ପୁରୀ: ସୁନା ବେଶରେ ସଜେଇ ହେବେ ମର୍ତ୍ତ୍ୟ ବୈକୁଣ୍ଠର କ୍ଷେତ୍ରାଧିପତି ମହାବିଷ୍ଣୁ ଶ୍ରୀଜଗନ୍ନାଥ। ଶୃଙ୍ଗାର ପ୍ରିୟ ମହାପ୍ରଭୁ ରଥ ଉପରେ ବଡ଼ତଢ଼ାଉ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସୁବର୍ଣ୍ଣ ନିର୍ମିତ ହସ୍ତ ପାଦରେ ପୂର୍ଣ୍ଣାଙ୍ଗ ଅବୟବରେ ପ୍ରକଟ ହେବେ ଜଗତାଧିପତି। ରାଜାଧିରାଜଙ୍କ ଏହି ଅପୂର୍ବ ରୂପ ସଂଦର୍ଶନ ପାଇଁ ଚାହିଁ ରହିଛନ୍ତି କୋଟିକୋଟି ଭକ୍ତ। ମହାପ୍ରଭୁ ସୁନାବେଶ ହେଉଥିଲେ ହେଁ ଏହି ବେଶକୁ ଭିନ୍ନଭିନ୍ନ ନାମରେ ଅଭିହିତ କରାଯାଇଛି। ସୁନାବେଶକୁ ରାଜବେଶ, ରାଜରାଜେଶ୍ବର ବେଶ ଓ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ। ଏଭଳି ଭିନ୍ନ ଭିନ୍ନ ନାମ ପଛରେ ମଧ୍ୟ ପ୍ରାସଙ୍ଗିକତା ରହିଛି।

Advertisment

ସୂର୍ଯ୍ୟବଂଶୀ ରାଜତ୍ବ କାଳରେ ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଥିଲେ ଦିଗବିଜୟୀ ରାଜା। ଦେବୀ ଜୟଦୁର୍ଗାଙ୍କ କରୁଣାରୁ ସେ ସମଗ୍ର ଦାକ୍ଷିଣାତ୍ୟ ଜୟ କରିଥିଲେ। ସେଠାରୁ ବିପୁଳ ଧନ ରତ୍ନ ୧୬ଟି ହାତୀ ପିଠିରେ ବୋଝେଇ କରି ଶ୍ରୀକ୍ଷେତ୍ରକୁ ଫେରିଥିଲେ। ଶ୍ରୀମନ୍ଦିର ଜୟ ବିଜୟ ଦ୍ବାରରେ ସ୍ବୟଂ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ବାରା ଖୋଦିତ ଶିଳାଲେଖରେ ଏ ସମ୍ବନ୍ଧରେ ଉଲ୍ଲେଖ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ ସାର୍ବଭୌମ ଶାସକ ଭାବେ ଉଦ୍‌ଘୋଷଣା କରି ନିଜକୁ ସେବକ ଭାବେ ଉତ୍ସର୍ଗ କରିଥିଲେ। ଆଣିଥିବା ସୁନାରେ ମହାପ୍ରଭୁଙ୍କ ଆଭୂଷଣ ତିଆରି ପାଇଁ ଚିନ୍ତାକଲେ। ଅଳଙ୍କାର ଦାୟିତ୍ବରେ ରହୁଥିବ ତଢ଼ଉକରଣଙ୍କ ସହ ପରାମର୍ଶ କରିଥିଲେ। ଗଜପତିଙ୍କ ଆଗ୍ରହ ଜାଣି ତଢ଼ଉକରଣ କହିଥିଲେ, ଛାମୁ ରତ୍ନ ସିଂହାସନ ଉପରେ ବର୍ଷ ସାରା ଅନେକ ବେଶ ଶ୍ରୀବିଗ୍ରହଙ୍କର ଅନୁଷ୍ଠିତ ହେଉଛି।

ମାତ୍ର ସବୁବର୍ଗର ଲୋକେ ଏହି ବେଶ ଦେଖିବା ସମ୍ଭବ ହେଉନାହିଁ। ତେଣୁ ରଥ ଦକ୍ଷିଣାଭିମୁଖ ହୋଇ ଆସିବା ପରେ  ବଡ଼ ଏକାଦଶୀ ଦିନ ଏହି ବେଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଜପତି ସହମତି ପ୍ରକାଶ ପରେ ଦେଶ ବିଦେଶରୁ କୁଶଳୀ ସ୍ବର୍ଣ୍ଣକାରମାନଙ୍କୁ ଡକାଇ ଅଳଙ୍କାର ତିଆରି କରାଗଲା। ‘ବଡ଼ତଢ଼ଉ’ଙ୍କ ନାମରେ ପ୍ରଥମେ ଏକ କଣ୍ଠିମାଳ ତିଆରି କରାଗଲା। ପରେ ଶ୍ରୀଭୁଜ ଶୋଭିତ ଶଙ୍ଖ, ଚକ୍ର, ହଳ, ମୂଷଳ, ମୁକୁଟ, ପଦକ, ପଦବଲ୍ଲଭ, ବାଜୁ, ବାହୁଟି, ବଳା, ଜାଲିତଢ଼ାଉ, କାନ୍ତିକବର, ମେଖଳା ଭଳି ୧୩୮ କିସମର ରତ୍ନଖଚିତ ଅଳଙ୍କାର ତିଆରି କରାଗଲା। ଏହୀ ଆଭୂଷଣଗୁଡ଼ିକୁ ଶ୍ରୀବିଗ୍ରହମାନଙ୍କୁ ରଥ ଉପରେ ଲାଗି କରାଯାଇଥିଲା। ମାତ୍ର ଏବେ ଏତେ ଅଳଙ୍କାର,  ଆଭୂଷଣ ରଥ ଉପରକୁ ଆସୁନାହିଁ।

ରାଜା ଇନ୍ଦ୍ରଦ୍ୟୁମ୍ନ ଓ ‘ରାଜବେଶ’
କିମ୍ବଦନ୍ତୀ ମୁତାବକ, ଶ୍ରୀବିଗ୍ରହ ତିଆରି ଚାଲିଥିବା ବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ଦ୍ଧାରିତ ଦିନ ପୂର୍ବରୁ କବାଟ ଖୋଲି ଦେଇଥିଲେ। ତେଣୁ ଶ୍ରୀବିଗ୍ରହ ଅସମ୍ପୂର୍ଣ୍ଣ ହୋଇଥିବାରୁ ମ୍ରିୟମାଣ ହୋଇପଡ଼ିଥିଲେ। ଏଥିପାଇଁ ସେ ନିଜକୁ ଦାୟୀ ମନେକରି ନିରାହାରରେ ମୃତ୍ୟୁବରଣ କରିବା ପାଇଁ ସଂକଳ୍ପ ନେଲେ। ଉତ୍କଳ ପ୍ରସଙ୍ଗରେ ପଙ୍କଜ ସାହୁଙ୍କ ଆଲେଖ୍ୟ ମୁତାବକ, ରାଜାଙ୍କର ଏଭଳି ନିଷ୍ପତ୍ତିରେ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ସୂଚନା ଦେଲେ ଯେ ବ୍ରହ୍ମର ଅବୟବ ନାହିଁ। ବ୍ରହ୍ମରେ ଅବୟବ ପରିକଳ୍ପନା ଉଦ୍ଭଟ ଚିନ୍ତାର ପରିଚାୟକ। ତୁମେ ମୋର ଯେଉଁ ବିଗ୍ରହ ଦେଖୁଛ ତାହା ଆଦୌ ଅସମ୍ପୂର୍ଣ୍ଣ ନୁହେଁ। ଏହା ମୋ ଇଚ୍ଛାର ପରିପ୍ରକାଶ ମାତ୍ର। ଯଦି ତୁମକୁ ଅସମ୍ପୂର୍ଣ୍ଣ ବୋଧ ହେଉଛି ତେବେ ସୁନା ନିର୍ମିତ ହସ୍ତପାଦ ଦ୍ବାରା ମୋ ବିଗ୍ରହକୁ ସମ୍ପୂର୍ଣ୍ଣ ରୂପ ପ୍ରଦାନ କରିବ। ଏହି ଆଦେଶକୁ ସମ୍ମାନ ଦେଇ ସେ ନଳିଭୁଜ ନାମରେ ପରିଚିତ ନଳି ସଦୃଶ ଏକ ସ୍ବର୍ଣ୍ଣ ଆଭୂଷଣ ପ୍ରସ୍ତୁତ କରିଥିଲେ। ଆଷାଢ଼ ଶୁକ୍ଳ ଏକାଦଶୀରେ ମହାପ୍ରଭୁମାନଙ୍କୁ ସୁନାର ଶ୍ରୀଭୁଜ ଓ ଶ୍ରୀପୟର ଲାଗି ସହିତ ସୁନାରେ ବେଶ କରାଇବା କାର୍ଯ୍ୟ ସର୍ବପ୍ରଥମେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ବାରା ଆରମ୍ଭ ହୋଇଥିବାରୁ ଏହା ‘ରାଜବେଶ’ ନାମରେ ସର୍ବଜନ ବିଦିତ ବୋଲି ଉଲ୍ଲେଖ କରିଛନ୍ତି।

‘ବଡ଼ତଢ଼ାଉ’ ନାମକରଣ ମହତ୍ତ୍ବ
‘ବଡ଼ତଢ଼ାଉ’ ହେଉଛି ମହାପ୍ରଭୁଙ୍କ ସେବା ଅନ୍ତର୍ଭୁକ୍ତ ସେବକବୃନ୍ଦ। କେଉଁ ବେଶରେ କେତେ ଅଳଙ୍କାର ଲାଗିବ ଏ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ରହିଛି। ସେମାନଙ୍କ ନିର୍ଦ୍ଧାରଣ ଅନୁସାରେ ଭଣ୍ଡାରମେକାପ ରତ୍ନଭଣ୍ଡାର ମଧ୍ୟରୁ ଅଳଙ୍କାରଗୁଡ଼ିକୁ ଗଣତି କରି ଆଣିଥାନ୍ତି। ବଡ଼ତଢ଼ାଉଙ୍କ ଅଳିକୁ ସମ୍ମାନ ଦେଇ ସେଇଦିନଠାରୁ ସୁନାବେଶ ହେଉଥିବାରୁ ଏହା ‘ବଡ଼ତଢ଼ାଉ’ ବେଶ ନାମରେ ବିଦିତ ବୋଲି ଲେଖକମାନେ ମତ ଦିଅନ୍ତି।

ଗଜପତିଙ୍କ ସ୍ବୀକାର, 'ଶ୍ରୀଜଗନ୍ନାଥ ସ୍ବୟଂ ରାଜା...
ଅନଙ୍ଗଭୀମ ଦେବଙ୍କଠାରୁ ସୁନାଦାନର ପରମ୍ପରା

publive-image

ଉତ୍କଳର ରାଜାମାନେ ସର୍ବଦା ନିଜକୁ ସେବକ ସ୍ଥାନରେ ରଖି ମହାପ୍ରଭୁ ‘ଶ୍ରୀଜଗନ୍ନାଥ’ଙ୍କୁ ରାଜାର ସ୍ଥାନ ଦେଇଛନ୍ତି। ଅନଙ୍ଗଭୀମ ଦେବ ତୃତୀୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଓଡ଼ିଶାର ପ୍ରକୃତ ରାଜା କହିବା ସହ ନିଜକୁ ସେବକ ଭାବେ ପ୍ରଥମେ ଘୋଷଣା କରିଥିଲେ। ତାଙ୍କ ପୁତ୍ର ଲାଙ୍ଗୁଳା ନରସିଂହ ଦେବ ମଧ୍ୟ ନିଜକୁ ପୁରୁଷୋତ୍ତମ ପୁତ୍ର ଭାବେ ଅଭିହିତ କରିଥିଲେ। ଗଙ୍ଗବଂଶୀ ରାଜା ଭାନୁଦେବ ତୃତୀୟ ଶ୍ରୀଜଗନ୍ନାଥଙ୍କୁ ପ୍ରକୃତ ରାଜା କହିବା ସହ ମହାପ୍ରଭୁଙ୍କ ନାମରେ ଅଙ୍କ ଗଣନା ଆରମ୍ଭ କରିଥିଲେ। ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଷ୍ଟ୍ରଦେବତା ଭାବେ ମହାପ୍ରଭୁଙ୍କୁ ଅଭିହିତ କରିଥିଲେ। ନିଜକୁ ତାଙ୍କର ସେବକ ଭାବେ ସ୍ବୀକାର କରିଥିଲେ। ଲେଖକଙ୍କ ସୂଚନା ମୁତାବକ, ଅନଙ୍ଗଭୀମ ଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ରାଜ୍ୟର ରାଜା ରୂପେ ମାନ୍ୟତା ଦେଇଥିବାରୁ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ। ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ଅନଙ୍ଗଭୀମ ଦେବ ତୃତୀୟ ମହାପ୍ରଭୁଙ୍କ ରତ୍ନସିଂହାସନରେ ଛାଉଣି ୩ ହଜାର ମାଢ଼ ସୁନା ଦାନ କରିଥିଲେ। ଏଥିସହ ମହାପ୍ରଭୁଙ୍କ ଅଳଙ୍କାର ଗଢ଼ିବା ପାଇଁ ଦଶ ହଜାର ସ୍ବର୍ଣ୍ଣ ମୁଦ୍ରା ପ୍ରଦାନ କରିଥିଲେ। ଏହାର ଓଜନ ଥିଲା ୨ଲକ୍ଷ ୫୦ ହଜାର ମାଢ଼। ଜୟବିଜୟ ଦ୍ବାରସ୍ଥିତ ଶିଳାଲେଖରେ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କିଛି ମୂଲ୍ୟବାନ ପଦାର୍ଥ ସହ ରତ୍ନ ପଦକ, ରତ୍ନ କାନଫୁଲ ଓ ବାହୁଟି ଆଦି ଅର୍ପଣ କରିଥିବା କଥା ଖୋଦିତ ହୋଇଛି।

ଶ୍ରୀଭୁଜ ୪, ଶ୍ରୀପୟର ୪
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀପାଦ ଓ ଶ୍ରୀହସ୍ତକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ୪ଟି ସୁନା ନିର୍ମିତ ଶ୍ରୀପୟର ଓ ୪ଟି ଶ୍ରୀଭୁଜ ଲାଗି କରାଯାଏ। ଶ୍ରୀଭୁଜରେ ଆଙ୍ଗୁଠି ଏବଂ ଆଙ୍ଗୁଠିରେ ମୁଦି ସଂଯୋଜିତ ହୋଇଥିବାର ଦେଖାଯାଏ। ମହାପ୍ରଭୁଙ୍କ ବାମ ହାତରେ ରୌପ୍ୟ ନିର୍ମିତ ପଞ୍ଚଜନ୍ୟ ଶଙ୍ଖ ଏବଂ ଡାହାଣ ହାତରେ ସୁନା ନିର୍ମିତ ସୁଦର୍ଶନ ଚକ୍ର ଲାଗି କରାଯାଏ। ସେହିପରି ବଡ଼ଠାକୁରଙ୍କୁ ସୁନା ନିର୍ମିତ ହଳମୂଷଳ ଆୟୁଧରେ ସଜାଯାଏ। ମାତ୍ର ଦେବୀ ସୁଭଦ୍ରାଙ୍କ ଶ୍ରୀବିଗ୍ରହରେ ହାତପାଦ ସଂଯୋଗ ହୁଏ ନାହିଁ।
ଶ୍ରୀଜଗନ୍ନାଥଙ୍କ ଅଳଙ୍କାର
ଅଳଙ୍କାର ପ୍ରିୟ ମହାପ୍ରଭୁଙ୍କୁ ସୁନାବେଶରେ ଲାଗିହେଉଥିବା ବିଭିନ୍ନ ଅଳଙ୍କରର ନାମ ମଧ୍ୟ ଭିନ୍ନ। ଏହି ଅଳଙ୍କାର ମଧ୍ୟରେ ରହିଛି କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ବର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି ଓ ତ୍ରିଖଣ୍ଡିକା କମରପଟି।

୬ଥର ସୁନାବେଶ
ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ଟି ବେଶ ହୋଇଥାଏ। ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ। ବର୍ଷକୁ ୬ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ। ଥରେ ରଥରେ ଏବଂ ଶ୍ରୀମନ୍ଦିର ରତ୍ନବେଦିରେ ୫ଥର ମହାପ୍ରଭୁ ସୁନାବେଶରେ ଦର୍ଶନ ଦିଅନ୍ତି। ଚାରିଟି ପୂର୍ଣ୍ଣିମା ଯଥା କୁମାରପୂର୍ଣ୍ଣିମା, କାର୍ତ୍ତିକପୂର୍ଣ୍ଣିମା, ପୌଷପୂର୍ଣ୍ଣିମା ଓ ଦୋଳପୂର୍ଣ୍ଣିମା ସମେତ ବିଜୟା ଦଶମୀ ଦିନ ରତ୍ନବେଦିରେ ସୁନାବେଶ ହୋଇଥାଏ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତିଙ୍କ ଏକ ଆଲେଖ୍ୟ ମୁତାବକ, ଶ୍ରୀମନ୍ଦିର ରତ୍ନବେଦିରେ ହେଉଥିବା ୫ଟି ସୁନାବେଶ ମଧ୍ୟରୁ କୁମାରପୂର୍ଣ୍ଣିମା ସୁନାବେଶକୁ ରାଜରାଜେଶ୍ବର ବେଶ କୁହାଯାଏ। ଅନ୍ୟ ଚାରିବେଶକୁ ରାଜବେଶ କୁହାଯାଏ। ତେବେ କୁମାରପୂର୍ଣ୍ଣିମାର ରାଜରାଜେଶ୍ବର ବେଶ ରାଜବେଶର ଅନୁରୂପ। କୁମାରପୂର୍ଣ୍ଣିମା ଦିନ ମହାପ୍ରଭୁ ଦ୍ବାରକାକୃଷ୍ଣ ଭାବରେ ଐଶ୍ବର୍ଯ୍ୟ ଭାବ ପ୍ରକାଶ କରିଥାନ୍ତି। ତେଣୁ ଏହି ବେଶକୁ ରାଜରାଜେଶ୍ବର ବେଶ କୁହାଯାଏ। ସେହିଭଳି ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ହେଉଥିବା ସୁନାବେଶକୁ ‘ବଡ଼ତଢ଼ାଉ ବେଶ’ ନାମରେ ଅଭିହିତ କରାଯାଇଛି।

ମାଧୁର୍ଯ୍ୟର ଦେବତା

ପ୍ରାଚୁର୍ଯ୍ୟ, ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ବଡ଼ଦେଉଳ, ଦେଉଳ ଭିତରେ ଆମ ବଡ଼ ଠାକୁର, ବିଶ୍ୱବିଦିତ ଜଗତ୍‌ କରତା, ଜଗତ୍‌ର ନାଥ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କୁ ନେଇ ଜନମାନସରେ ଅନେକ ଜନଶ୍ରୁତି, ପ୍ରଥା, ପରମ୍ପରା, କିଂବଦନ୍ତି, କଥା-କାହାଣୀ। ଠିକ୍ ସେହିପରି ତାଙ୍କୁ ନେଇ ବଡ଼ ଦେଉଳରେ ଅନେକ ରୀତିନୀତି, ମହୋତ୍ସବ ଓ ପର୍ବପର୍ବାଣି। ବର୍ଷ ତମାମ ତାଙ୍କ ଅପୂର୍ବ ବେଶଭୂଷା ଓ ସାଜସଜ୍ଜା, ଯହିଁରୁ ସୁନାବେଶ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ବହନ କରିଥାଏ। କହିବା ବାହୁଲ୍ୟ ଯେ ଏହି ଅପୂର୍ବାନୁମେୟ ବେଶକୁ ଦେଖିବା ପାଇଁ କୋଣ ଅନୁକୋଣରୁ ପୁରୀକୁ ଧାଇଁ ଆସନ୍ତି ଜଗନ୍ନାଥପ୍ରେମୀ ଅଗଣିତ ଭକ୍ତ।

ସୁନାବେଶକୁ ‘ରାଜାଧିରାଜ ବେଶ’ ବା ‘ରାଜା ବେଶ’ ଓ ‘ରାଜରାଜେଶ୍ୱର ବେଶ’ ବୋଲି ମଧ୍ୟ କୁହାଯାଏ। ବର୍ଷକୁ ପାଞ୍ଚ ଥର ବଡ଼ ଠାକୁର ଏହି ବେଶ ଧାରଣ କରନ୍ତି। ଏହି ଦିନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇଥାଆନ୍ତି। ପବିତ୍ର ବାହୁଡ଼ା ଏକାଦଶୀ ରଥଯାତ୍ରା ସମୟର ଏହି ବେଶ ଏକ ସର୍ବାଧିକ ଆକର୍ଷଣୀୟ ବିଭାବ। ଠାକୁରମାନଙ୍କର ହସ୍ତ ଓ ପଦ ସୁବର୍ଣ୍ଣ ସଜ୍ଜିତ ହେବା ସହିତ ମହାପ୍ରଭୁଙ୍କର ଚକ୍ର ସୁନାରେ ସଜା ହୋଇଥାଏ। ଏହି ଦିନ ବଳଭଦ୍ର ମଧ୍ୟ ସୁବର୍ଣ୍ଣ ନିର୍ମିତ ଲଙ୍ଗଳ ଧାରଣ କରନ୍ତି। ଏହି ବେଶରେ ଶ୍ରୀପୟର, ଶ୍ରୀଭୁଜ, କୀରିଟି, କାନ, ବାହାଡ଼ାମାଳି, ସେବତୀ ମାଳି, ତାବିଜ ମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ହଳ, ମୂଷଳ, ଚକ୍ର, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ, ଓଡ଼ିଆଣୀ, ଅଳକା, ଚନ୍ଦ୍ରିକା ପ୍ରଭୃତି ସୁନା ଅଳଙ୍କାର ଲାଗି କରାଯାଏ। ରଥଯାତ୍ରାର ସମାପ୍ତି ପରେ ଦିଅଁମାନେ ସିଂହଦ୍ୱାର ସମ୍ମୁଖରେ ଦକ୍ଷିଣମୁହାଁ ହୋଇ ରହିଥିବା ରଥ ଉପରେ ଏହି ଅପୂର୍ବ ସୁବର୍ଣ୍ଣ ଛଟା ସହିତ ଉପବେଶନ କରିଥାନ୍ତି। ଶୁକ୍ଳ ଏକାଦଶୀରେ ରଥ ଉପରେ ଏଇ ବେଶ ସର୍ବସାଧାରଣଙ୍କୁ ବିଭୋର କରୁଥିବା ଏହି ବେଶ ‘ବଡ଼ତଢ଼ଉ ବେଶ’ ଭାବରେ ମଧ୍ୟ ପରିଚିତ। ପ୍ରକାଶ ରହୁ କି ‘ତଢ଼ଉ’ର ଅର୍ଥ ସୁନା।

ଏହି ରାଜବେଶରେ କେବଳ ଶଙ୍ଖଟି ରୁପା, ବାକି ସବୁ ଅଳଙ୍କାର ସୁବର୍ଣ୍ଣ ନିର୍ମିତ ହୋଇଥାଏ। ରଥ ଉପରେ ହେଉଥିବା ଏହି ରାଜ ବେଶରେ ସୁନାର ରାହୁ ରେଖା, ରତ୍ନଚିତା ଭଳି ଦୁଇଟି ପ୍ରଧାନ ଅଳଙ୍କାର ନ ଥାଏ। ରଥଯାତ୍ରା ସମୟରେ ତିନି ଦିଅଁଙ୍କ ଶ୍ରୀମୁଖମଣ୍ଡଳରେ ପ୍ରକୃତ ରତ୍ନ ଚିତା ବି ନ ଥାଏ। କାରଣ ରଥଯାତ୍ରା ଦିନ ପହଣ୍ଡି ଶେଷ ପରେ ଛେରାପହଁରା ପୂର୍ବରୁ ତିନି ଦିଅଁଙ୍କୁ ଗୋଟିଏ ଲେଖାଏଁ ସୋଲ ଚିତା ଲାଗି କରାଯାଏ। ତାହା ମଧ୍ୟରେ ଅଳ୍ପ ପରିମାଣର ସୁନା ଓ ରତ୍ନ ପଥର ବସାଯାଇଥାଏ। ରାଜାଧିରାଜ ମହାପ୍ରଭୁଙ୍କ ଏହି ସୁନାବେଶ ଅନନ୍ୟ। ଇତିହାସର ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ ଯେବେଠାରୁ ରାଜତନ୍ତ୍ରରେ ମହାପ୍ରଭୁ ରାଜା ଓ ରାଜା ରାଉତ ହୋଇଛନ୍ତି, ସେବେଠାରୁ ଏ ବେଶର ପରମ୍ପରା ଲାଗୁ ହୋଇଛି। ଶ୍ରୀମନ୍ଦିରର ଇତିହାସ କୁହେ, ୧୪୬୦ ମସିହାରେ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଠାକୁରଙ୍କ ସୁନାବେଶର ଶୁଭାରମ୍ଭ ହୋଇଥିଲା। ସମ୍ରାଟ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟର ଶାସକଙ୍କ ଉପରେ ବିଜୟ ଲାଭ କରିବା ପରେ ଷୋହଳ ମାଡ଼ି ସ୍ୱର୍ଣ୍ଣ ଓ ହୀରା ହାତୀମାନଙ୍କ ପିଠିରେ ବୋହିଆଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉପହାର ସ୍ବରୂପ ଦେଇଥିଲେ। ସେଥିରେ ଅଳଙ୍କାରମାନ ଗଢ଼ା ହୋଇଥିଲା। ବାହୁଡ଼ା ଯାତ୍ରା ପରେ ଦେବତାମାନଙ୍କୁ ସେ ସବୁ ଲାଗି କରାଯାଇ ସୁନାବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନରସିଂହ ଦେବଙ୍କ ସମୟରୁ ଶ୍ରୀଜଗନ୍ନାଥ ହୋଇଛନ୍ତି ଓଡ଼ିଶାର ପ୍ରକୃତ ରାଜା ଓ ରାଜା ହୋଇଛନ୍ତି ରାଉତ ବା ସେବକ (ଲିଙ୍ଗରାଜ ମନ୍ଦିର ଶିଳାଲେଖ)। ସେବେ ଠାରୁ ଏ ସମର୍ପିତ ଭାବନା କ୍ରମେ ସୁନାବେଶର ପରଂପରାରେ ରୂପାନ୍ତରିତ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ରାଜା ନିଜ ବିଜୟ ପରେ ଧନରତ୍ନାଦି ଆଣି ମହାପ୍ରଭୁଙ୍କୁ ଅର୍ପଣ କରୁଥିଲେ। ଏହି ଲୋଭରେ ବାହାର ଶତ୍ରୁମାନେ ବାରମ୍ବାର ଶ୍ରୀମନ୍ଦିର ଉପରେ ଆକ୍ରମଣ କରୁଥିଲେ।

ଶ୍ରୀମନ୍ଦିର ତଥ୍ୟ ଅନୁଯାୟୀ, ପୂର୍ବରୁ ସୁନାବେଶ ଲାଗି ୨୦୮ କିଲୋଗ୍ରାମରୁ ଅଧିକ ପରିମାଣର ସୁନା ବିଗ୍ରହମାନଙ୍କୁ ସଜାଇବା ପାଇଁ ବ୍ୟବହୃତ ହେଉଥିଲା। ପୂର୍ବରୁ ୧୩୮ ପ୍ରକାରର ସ୍ୱର୍ଣ୍ଣାଳଙ୍କାର ବ୍ୟବହାର କରାଯାଉଥିବା ବେଳେ ବର୍ତ୍ତମାନ ମହାପ୍ରଭୁ ୨୦-୩୦ ପ୍ରକାରର ଅଳଙ୍କାର ଦ୍ବାରା ବିମଣ୍ଡିତ ହେଉଛନ୍ତି। ଭଣ୍ଡାର ଘରେ ଗଚ୍ଛିତ ରହିଥିବା ଏହି ସ୍ୱର୍ଣ୍ଣାଳଙ୍କାର ସଜ୍ଜିତ ହେବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥାଏ। ଶ୍ରୀମନ୍ଦିରରେ ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ମାଘ ପୂର୍ଣ୍ଣିମାରେ ମଧ୍ୟ ସୁନାବେଶ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଆଷାଢ଼ ଏକାଦଶୀରେ ଅନୁଷ୍ଠିତ ମହନୀୟ ସୁନାବେଶ ରଥ ଉପରେ ଅର୍ଥାତ୍ ଶ୍ରୀମନ୍ଦିର ବାହାରେ ହିଁ ସଂପନ୍ନ ହୋଇଥାଏ। ଏତଦ୍‌ବ୍ୟତୀତ ଅନ୍ୟତମ ପର୍ବପର୍ବାଣି ଯଥା ବାମନ ଜନ୍ମ, ରାଧା-ଦାମୋଦର ବେଶ, ଚାଚେରୀ ବେଶରେ ମଧ୍ୟ ଅନେକ ଅଳଙ୍କାରରେ ବିଗ୍ରହମାନଙ୍କୁ ବିଭୂଷିତ କରାଯାଏ। କିନ୍ତୁ, ରାଜ ବେଶରେ ସର୍ବାଧିକ ରତ୍ନ ଅଳଙ୍କାର ଲାଗି କରାଯାଇଥାଏ। ସୁନା ବେଶ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଏକ ବିଶେଷ ଉତ୍ସବ। ଏହି ଅପୂର୍ବ ବେଶକୁ ଆଖି ପୂରେଇ ଦେଖିନେବା ପାଇଁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆଗ୍ରହ ଓ ଆକର୍ଷଣ ଅବର୍ଣ୍ଣନୀୟ। ଆଜି ସେହି ବେଶ ଦର୍ଶନର ମାଦକତାରେ ଆପ୍ଳୁତ ହେବେ କୋଟିକୋଟି ଶ୍ରଦ୍ଧାଳୁ। ବେଶ ଦର୍ଶନର ଏହି ଅଭୁଲା ସ୍ମୃତି ନେଇ ଫେରିଯିବେ ସମସ୍ତେ ପୁଣି ଆସନ୍ତା ବର୍ଷର ସୁନାବେଶକୁ ରଥ ଉପରେ ଦର୍ଶନ କରିବାର ଆଶା ନେଇ।
ଇଂ. ପ୍ରଶାନ୍ତ କୁମାର ଆଚାର୍ଯ୍ୟ
ମୋ: ୯୪୩୭୦୭୭୭୬୭
ପ୍ରଜ୍ଞାବିହାର, ବରମୁଣ୍ଡା, ଭୁବନେଶ୍ୱର