ଭୁବନେଶ୍ବର: ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି। ତମାଖୁ ସେବନର କୁପ୍ରଭାବରେ କେବଳ କର୍କଟ ହେଉଛି ତାହା ନୁହଁ। ହୃଦ୍‌ରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ପଛରେ ଏହା ମୁଖ୍ୟ କାରଣ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ତମାଖୁମୁକ୍ତ ଶୈଶବ’। ଏହାର ଅର୍ଥ, ଶିଶୁଙ୍କୁ ତମାଖୁଠାରୁ ଦୂରେଇ ରଖିବା। ତମାଖୁ ସେବନ ତଥା ଏହାର କାରବାରକୁ କମାଇବା ଏହାର ଲକ୍ଷ୍ୟ। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ତଥା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ତଥ୍ୟ କହୁଛି, ୧୫ ବର୍ଷ ବା ତା’ଠାରୁ କମ୍ ବୟସର ଶିଶୁମାନେ ତମାଖୁ ସେବନ କରୁଛନ୍ତି। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ-୨ ଅନୁଯାୟୀ ଓଡ଼ିଶାରେ ୫୫.୯ ପ୍ରତିଶତ ପୁରୁଷ ଓ ୨୨.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ୯.୭ ପ୍ରତିଶତ ଲୋକ ଧୂମଯୁକ୍ତ ତମାଖୁ ସେବନ କରୁଥିବାବେଳେ ୩୪.୬ ଲୋକ ଧୂମହୀନ ତମାଖୁ ସେବନ କରୁଛନ୍ତି। ସର୍ଭେ ଅନୁଯାୟୀ, ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢିଚାଲିଛି।

Advertisment

ଏସବୁ ସମସ୍ୟା ବଢୁଥିବାବେଳେ ଏହା ବିରୋଧରେ ରାଜ୍ୟରେ ଅଭିଯାନ ଚଳାଇଛନ୍ତି ଡ. ମହମ୍ମଦ ଇମ୍ରାନ ଅଲ୍ଲୀ। ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସଲାମ ଜୀବନ’ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ଇମ୍ରାନ ଅଲ୍ଲୀ ରାଜ୍ୟର ବିଭିନ୍ନ ଗାଁ ଓ ସହରାଞ୍ଚଳର ବସ୍ତିରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ନାଚଗୀତ ମାଧ୍ୟମରେ ‘ନିଶା ଖାଇବା ନାହିଁ କି ନିଶା କିଣିବା ନାହିଁ’ର ବାର୍ତ୍ତା ଦେଉଛନ୍ତି। ଏହି ଅଭିଯାନ ଫଳରେ ଅନେକ ପିଲା ନିଶାଠାରୁ ଦୂରେଇ ଯାଇଥିବା ସେ କହନ୍ତି। ଦାହରଣସ୍ବରୂପ, ଭୁବନେଶ୍ୱରର ମୁଣ୍ଡାସାହି ବସ୍ତିରେ ରହୁଥିବା ଚରଣ ଓ ଗୀତାଙ୍କ ଜୀବନରେ ଏହା ଫଳରେ ଆସିଛି ଅନେକ ପରିବର୍ତ୍ତନ। ନିଶାବିରୋଧୀ ଅଭିଯାନ ପୂର୍ବରୁ ବସ୍ତିର ପିଲାମାନେ ପରିବାର ସଦସ୍ୟ କହିଲେ ତାଙ୍କ ପାଇଁ ଦୋକାନକୁ ତମାଖୁ କିଣିବାକୁ ଯାଉଥିଲେ। ଏମିତି କିଣୁ କିଣୁ ନିଜେ ନିଶା କବଳରେ ଅନେକ ପଡ଼ିଯାଇଥିଲେ। କିନ୍ତୁ ଏବେ ବଦଳି ଯାଇଛି ଏସବୁ। ପରିବାର ସଦସ୍ୟ ତମାଖୁ କିଣିବାକୁ କହିଲେ ସିଧାସଳଖ ମନା କରିଦେଉଛନ୍ତି ପିଲାମାନେ। କେବଳ ଏତିକି ନୁହେଁ, ନିଜ ନିଜ ଅଞ୍ଚଳରେ ସଚେତନତା ବି ଚଳାଇଛନ୍ତି।

ଦିନକୁ ଦିନ କୁନିକୁନି ପିଲାମାନେ ନିଶା କବଳରେ ପଡୁଥିବାରୁ ତାଙ୍କ ଭିବଷ୍ୟତ ନଷ୍ଟ ହେଉଥିବା କହନ୍ତି ଭୁବନେଶ୍ୱର ଏମ୍‌ସର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡା। ବାପା ମା’ ନିଶା ଖାଉଥିଲେ ଏହାର ସିଧା ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି ବୋଲି ସେ କହନ୍ତି। ତମାଖୁ ସେବନ ରୋକିବାକୁ ପ୍ରତିବର୍ଷ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ତମାଖୁ ବ୍ୟବହାରର ଭୟାବହତା ତଥା ଏହାଠାରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରା ଯାଉଛି। ତେବେ ଶୈଶବରେ ଆରମ୍ଭ ହୋଇଥିବା ନିଶା ଅଭ୍ୟାସ ପରେ ଛଡାଇବା କଷ୍ଟକର ହୋଇପଡେ। ସେଥିପାଇଁ ଶୈଶବ ସମୟ ଜଗିଦେଲେ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟାକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।