ ଜଣ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। କଟକ ଜିଲ୍ଲାର ନରସିଂହପୁର, ବଡ଼ମ୍ବା ସମେତ ଢେଙ୍କାନାଳ, କଳାହାଣ୍ଡି, ବଲାଙ୍ଗୀର ତଥା ରାଜ୍ୟର କିଛି ଅଞ୍ଚଳରେ ଅଜଣା କିଡ୍ନି ରୋଗ ଉଦ୍ବେଗର କାରଣ ପାଲଟିଛି। ୫ ବର୍ଷ ଭିତରେ କେବଳ କଟକ ଜିଲ୍ଲାରେ ୨ ହଜାର କିଡ୍ନି ରୋଗୀ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୨୫%ଙ୍କ ମୃତ୍ୟୁ ଘଟିଛି। ଦିନକୁ ଦିନ କିଡ୍ନି ରୋଗୀଙ୍କ ସଂଖ୍ୟା ବଢ଼ିବା ଚିକିତ୍ସା ବ୍ୟବସ୍ଥା ପାଇଁ ଆହ୍ବାନ ସୃଷ୍ଟି କରିଛି। କଟକ ବଡ଼ ଡାକ୍ତରଖାନାରେ ୨୦୧୦ରେ ଡାଏଲିସିସ୍ ରୋଗୀଙ୍କ ସଂଖ୍ୟା ବର୍ଷକୁ ୧୫ ଶହ ଥିବାବେଳେ ୨୦୧୫ରେ ଏହି ସଂଖ୍ୟା ୨୦ ହଜାର ଛୁଇଁଥିଲା। ୨୦୨୩ ଶେଷ ସୁଦ୍ଧା ଏହି ସଂଖ୍ୟା ୨୪ ହଜାର ୯୨୬ରେ ପହଞ୍ଚିଲାଣି।
ଉଦ୍ବେଗଜନକ ଚିତ୍ର
ମଧୁମେହ, ଉଚ୍ଚ ରକ୍ତଚାପ ନଥାଇ ବି କିଡ୍ନି ରୋଗରେ ଆକ୍ରାନ୍ତ ହେଉଛନ୍ତି
ବିଶ୍ବ କିଡ୍ନି ଦିବସ ପ୍ରତି ବର୍ଷ ମାର୍ଚ୍ଚ ମାସ ଦ୍ବିତୀୟ ଗୁରୁବାରରେ ପାଳିତ ହୋଇ ଆସୁଛି। ଚଳିତବର୍ଷ କିଡ୍ନି ଦିବସର ପ୍ରସଙ୍ଗ ରହିଛି, ‘ଆପଣଙ୍କର କିଡ୍ନି ସୁସ୍ଥ ଅଛି ତ? ଶୀଘ୍ର ପରୀକ୍ଷା କରାନ୍ତୁ ଓ କିଡ୍ନିସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।’ ଏହି ରୋଗର ପ୍ରମୁଖ କାରଣ ହେଲା ମଧୁମେହ, ଉଚ୍ଚ ରକ୍ତଚାପ, ମାତ୍ରାଧିକ ପେନ୍କିଲର ସେବନ, ମେଦବହୁଳତା ଓ ଦେହରୁ ଜଳୀୟ ଅଂଶ କମିବା। ଏସବୁ ଲକ୍ଷଣ ରୋଗର ପ୍ରାରମ୍ଭିକ ଅବସ୍ଥାରେ ନିରୂପଣ ଏବଂ ଚିକିତ୍ସା ହୋଇପାରିଲେ ଏପରି ଏକ ଜଟିଳ ଏବଂ ମାରାତ୍ମକ ରୋଗରୁ ରକ୍ଷା ପାଇପାରିବେ। ରୋଗର ଚିକିତ୍ସା ଅପେକ୍ଷା ତାର ପ୍ରତିକାର ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ କିଡ୍ନି ରୋଗର ଲକ୍ଷଣ, ଭୟାବହତା ଏବଂ ପ୍ରତିକାର ସଂପର୍କରେ ଲୋକଙ୍କୁ ସଚେତନ କରିବା ଉପରେ ଏବେ ଅଧିକ ଗୁରୁତ୍ବ ଦିଆଯାଉଛି। କିଡ୍ନି ରୋଗର ଚିକିତ୍ସା ପାଇଁ ଏସ୍ସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗକୁ ବର୍ତ୍ତମାନ ସ୍ଥିତିରେ ପ୍ରତି ବର୍ଷ ୪୨ହଜାର ରୋଗୀ ବହିର୍ବିଭାଗକୁ ଆସୁଥିବା ବେଳେ ୧୦ ହଜାର ରୋଗୀ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏସ୍ସିବିରେ କିଡ୍ନି ପ୍ରତିରୋପଣ ୨୦୧୨ ମସିହାରେ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ୨୧୧ ଜଣଙ୍କର ପ୍ରତିରୋପଣ ହୋଇ ସାରିଲାଣି। କିଡ୍ନି ରୋଗର ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ।
ଯଦିଓ ସରକାରୀ ବ୍ୟବସ୍ଥାରେ ଏହାକୁ ଏବେ ବିନା ମୂଲ୍ୟରେ ଯୋଗାଇ ଦିଆଯାଇ ପାରୁଛି। ପେଟ ଡାଏଲିସିସ୍ (ସିଏପିଡି) ଏକ ବ୍ୟୟବହୁଳ ଚିକିତ୍ସା। ଏହାର ଆନୁଷଙ୍ଗିକ ବସ୍ତୁ ଏବଂ ବ୍ୟବହୃତ ପାଣି (ସିଏପିଡି ଫ୍ଲୁଇଡ୍) ପାଇଁ ମାସକୁ ୬୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ବିନା ମୂଲ୍ୟରେ ସରକାରୀ ହସ୍ପିଟାଲ ଓ ଏସ୍ସିବିରେ ଉପଲବ୍ଧ ହେଉଛି। ଆଧୁନିକ ମେସିନ୍ ଯଥା ସ୍ଲେଡ୍ ଓ କାର୍ଟ ଦ୍ୱାରା ଗୁରୁତର ରୋଗୀଙ୍କର ଡାଏଲିସିସ୍ ହୋଇପାରୁଛି ବୋଲି ଏସ୍ସିବି ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର, ତିଗିରିଆ ଆଦି ଅଞ୍ଚଳ ଏବେ କିଡ୍ନି ରୋଗର ସବୁଠୁ ବିପଜ୍ଜନକ ଅଞ୍ଚଳ ଭାବେ ପରିଗଣିତ ହେଉଛି। ଅନେକ ଗବେଷଣା ପରେ ବି ଏହାର କାରଣ ମିଳିପାରୁନି। ନରସିଂହପୁରରେ ଗ୍ରାମୀଣ ବ୍ୟବସ୍ଥାରେ ପ୍ରଥମ ଡାଏଲିସିସ୍ କେନ୍ଦ୍ର ଖୋଲାଯାଇଥିଲା। ଏବେ ପୁଣି ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବି ଡାଏଲିସିସ୍ ବ୍ୟବସ୍ଥା କରାଯାଉଛି। ଆଗକୁ ଆଠଗଡ଼ ଉପଖଣ୍ଡ ହସ୍ପିଟାଲରେ ଡାଏଲିସିସ୍ ସୁବିଧା ଉପଲବ୍ଧ ପାଇଁ ଯୋଜନା କରାଯାଇଛି। ଅନ୍ୟପଟେ ରାଜ୍ୟର କଳାହାଣ୍ଡି, ଢେଙ୍କାନାଳ, ବଲାଙ୍ଗୀର ତଥା ରାଜ୍ୟର ପାଖାପାଖି ୧୦ଟି ଜିଲ୍ଲାର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ କିଡ୍ନି ରୋଗ ଉଦ୍ବେଗଜନକ ଭାବେ ବଢୁଥିବା ଦେଖିବାକୁ ମିଳୁଛି। ଫସଲରେ ମାତ୍ରାଧିକ କୀଟନାଶକ ବ୍ୟବହାର, ଘାସମରା ଔଷଧ ଆଦି କିଡ୍ନି ରୋଗର ଅନ୍ୟତମ ପ୍ରମୁଖ କାରଣ ବୋଲି ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/kidny.jpg)