ଆଜି ପୌର ଭୋଟ୍‌ ଗଣତି: ଭଦ୍ରକରେ ଲାଗିଲା, ଧାମନଗରରୁ ହଟିଲା ୧୪୪ ଧାରା

ଭଦ୍ରକ: ଶନିବାର ୨୬ ତାରିଖରେ ଭଦ୍ରକ ଜିଲ୍ଲାର ୪ଟି ପୌରାଞ୍ଚଳ ଭଦ୍ରକ, ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି ପାଇଁ ଭୋଟ ଗଣତି ହେବ। ଭଦ୍ରକ ଜିଲ୍ଲା ହାଇସ୍କୁଲ ଠାରେ ଭଦ୍ରକର ୩୦ଟି ୱାର୍ଡର ପୌର ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ଭଦ୍ରକ ଜିଲ୍ଳା ସ୍କୁଲରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗଣତି ପାଇଁ ପ୍ରଶାସନିକ ଅଧିକାରୀ ଓ ପ୍ରାର୍ଥୀଙ୍କର ପୁଲିଂ ଏଜେଣ୍ଟଙ୍କୁ ପ୍ରବେଶପତ୍ର ଆଜି ପ୍ରଦାନ କରାଯାଇଛି। ଆସନ୍ତାକାଲି ସକାଳ ୮ଟା ବେଳେ  ଭୋଟଗଣତି ହେବ। ଭୋଟ ଗଣତି ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ବ୍ୟାପକ ପୁଲିସ୍ ମୁତୟନ କରାଯିବ।

ଗୁରୁବାର ଧାମନଗରରେ ପରିସ୍ଥିତି ଅଶାନ୍ତ ହେବାରୁ ଘଟଣା ସ୍ଥଳରେ ୮ ପ୍ଲାଟୁନ୍ ଫେ୍ାର୍ସ ମୁତୟନ କରାଯାଇଥିଲା। ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଳାପାଳ ତ୍ରିଲୋଚନ ମାଝୀ ଧାମନଗର ବଜାରରେ ୧୪୪ ଧାରା ଜାରି କରିଥିଲେ। ରାତି ୯ଟାରୁ  ଆଜି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା। ଆଜି ସକାଳେ ୧୪୪ ଧାରା ପ୍ରତ୍ୟାହାର କରାଯିବା ସହ ପରିସ୍ଥିତି ଗମ୍ଭୀର ରହିଥିବାରୁ ବ୍ୟାପକ ପୁଲିସ ସହରରେ ପଇଁତରା ମାରୁଛନ୍ତି।

ଧାମନଗରରୁ ୧୪୪ ଧାରା ପ୍ରତ୍ୟାହାର କରାଯାଇଥିବା ବେଳେ ଆସନ୍ତାକାଲି ଭୋଟ ଗଣତି ଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ରାତିଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଭଦ୍ରକ ସହରାଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଅପରପକ୍ଷରେ ଗୁରୁତର ଭାବେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ରମେଶକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜେପି ଯୁବନେତା ସୂରଜ ସୂର୍ଯ୍ୟବଂଶୀ ଭେଟିଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଏଭଳି ଘଟଣାକୁ ଶ୍ରୀମହାନ୍ତି ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର