କେସିଙ୍ଗା: କଳାହାଣ୍ଡି ଜିଲ୍ଲାରେ ଧାନ ଅମଳ ହେବାର ଦେଢ଼ ମାସରୁ ଅଧିକ ସମୟ ହୋଇ ସାରିଥିବା ବେଳେ ଶୁକ୍ରବାରଠାରୁ ମଣ୍ଡି ଆରମ୍ଭ ହେବାକୁ ଯାଉଛି। ଧର୍ମକୁ ଆଖିଠାର ସଦୃଶ ପ୍ରଥମେ ଗୋଟିଏ ମଣ୍ଡି ଆରମ୍ଭ ହେବାକୁଥିବା ବେଳେ ଅନ୍ୟ ଗୁଡ଼ିକ ପର୍ଯ୍ୟାୟ କ୍ରମେ ଖୋଲିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ। ବକେୟା ଚାଉଳ ରହିଥିବାରୁ ଏଯାଏଁ ୪୨ ମିଲର୍ସ ଧାନ ନେବା ପାଇଁ ଚୁକ୍ତି କରିଛନ୍ତି। ଅନ୍ୟପକ୍ଷରେ ସାରା ଜିଲ୍ଲାରେ ଧାନ ୫୦ ପ୍ରତିଶତରୁ ଅଧିକ ଅମଳ ହୋଇ ସାରିଲାଣି। ତଥାପି ପ୍ରଶାସନ ବିଳମ୍ବରେ ମଣ୍ଡି ଆରମ୍ଭ କରୁଛି। ସେପଟେ ମଣ୍ଡି ଆରମ୍ଭ ହେଉଥିଲେ ମଧ୍ୟ ମଣ୍ଡିରେ କିଛି ବ୍ୟବସ୍ଥା ନାହିଁ।
ଆରଏମ୍ସି କୋଟି କୋଟି ଟଙ୍କାର ରାଜସ୍ୱ ବର୍ଷକୁ ପାଉଥିଲେ ବି ମଣ୍ଡି ଗୁଡ଼ିକର କୌଣସି ଉନ୍ନୟନ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି। ବାରମ୍ବାର ଜିଲ୍ଲାସ୍ତରୀୟ ବୈଠକରେ ଚାଷୀ ମଣ୍ଡିର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ବିଭିନ୍ନ ସ୍ଥାନରେ ଧାନ ଅମଳ ହୋଇସାରିଥିବା ବେଳେ ଦଲାଲମାନେ ସକ୍ରିୟ ହୋଇଛନ୍ତି। ବହୁ କମ୍ ଦରରେ ଧାନ କିଣି ସାରିଥିବା ବେଳେ ଏନେଇ ପ୍ରଶାସନ ଜାଣି ମଧ୍ୟ ଚୁପ୍ ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।