ଆଜି ବିଶ୍ବ ମ୍ୟାଲେରିଆ ଦିବସ: ୨୦୨୦ରେ ଆକ୍ରାନ୍ତଙ୍କ ସଂଖ୍ୟା ୫% ବଢ଼ିଛି

ଭୁବନେଶ୍ବର : ଆଜି ବିଶ୍ବ ମ୍ୟାଲେରିଆ ଦିବସ। ମ୍ୟା‌ଲେରିଆ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଏପ୍ରିଲ ୨୫ତାରିଖରୁ ଏହାକୁ ବିଶ୍ବବ୍ୟାପୀ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ବ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି ‘ଶୂନ୍ୟ ମ୍ୟାଲେରିଆ ଲକ୍ଷରେ ପହଞ୍ଚିବା’।

ରାଜ୍ୟରେ କ୍ରମାଗତ ଭାବେ ମ୍ୟାଲେରିଆ ହ୍ରାସ ପାଉଛି। ବିଶେଷକରି ୨୦୧୭ ମସିହା ପରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ହେଲେ ଗତବର୍ଷ ରାଜ୍ୟରେ ପୁଣିଥରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି। ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍‌ଭିବିଡିସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ତୁଳନାରେ ଗତବର୍ଷ ସାଢ଼େ ୫ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ ମସିହାରେ ରାଜ୍ୟରେ ୩୯,୫୫୬ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତବର୍ଷ ଏହା ୪୧,୭୩୮କୁ ବୃଦ୍ଧି ପାଇଥିଲା। ଦୁଇବର୍ଷରେ ୯ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ସମୟରେ କେତେକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। ପ୍ଲାଜମୋଡିୟମ୍ ଫାଲ୍‌ସିପାରମ୍ ବା ପିଏଫ୍‌ ପାରାସାଇଟ୍‌ ସଂକ୍ରମଣରେ ମଧ୍ୟ ବୃଦ୍ଧି ହୋଇଛି। ଗତବର୍ଷ ଡିସେମ୍ବର ମାସ ବେଳକୁ ୨୦୧୯ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ହୋଇଥିଲା। ମାତ୍ର ପରବର୍ତୀ ସମୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି। ଦେଶ ତଥା ବିଶ୍ବସ୍ତରରେ ଓଡ଼ିଶା ନିୟନ୍ତ୍ରଣ ପାଇଁ ପ୍ରଶଂସିତ ହୋଇଥିବା ବେଳେ ଗତବର୍ଷ ପୁଣିଥରେ ବୃଦ୍ଧି ହେବା ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଏକପ୍ରକାର ଝଟ୍‌କା ଲାଗିଛି। ଅପରପକ୍ଷରେ ଚଳିତବର୍ଷ ଫେବ୍ରୁଆରି ମାସ ସୁଦ୍ଧା ରାଜ୍ୟରେ ୨୦୦୪ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କେବଳ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ନୁ‌ହେଁ, ଗତବର୍ଷ ରାଜ୍ୟରେ କମ୍ ସଂଖ୍ୟକ ପରୀକ୍ଷା ମଧ୍ୟ କରାଯାଇଛି। ୨୦୧୯ରେ ରାଜ୍ୟରେ ୬୫ଲକ୍ଷ ୫୨ହଜାର ୨୯୩ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ଗତବର୍ଷ ୫୯ଲକ୍ଷ ୯୭ହଜାର ୮୫୮ ନମୁନା ପରୀକ୍ଷା ହୋଇଥିଲା। ତେବେ ଏଥିପାଇଁ କରୋନା ସଂକ୍ରମଣକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାୟୀ କରାଯାଇଛି। ଗତବର୍ଷ କରୋନା ପାଇଁ ଏସବୁ କାର୍ଯ୍ୟକ୍ରମ ପ୍ରାୟତଃ ହୋଇପାରି ନାହିଁ। ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।

ଅପରପକ୍ଷରେ ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ଦମନ କାର୍ଯ୍ୟକ୍ରମ ଜାରି ରହିଛି। ଯାହାକି ରାଜ୍ୟରେ ମ୍ୟାଲେରିଆ ହ୍ରାସ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହାସହ ରାଜ୍ୟରେ ୨ କୋଟିରୁ ଅଧିକ ଔଷଧୀୟ ମଶାରୀ ବଣ୍ଟନ କରାଯାଇଥିବା ସୂଚନା ମିଳିଛି। ତେବେ ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣକୁ ଆହୁରି ହ୍ରାସ କରିବା ଲାଗି କ’ଣ ପଦକ୍ଷେପ ନିଆଯିବ ସେ ସଂପର୍କରେ ରାଜ୍ୟ ଏନ୍‌ଭିବିଡିସିପିର ଯୁଗ୍ମ ନିର୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର