ଗୃହ ୨ଥର ମୁଲତବୀ: ଓଡ଼ିଆ ଭାଷାକୁ ଅବହେଳା, କଂଗ୍ରେସର ହଟ୍ଟଗୋଳ

ଆଜି ମନ୍ତ୍ରୀ ରଖିବେ ଉତ୍ତର

ଭୁବନେଶ୍ବର: ଓଡ଼ିଆ ଭାଷାର ବିକାଶ ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ଅନୁଦାନ ନ ଦେବା ଓ ଏହି ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଉପରେ ଆବଶ୍ୟକ ଚାପ ସୃଷ୍ଟି ନ କରିବା ଘଟଣାରେ କଂଗ୍ରେସ ବିଧାନସଭାରେ ଗର୍ଜନ ତର୍ଜନ କରିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଗୋଟିଏ ପଟେ ଗୃହ ମଧ୍ୟରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରୁଥିବା ବେଳେ ଅନ୍ୟପଟରେ ଉଭୟ ବିଜେଡି ଓ ବିଜେପି ବିଧାୟକମାନେ ନିରବ ରହିଥିଲେ। ଅସ୍ବାଭାବିକ ପରିସ୍ଥିତି ଆଡ଼କୁ ଟାଣି ହେଉଥିବା ଲକ୍ଷ୍ୟ ରଖି ବାଚସ୍ପତି ଗୃହକୁ ୧୫ମିନିଟ୍ ପାଇଁ ଅର୍ଥାତ୍ ୧୨ଟା ୧୪ରୁ ୧୨ଟା ୨୯ ଓ ପରେ ୧୨ଟା ୫୦ ଯାଏ ମୁଲତବୀ କରିଥିଲେ। ପରେ ବାଚସ୍ପତି ରୁଲିଂ ଦେଇଥିଲେ ଯେ ଆସନ୍ତାକାଲି ସଂସ୍କୃତି ମନ୍ତ୍ରୀ ଏ ନେଇ ଗୃହରେ ଉତ୍ତର ରଖିବେ।

ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ବୈଧାନିକ ପ୍ରଶ୍ନ ଛଳରେ ଏହି ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷାର ପ୍ରସାର ଓ ପ୍ରଚାର ପାଇଁ କେନ୍ଦ୍ର ସରକାର ୯୦ ଓ ୧୦ ଅନୁପାତରେ ଅର୍ଥ ଦେଇଥାନ୍ତି। ୯୦ ପ୍ରତିଶତ କେନ୍ଦ୍ର ସରକାର ପ୍ରଦାନ କରିବେ। କିନ୍ତୁ ଚଳିତବର୍ଷ କେନ୍ଦ୍ର ସରକାର ଟଙ୍କାଟିଏ ବି ଏ ବାବଦରେ ପ୍ରଦାନ କରିନାହାନ୍ତି କି ରାଜ୍ୟ ସରକାର ମଧ୍ୟ ପ୍ରତିବାଦ ଜଣାଇନାହାନ୍ତି। ବାଚସ୍ପତି ତୁରନ୍ତ ଏଥିରେ ହସ୍ତକ୍ଷେପ କରି ରୁଲିଂ େଦବାକୁ ଶ୍ରୀ ବାହିନୀପତି ଦାବି କରିଥିଲେ। ହେଲେ ବାଚସ୍ପତି ଏହାକୁ ଟାଳିବାକୁ ଉଦ୍ୟମ କରିବାକୁ କଂଗ୍ରେସ ବିଧାୟକମାନେ କ୍ଷୁବ୍ଧ ହୋଇଯାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଥିରେ ହସ୍ତକ୍ଷେପ କରି କହିଥିଲେ ଯେ ଗୋଟିଏ ରାଜ୍ୟସଭା ଆସନ ଦେଇଦେଲ। ୩୦୦ କୋଟି ଟଙ୍କାରୁ ଟଙ୍କାଟିଏ ବି ମିଳିବନି। ପରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ନାରାବାଜି କରି କମ୍ପାଇଥିଲେ। ପରେ ବାଚସ୍ପତି ଦୁଇଥର ଗୃହକୁ ମୁଲତବୀ କରିବା ସହିତ ରୁଲିଂ ଦେବା ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ଘଟଣାରେ ଗୃହ ବାହାରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ, କେନ୍ଦ୍ର ସରକାର ତିନି ବର୍ଷରେ ୬୪୩ କୋଟି ୮୪ଲକ୍ଷ ଟଙ୍କା କେବଳ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରିଛନ୍ତି, ଯାହା ଅନ୍ୟ ୫ଟି ଭାଷାର ପାଖାପାଖି ୨୨ ଗୁଣ। ଅନ୍ୟ ପାଞ୍ଚଟି ଭାଷା ଯଥା ଓଡ଼ିଆ, ତାମିଲ୍, କନ୍ନଡ଼, ମାଲୟାଲମ୍ ଓ ତେଲଗୁ ଭାଷା ଲାଗି ମାତ୍ର ୨୯ କୋଟି ଟଙ୍କା ବିନିଯୋଗ ହୋଇଛି। ଉଭୟ ମାଲୟାଲମ୍ ଓ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ବି ଦିଆଯାଇନାହିଁ।

ସମ୍ବନ୍ଧିତ ଖବର