ଚିରଞ୍ଜୀବୀ କର
କଟକ: ଓଡ଼ିଶାରେ ଗଲା ଚାରି ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୧ ହଜାର ୯୧୯ ଜଣ। ଓଡ଼ିଶା ପୁଲିସର ବାର୍ଷିକ ରିପୋର୍ଟରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିବିଶେଷଙ୍କୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି। ଏକାଠି ରହୁଥିବା ଦମ୍ପତି, ଅଲଗା ରହୁଥିବା ଦମ୍ପତି, ବିବାହ ବିଚ୍ଛେଦ ହୋଇଥିବା ଦମ୍ପତି, ବିଧବା, ଅବିବାହିତ ଏବଂ ଅନ୍ୟାନ୍ୟ। କିନ୍ତୁ ଏହି ୬ଟି ବର୍ଗ ମଧ୍ୟରୁ ଏକାଠି ରହୁଥିବା ଦମ୍ପତିଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ଘଟୁଥିବା ତଥ୍ୟ କହୁଛି। ଗଲା ୪ ବର୍ଷ ଭିତରେ ଏହି ବର୍ଗରେ ୪ ହଜାର ୮୫୪ ଜଣ ଆତ୍ମହତ୍ୟା କରିଛନ୍ତି। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏବେ ଆତ୍ମହତ୍ୟା ମାନସିକତାର ବୃଦ୍ଧି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଆତ୍ମହତ୍ୟାକୁ ନିରୋଧ କରିବା ଲାଗି ସରକାରୀ ସ୍ତରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ରୋକିବା ବଡ଼ ଆହ୍ବାନ ସୃଷ୍ଟି କରିଛି। ଓଡ଼ିଶା ପୁଲିସର ତଥ୍ୟ ମୁତାବକ, ୨୦୨୨ରେ ଓଡ଼ିଶାରେ ୬ ହଜାର ୧୪୦ ଜଣ ଆତ୍ମହତ୍ୟା କରିଥିଲେ। ଏ ବର୍ଷ ୩ ହଜାର ୩୧ ଜଣ କେବଳ ପାରିବାରିକ ସମସ୍ୟା ପାଇଁ ଆତ୍ମହତ୍ୟା କରିଥିଲେ। ମୋଟ ଆତ୍ମହତ୍ୟା ସଂଖ୍ୟାରୁ ପୁରୁଷ ୨ ହଜାର ୧୫୦ ଓ ମହିଳା ୩ ହଜାର ୯୯୦ ଅଛନ୍ତି। ମହିଳାଙ୍କ ଭିତରେ ଗୃହିଣୀ ୨ ହଜାର ୯୬୧। ମୋଟ ଆତ୍ମହତ୍ୟା ସଂଖ୍ୟାରୁ ଏକାଠି ରହୁଥିବା ଦମ୍ପତିଙ୍କ ସଂଖ୍ୟା ୨ ହଜାର ୯୧୯। ସେହିଭଳି ୨୦୨୧ରେ ୫ ହଜାର ୬୫୧ଜଣ ଆତ୍ମହତ୍ୟା କରିଥିଲେ। ଏଥିରେ ପୁରୁଷ ୪ ହଜାର ୪୧୨ ଓ ମହିଳା ୧ ହଜାର ୨୩୯। ମହିଳାଙ୍କ ଭିତରେ ୩୭୭ ଜଣ ଗୃହିଣୀ ଅଛନ୍ତି। 

୪ ବର୍ଷରେ ୨୧ ହଜାର ୯୧୯ ଆତ୍ମହତ୍ୟା
ଏକାଠି ରହୁଥିବା ଦମ୍ପତି ୪୮୫୪

Advertisment

ମୋଟ ଆତ୍ମହତ୍ୟା ସଂଖ୍ୟାରୁ ଏକାଠି ରହୁଥିବା ଦମ୍ପତିଙ୍କ ସଂଖ୍ୟା ୭୫୨। ୨୦୨୦ରେ ୫ ହଜାର ୫୪୬ ଜଣ ଆତ୍ମହତ୍ୟା କରିଥିଲେ। ଏଥିରେ ୩ ହଜାର ୯୦୯ ଜଣ ପୁରୁଷ ଓ ୧ ହଜାର ୬୩୭ ମହିଳା। ମହିଳାଙ୍କ ଭିତରେ ୫୫୪ ଜଣ ଗୃହିଣୀ। ମୋଟ ସଂଖ୍ୟାରୁ ଏକାଠି ରହୁଥିବା ଦମ୍ପତିଙ୍କ ସଂଖ୍ୟା ୫୧୯। ୨୦୧୯ରେ ୪ ହଜାର ୫୮୨ ଜଣ ଆତ୍ମହତ୍ୟା କରିଛନ୍ତି। ଏଥିରେ ୨ ହଜାର ୫୯୬ ପୁରୁଷ ଓ ୧ ହଜାର ୯୮୬ ମହିଳା ଅଛନ୍ତି। ମହିଳାଙ୍କ ଭିତରେ ୭୧୩ ଜଣ ଗୃହିଣୀ। ମୋଟ ମୃତ୍ୟୁ ସଂଖ୍ୟାରୁ ଏକାଠି ରହୁଥିବା ଦମ୍ପତିଙ୍କ ସଂଖ୍ୟା ହେଉଛି ୬୬୪। କଟକ ବଡ଼ ଡାକ୍ତରଖାନା ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅଜୟ ମିଶ୍ର କହିଛନ୍ତି ଯେ ମଣିଷଙ୍କର ବଞ୍ଚିବାକୁ ଯେମିତି ଆଗ୍ରହ ରହିଛି, ମରିବାକୁ ବି ସେମିତି ଆଗ୍ରହ ଥାଏ। ବିଶେଷ କରି ଯେଉଁମାନେ ଏକୁଟିଆ ରହୁଛନ୍ତି, ଚାକିରି ନାହିଁ, ମାନସିକ ରୋଗ ରହିଛି, ଯନ୍ତ୍ରଣାଜନିତ ରୋଗରେ ଆକ୍ରାନ୍ତ, ସେମାନଙ୍କଠାରେ ଆତ୍ମହତ୍ୟାର ଆଶଙ୍କା ଅଧିକ। ମାନସିକ ରୋଗୀ ୧୦୦ ଜଣଙ୍କ ମଧ୍ୟରୁ ୮୫ ଜଣଙ୍କର ଆତ୍ମହତ୍ୟା କରିବାର ଆଶଙ୍କା ରହିଛି। ପୂର୍ବରୁ ଏବଂ ଏବର ସାମାଜିକ ଚଳଣି ଭିତରେ ଆକାଶ ପାତାଳ ଫରକ। ଏବେ ପ୍ରତି କଥାରେ ପ୍ରତିଯୋଗିତା। ବିବାହିତଙ୍କ କ୍ଷେତ୍ରରେ ଅନୈତିକ ସମ୍ପର୍କ ଏକ ବଡ଼ କାରକ। ପରସ୍ପର ପ୍ରତି ବିଶ୍ବାସଭାଜନ, ସହନଶୀଳତାର ମାନସିକତା ଆଉ ନାହିଁ। ଆତ୍ମହତ୍ୟା ପୂର୍ବରୁ ମଣିଷର ହାବଭାବ ବଦଳିଥାଏ। ମଣିଷ ଏକୁଟିଆ ରହିବାକୁ ଭଲ ପାଏ। ଏକୁଟିଆ କାନ୍ଦେ, କାହା ସହିତ କଥା ହୋଇ ନ ଥାଏ। ଛୁରି, ବିଷାକ୍ତ ପଦାର୍ଥ ସଂଗ୍ରହ କରି ରଖିଥାଏ। ଏଭଳି ଆଚରଣରୁ ହିଁ ଜଣେ ଆତ୍ମହତ୍ୟା ଯୋଜନା କରୁଥିବା ସାଧାରଣ ଲୋକଟି ଜାଣିପାରିବ ବୋଲି ପ୍ରଫେସର ଡାକ୍ତର ମିଶ୍ର କହିଛନ୍ତି।