ଭୁବନେଶ୍ବର: ଆସନ୍ତାକାଲି ବିଜୁ ଜନତା ଦଳ ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନେତା ଓ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟର ସବୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଆଡମ୍ବର ସହକାରେ ପ୍ରତିଷ୍ଠା ଦିବସ ପାଳନ ହେବ। ଅପରାହ୍ନ ୪ଟା ୩୦‌େର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଯୋଗଦେଇ ନେତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେବେ। ଆଜି ଦଳର ରାଜ୍ୟ କାର୍ଯ୍ୟକାରିଣୀ ପଛୁଆବର୍ଗଙ୍କୁ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ୪୦% ସିଟ୍ ଦେବ ବୋଲି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଏନେଇ କିଛି ବଡ଼ ଘୋଷଣା କରିପାରନ୍ତି। ଏହାସହ ନିର୍ବାଚନ ସମୟରେ ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ମଧ୍ୟ କହିବେ।

Advertisment

ଏହି କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ନେତା ସାମିଲ୍‌ ହେବେ ସେଥିପାଇଁ ସମସ୍ତ ବ୍ଲକ ମୁଖ୍ୟାଳୟରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ବ୍ଲକ, ଯୁବ, ଛାତ୍ର, ମହିଳା ଏବଂ ବରିଷ୍ଠ ବିଜେଡି କମିଟିର ସମସ୍ତ ସଦସ୍ୟ, ବିଜେଡି ପଞ୍ଚାୟତ ସଭାପତିଙ୍କ ସହ ପ୍ରତି ବ୍ଲକରେ ଗଠନ ହୋଇଥିବା ଜୋନ୍ କମିଟିର ବ୍ଲକ୍ କୋର୍ଡିନେଟର, ଜୋନ୍ କୋର୍ଡିନେଟର, ଜୋନ୍ କମିଟି ସଦସ୍ୟ ଏବଂ ପଞ୍ଚାୟତ କମିଟି ସଦସ୍ୟଗଣ ଉପସ୍ଥିତ ରହିବେ। ଏହାସହ ୨୫ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକ୍ରିୟ ସଭ୍ୟ ଯୋଗଦେବେ। ସେହିଭଳି ପ୍ରତ୍ୟେକ ସହରାଞ୍ଚଳ ମୁଖ୍ୟାଳୟରେ ଦଳର ବିଭିନ୍ନ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ନଗର ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ବିଜେଡି କମିଟିର ସମସ୍ତ ସଦସ୍ୟ, ୱାର୍ଡ କମିଟିର ସମସ୍ତ ସଦସ୍ୟ ଏବଂ ୨୫ଜଣ ବ୍ୟକ୍ତିଙ୍କୁ ଦଳର ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସକ୍ରିୟ ସଭ୍ୟମାନେ ଯୋଗଦେବେ। ଏହାବାଦ୍ ପ୍ରତି ୱାର୍ଡରୁ ଶତାଧିକ କର୍ମୀ ଆଣିବାକୁ ନେତାମାନଙ୍କୁ କୁହାଯାଇଛି। ସବୁ ସହରାଞ୍ଚଳରେ ଓ ବ୍ଲକ ମୁଖ୍ୟାଳୟରେ ଆଡମ୍ବର ସହକାରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ସ୍ଥାନୀୟ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୧୦ଟା ୩୦ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟତଃ ଭୁବନେଶ୍ବରର ନେତାମାନେ ଯୋଗଦେବେ।