ଭୁବନେଶ୍ବର: ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ଅଣାୟତ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପୁଣିଥରେ ଭୀଷଣ ଭାବେ ମୁଣ୍ଡ ଟେକିଲେଣି ମ୍ୟାଲେରିଆ। ସ୍ଥିତି ଏପରି ଯେ ଓଡ଼ିଶା ପୁନର୍ବାର ଦେଶରେ ଏକ ମ୍ୟାଲେରିଆ ପ୍ରବଣ ରାଜ୍ୟଭାବେ ଆଲୋଡ଼ା ରେକର୍ଡ କରିଛି। ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ବାଜିରେ ଲାଗିଲାଣି। ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଔଷଧୀୟ ମଶାରି(ଏଲ୍ଏଲ୍ଆଇଏନ୍) ଉପରେ ଭରସା କରି ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ‘ଦମନ’ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଦେଶ ତଥା ଦେଶ ବାହାରେ ଯାଇ ପ୍ରଶଂସା ସାଉଣ୍ଟିଥିଲା। ହେଲେ ଏବେ ବଢ଼ି ଯାଇଥିବା ମ୍ୟାଲେରିଆକୁ ରାଜ୍ୟରେ କିଭଳି ନିୟନ୍ତ୍ରଣ କରାଯିବ ତାହା ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଫଳରେ ୨୦୧୩-୧୫ ମସିହାରେ ଭିତରେ ଓଡ଼ିଶାରେ ମ୍ୟାଲେରିଆର ଯେଉଁ ଭୀଷଣ ସ୍ଥିତି ରହିଥିଲା ତାହା ପୁଣିଥରେ ଫେରିବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ୨୦୨୧ ମସିହା ପରଠାରୁ ଓଡ଼ିଶାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମିବାକୁ ଆରମ୍ଭ କରିଥିଲା। ହେଲେ ଗୋଟିଏ ବର୍ଷରେ ସ୍ଥିତି ଓଲଟପାଲଟ ହୋଇଯାଇଛି। ଗତବର୍ଷ ରାଜ୍ୟରେ ୪୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶା ପରେ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ତ୍ରିପୁରା ରହିଛି। ରାଜ୍ୟରେ ଯେତିକି ମ୍ୟାଲେରିଆ ଆକ୍ରାନ୍ତଙ୍କୁ ସରକାରୀଭାବେ ଚିହ୍ନଟ କରାଯାଇଛି ଏହି ସଂଖ୍ୟା ତାହାଠାରୁ ଯଥେଷ୍ଟ ଅଧିକ ବୋଲି ବେସରକାରୀ ସୂତ୍ର କହୁଛି। କାରଣ ସବୁସ୍ଥାନରେ ଠିକ୍ ଭାବେ ମ୍ୟାଲେରିଆର ରିପୋର୍ଟିଂ ହେଉନାହିଁ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ରାୟଗଡ଼ାରେ ସର୍ବାଧିକ ୯୯୨୫, କଳାହାଣ୍ଡିରେ ୭୫୫୨, କୋରାପୁଟରେ ୭୦୦୭, କନ୍ଧମାଳ ୪୫୫୪ ଓ ମାଲକାନଗିରିରେ ୩୮୮୮ ମ୍ୟାଲେରିଆ ଆକ୍ରାନ୍ତ ବାହାରିଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୩୪ ଚିହ୍ନଟ ହୋଇଛନ୍ତି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ କିମ୍ବା ତା’ଠାରୁ କମ୍ ରହିଛି। ଯଦି ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆରକୁ ବିଚାରକୁ ନିଆଯାଏ ତାହାଲେ ୫ ଜିଲ୍ଲାରେ ଏହା ୧ ଉପରେ ରହିଛି। କଳାହାଣ୍ଡିରେ ୧.୭, ରାୟଗଡ଼ା ୧.୬, କୋରପୁଟ ୧.୨, ମାଲକାନଗିରି ୧,୧ ଓ କନ୍ଧମାଳରେ ୧.୦୯୫ ଚିହ୍ନଟ କରାଯାଇଛି। ଏପରିସ୍ଥଳେ ଆସନ୍ତାକାଲି ବିଶ୍ବ ମ୍ୟାଲେରିଆ ଦିବସରେ ରାଜ୍ୟ ସରକାରଙ୍କ ଷ୍ଟେଟ୍ ଟେକ୍ନିକାଲ ଟାସ୍କଫୋର୍ସ(ଏସ୍ଟିଟିଏଫ୍)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।