ଆଜି ବିଶ୍ୱ ପଖାଳ ଦିବସ : ଖରା ତାତିରେ ଖୋଜା ପଡ଼ିଲାଣି ପଖାଳ କଂସା
ଭୁବନେଶ୍ୱର : ସହି ହୁଏ ନାହିଁ ଟାଣ ଖରାକୁ। ମନ ଝୁରିଲାଣି ପଖାଳ ସଙ୍ଗେ ବଡ଼ି ଚୂରାକୁ।। ଖରା ଆସିଲେ ଓଡ଼ିଆଙ୍କ ଖୋଜା ପଡ଼େ ପଖାଳ କଂସା। ପଖାଳ ଓଡ଼ିଆଙ୍କ ଏକ ସ୍ୱତନ୍ତ୍ର ପରିଚୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କ ଶାନ୍ତି। ବାସି ପଖାଳ ଟିକେ ଖାଇ ଦେଇ ତୋରାଣି ଟିକେ ପିଇ ଦେଲେ ଡହଡହ ଖରାରେ ବି ପାଟିରୁ ଆପେଆପେ ବାହାରିଯାଏ ‘ଓଃ କି ଶାନ୍ତି…’।
Sambad is now on WhatsApp
Join and get latest news updates delivered to you via WhatsApp
ପଖାଳ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ। ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳିତ ହେଉଛି। ଇ-ଓଡ଼ିଶା ଅର୍ଗାନାଇଜେସନ୍ ଦ୍ବାରା ପ୍ରଥମେ ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖକୁ ‘ପାଖଳ ଦିବସ’ ଭାବେ ପାଳନ କରାଯାଇଥିଲା। ଏହାପର ବର୍ଷଠାରୁ ପ୍ରତିବର୍ଷ ୨୦ ମାର୍ଚ୍ଚକୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବେ ପାଳନ କରାଯାଉଛି।
ପିଜା, ବର୍ଗର ମାୟାରେ ରାଜଧାନୀବାସୀ କ୍ରମଶଃ ପଖାଳକୁ ପାସୋରି ଯାଉଥିବା ବେଳେ ରାଜଧାନୀର ଅସହ୍ୟ ଖରା ଓ ଅଂଶୁଘାତ ଜନିତ ସମସ୍ୟା ସହରିଆଙ୍କୁ ପୁଣି ପଖାଳ ମୁହାଁ କରିଛି। ଭାତରେ ପାଣି ଦେଇ ସେଥିରେ ଦହି, ଲେମ୍ବୁପତ୍ର, ସୋରିଷ ଲଙ୍କା ଛୁଙ୍କ କରି ପ୍ରସ୍ତୁତ କରାଯାଏ ପଖାଳ। ପୁଣି ପଖାଳ ସହିତ ବିଭିନ୍ନ ପ୍ରକାରର ଚଟଣି ଲୋକେ ଖାଇଥା’ନ୍ତି। ଧନିଆ, ନଡ଼ିଆ, ପୁଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି,ଆମ୍ବୁଲ ସମେତ ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ସଜନା, କଳମ ଆଦି ବିଭିନ୍ନ ପ୍ରକାରର ଶାଗଭଜା, ପତରପୋଡ଼ା ସାଂଗକୁ ବିଭିନ୍ନ ପ୍ରକାର ଆଚାର ପଖାଳର ସ୍ବାଦକୁ ବହୁଗୁଣିତ କରିଦିଏ। ପୁଣି ପଖାଳ ମଧ୍ୟ ବିଭିନ୍ନ ପ୍ରକାର ଯଥା ଚାଇଁ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ ଇତ୍ୟାଦି। ବିଭିନ୍ନ ଅଞ୍ଚଳର ଲୋକ ଭିନ୍ନ ଭିନ୍ନ ପ୍ରକାରେ ଏହା ପ୍ରସ୍ତୁତ କରନ୍ତି।
ଏବେ ରାଜଧାନୀରେ ଗ୍ରାହକଙ୍କ ଏ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲମାନେ ମଧ୍ୟ ସଜବାଜ ଆରମ୍ଭ କରିଦେଲେଣି।
ରାଜଧାନୀସ୍ଥିତ ‘ଆମ ଓଡ଼ିଶା’ ହୋଟେଲ୍ ଓ ‘ଡାଲ୍ମା ହୋଟେଲ୍’ରେ ସ୍ବତନ୍ତ୍ର ପଖାଳ ପ୍ରସ୍ତୁତ ହେଉଛି। ଏଠାରେ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ପଖାଳ ମିଳୁଛି ଯଥା- ସାଧା ପଖାଳ , ଛୁଙ୍କ ପଖାଳ(ମସଲା), ଦହି ପଖାଳ ଓ ପୁଦିନା ପଖାଳ। ତା’ ସହିତ ନିରାମିଷ ଲୋକଙ୍କ ପାଇଁ ଭଜା, ବଡ଼ି ଚୁରା, ଶାଗ ଭଜା, ଆଳୁ ଚକଡ଼ା, ଗୋଟା କଲରା ଭଜା, କଖାରୁ ଫୁଲ ଭଜା, ବାଇଗଣ ଭର୍ତ୍ତା, ଟମାଟୋ ଚଟଣି, ପାମ୍ପଡ଼, ଛତୁ ପୋଡ଼ା ଓ ଏହାର ମୂଲ୍ୟ ରହିଛି ୮୦ ଟଙ୍କାରୁ ୧୫୦ ପର୍ଯ୍ୟନ୍ତ। ଆମିଷ ପସନ୍ଦ କରୁଥିବା ଲୋକଙ୍କ ପାଇଁ ମଟନ୍ କଷା, ଚିକେନ୍ କଷା, ମଟନ୍ ପୋଡ଼ା, ଚିକେନ୍ ପୋଡ଼ା, ମସଲା ଶୁଖୁଆ, ଚିଙ୍ଗୁଡ଼ି ଚଟଣି, କଙ୍କଡ଼ା ଛେଚା, ବିଭିନ୍ନ ପ୍ରକାରର ମାଛ ଭଜା ଓ ମାଛ ପୋଡ଼ା ଯାହାର ମୂଲ୍ୟ ରହିଛି ୧୨୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ। ମାର୍ଚ୍ଚ ୨୦ ପଖାଳ ଦିବସ ପାଇଁ ଏକ ନିଆରା ଢଙ୍ଗରେ ପଖାଳ କରାଯିବ ବୋଲି ‘ଡାଲ୍ମା ହୋଟେଲର ସତ୍ବାଧିକାରୀ ଅଶୋକ ବେହେରା କହିଛନ୍ତି। ଆମ ଓଡ଼ିଶା ହୋଟେଲ୍ ମାଲିକ ସୁକାନ୍ତ ଦଳବେହେରା କୁହନ୍ତି; ଖରାର ତାତି ବଢୁଥିବା ସହ ପଖାଳର ଚାଦିଦା ମଧ୍ୟ ବୃଦ୍ଧି ପାଉଛି । ସାଧାରଣତଃ ମସଲା ପଖାଳକୁ ଲୋକ ବେଶ୍ ପସନ୍ଦ କରୁଛନ୍ତି। ଗ୍ରାହକଙ୍କ ପାଇଁ ଯାହା ଦରକାର ଆମେ ସୁଲଭ ମୂଲ୍ୟରେ ଦେଉଛୁ।
ଗରିବଙ୍କ ସାଥୀ ପଖାଳ
ଏବେ ସହରର ଧନୀବର୍ଗର ଲୋକମାନେ ବି ପଖାଳ ପ୍ରେମରେ ପଡ଼ିଲେଣି। ମାତ୍ର ଗାଁ ହେଉ କି ସହର, କେଉଁ ଆବହମାନ କାଳରୁ ପଖାଳ ଗରିବଗୁରୁବାଙ୍କ ସାଥୀ ହୋଇ ରହିଛି। କାରଣ ଲୁଣ ଓ ଲଙ୍କାଟିଏ ଲଗେଇ ବି ପଖାଳ ଖାଇ ଗରିବ ଲୋକେ ବଞ୍ଚିଯାଆନ୍ତି। ନୟାପଲ୍ଲୀ ଅଞ୍ଚଳରେ କାର୍ଯ୍ୟରତ ଜଣେ ଦିନ ମଜୁରିଆ ଦୀନବନ୍ଧୁ ନାୟକ କୁହନ୍ତି, ପଖାଳ ସହ ଶୁଖୁଆ ପୋଡ଼ା ହେଉ କି ବାଇଗଣ ପୋଡ଼ା ଟିକେ, ସେତିକିରେ ଆମ ଶାନ୍ତି।
ଅନ୍ୟପକ୍ଷରେ ଏକ ଘରୋଇ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ କବିତା ମହାନ୍ତି କହନ୍ତି, ପଖାଳ ସହ କିଛି ବି ଆଇଟମ୍ ଚଟାପଟ୍ ତିଆରି କରି ଖାଇହୁଏ। ଗରମ ଭାତରେ ଅନ୍ୟ କେତେ ଆଇଟମ୍ ଦରକାର ହେଲା ଭଳି ପଖାଳରେ ଏତେଟା ଜଞ୍ଜାଳ ନାହିଁ। ପୁଣି ଏହା ଫଳରେ ମାସ ଶେଷରେ କମ୍ ପଇସାରେ ମଧ୍ୟ ଚଳି ହୋଇଯାଏ। ଆମକୁ ଏତେ ଦରବ ଆଉ ଲୋଡ଼ା ହୁଏନି। ତେବେ ସେ କାଳ ପଖାଳ ଆଉ ନାହିଁ ବୋଲି କିଛି ପୁରୁଖା ଲୋକ ମତ ଦେଇଛନ୍ତି। ସାରପିଡ଼ିଆ ଦିଆ ଧାନର ଚାଉଳରେ ଆଉ ସେ ମହକ ନ ଥିଲେ ମଧ୍ୟ ଓଡ଼ିଆଙ୍କ ପଖାଳର ମହକ ଓ ସ୍ୱାଦ ସବୁବେଳେ ରହିବ ବୋଲି ସେମାନେ କହନ୍ତି।
ତାରକା ହୋଟେଲରେ ସ୍ବତନ୍ତ୍ର ପ୍ୟାକେଜ୍
ରାଜଧାନୀର ବିଭିନ୍ନ ତାରକା ହୋଟେଲଗୁଡ଼ିକରେ ‘ପଖାଳ ଦିବସ’ ଅବସରରେ ଗ୍ରାହକଙ୍କ ପାଇଁ ଆମିଷ, ନିରାମିଷ ଦୁଇଟି ପ୍ୟାକେଜ୍ର ବ୍ୟବସ୍ଥା ରହିଛି। ଦହି ପଖାଳ ସହ ମାଛ ଭଜା, ବଡ଼ି ଚୂରା, ଆଳୁ ଭରତା, ଶାଗ ଭଜା, ସାଲାଡ୍ ଓ ପାମ୍ପଡ଼ ଆଦିର ଥାଳି ପିଛା ୬୦୦ ଟଙ୍କା ଓ ନିରାମିଷ ଥାଳିରେ ମାଛ ଭଜା ସ୍ଥାନରେ ରହିଛି ଭେଣ୍ଡି ଭଜା। ଏହାର ଥାଳି ରହିଛି ୫୦୦-୫୫୦ ଟଙ୍କା। ଏହା ସହ କମ୍ବୋ ଥାଳି ମଧ୍ୟ ରହିଛି। ପୁଣି ଗ୍ରାହକଙ୍କ ପସନ୍ଦ ମୁତାବକ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯିବାର କାର୍ଯ୍ୟକ୍ରମ ରହିଛି।