କାରଗିଲ୍‌ ବିଜୟ ଦିବସ ଆଜି, ପ୍ରତିଶ୍ରୁତିରେ ସହିଦ୍‌ ଗଙ୍ଗାରାମ ମାର୍ଗ ଓ ପାଠାଗାର

ଜିଲ୍ଲା ପ୍ରଶାସନର ମିଳିଥିଲା ପ୍ରତିଶ୍ରୁତି, ରାଜପଥ ପ୍ରଶସ୍ତୀକରଣ ବେଳେ ପ୍ରତିମୂର୍ତ୍ତି ବି ହଟାଇ ଦେଲେ

ବାଲେଶ୍ବର: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଭାରତ ପାଇଁ ଏକ ଐତିହାସିକ ଦିନ। ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ପାକ୍‌ ସେନାଙ୍କ କବଳରୁ କାରଗିଲକୁ ମୁକ୍ତ କରିଥିଲେ ଭାରତୀୟ ସେନା। ଭାରତୀୟ ସେନାର ବିଜୟ ଅଭିଯାନ ସଫଳ ହୋଇଥିଲା। ଷାଠିଏ ଦିନ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ୫୨୭ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୩୫୭ରୁ ୪୫୩ ପାକିସ୍ତାନୀ ନିହତ ହୋଇଥିଲେ। ଦେଶମାତୃକା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା‌ ସେହି ବୀର ସହିଦଙ୍କୁ ମନେ ପକେଇବା ଲାଗି ଏହି ଦିବସକୁ ସମଗ୍ର ଦେଶରେ କାରଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି।

ସୂଚନାଥାଉକି ଚଳିତ ବର୍ଷ କାରଗିଲ ବିଜୟ ଦିବସକୁ ୨୩ ବର୍ଷ ପୂରୁଥିବା ବେଳେ ବୀରପୁତ୍ରକୁ ହରାଇ ଏବେ ବି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି। ୧୯୯୯ ମସିହା ଜୁଲାଇ ୧୧ ତାରିଖରେ ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ା ମାଟିର ପୁଅ ଗଙ୍ଗାରାମ ଦାସ କାରଗିଲ ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିଲେ। ତତ୍କାଳୀନ ପ୍ରଶାସନ ସହିଦ୍‌ ଗଙ୍ଗାରାମଙ୍କ ପରିବାର ତଥା ଅଞ୍ଚଳବାସୀଙ୍କୁ କୁରୁଡ଼ାରୁ ମଠସାହି ଭାୟା ନୀଳକଣ୍ଠେଶ୍ବର ମହାବିଦ୍ୟାଳୟ ରାସ୍ତାକୁ ‘ସହିଦ୍‌ ଗଙ୍ଗାରାମ ମାର୍ଗ’ ନାମରେ ନାମକରଣ ଏବଂ ତାଙ୍କ ନାମରେ ଏକ ପାଠାଗାର ସହ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଦୁଃଖ ଓ ପରିତାପର ବିଷୟ ଆଜିଯାଏ ପ୍ରଶାସନ ପକ୍ଷରୁ ସେହି ପ୍ରତିଶ୍ରୁତି ପୂରଣ କରାଗଲା ନାହିଁ। ଏପରିକି କିଛିବର୍ଷ ପୂର୍ବରୁ ସଦରଥାନା ଛକରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ଆଧାର ନିର୍ମାଣ କରାଯାଇଥିବା ବେଳେ ଜାତୀୟ ରାଜପଥର ପ୍ରଶସ୍ତୀକରଣ ସମୟରେ ତାହା ଭାଙ୍ଗି ଦିଆଗଲା। ସେହିପରି ସ୍ଥାନୀୟ ଶାସଙ୍ଗ ପଡ଼ିଆରେ ସହିଦ୍‌ଙ୍କ ସମାଧିସ୍ଥଳ ନିକଟରେ ତାଙ୍କ ବାପା ଶ୍ୟାମସୁନ୍ଦର ଦାସ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ହେଁ ତାର ରକ୍ଷଣାବେକ୍ଷଣ ପ୍ରତି କେହି ଦୃଷ୍ଟି ନଦେବାରୁ ପ୍ରତିମୂର୍ତ୍ତିଟି ଏବେ  ଭଗ୍ନ ଅବସ୍ଥାରେ ପଡ଼ିଥିବା ‌ଶ୍ରୀ ଦାସ କ୍ଷୋଭର ସହ କହିଛନ୍ତି।

ଏଥିସହ ସହିଦ୍ ଗଙ୍ଗାରାମ ସ୍ମୃତି ପରିଷଦ ନାମରେ ହୋଇଥିବା ଏକ ଅନୁଷ୍ଠାନ କିଛି ବର୍ଷ ଧରି ଜିଲ୍ଲା ପ୍ରଶାସନକୁ ସହିଦ୍‌ ଗଙ୍ଗାରାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିଆଯାଇଥିବା ପ୍ରତିଶ୍ରୁତି କାହିଁକି ପୂରଣ କରାଯାଉନି ସେନେଇ ସ୍ମାରକ ପତ୍ର ପ୍ରଦାନ କରିଆସୁଛନ୍ତି। ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଏ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ଅବଗତ କରାଯିବା ପରେ ସେ ମଧ୍ୟ ଉକ୍ତ ସଂକ୍ରାନ୍ତୀୟ ଏକ ଚିଠି ରାଜ୍ୟ ସଂସ୍କୃତି ବିଭାଗକୁ ଲେଖିଥିଲେ। ବିଭାଗ ଏହା ଅବଗତ ହେବା ପରେ ୨୦୧୯ ମସିହାରେ ବାଲେଶ୍ବର ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇ ସହିଦ୍‌ ଗଙ୍ଗାରାମଙ୍କୁ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କହିଥିଲେ। ହେଲେ ବିଡ଼ମ୍ବନାର ବିଷୟ ଜିଲ୍ଲା ପ୍ରଶାସନ ଦ୍ବାରା ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। କାରଗିଲ ବିଜୟ ଦିବସ ପାଳନ ଅବସରରେ ଦେଶ ପାଇଁ ସହିଦ୍ ଗଙ୍ଗାରାମ ବଳିଦାନକୁ ସ୍ମରଣ କରି ତାଙ୍କୁ ନେଇ ଦିଆଯାଇଥିବା ପ୍ରତିଶ୍ରୁତିକୁ ବର୍ତ୍ତମାନର ଜିଲ୍ଲା ପ୍ରଶାସନ ପୂରଣ କରିବାକୁ ସ୍ମୃତି ପରିଷଦର ସମ୍ପାଦକ ତଥା କୁରୁଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ଗିରି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର